ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ବିଜେପିର ଅଭିଯୋଗ, ଜାଣନ୍ତୁ କଣ

Published: Nov 12, 2021, 7:16 am IST

ଭୁବନେଶ୍ୱର :  ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିସାରିଲେଣି । ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଆଉ କେତେକ ବିଭାଗ ଯଥା, ରାଜ୍ୟ ସରକାରଙ୍କ ପରିବହନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାମିଲ କରିବା ପାଇଁ ବିଜେପି ତରଫରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଦାବୀ କରାଯାଇଛି ।

ଏହା ଦ୍ୱାରା ପଂଚାୟତ ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ସହ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଦଳ ତରଫରୁ କୁହାଯାଇଛି । ସେହିପରି ଗୋଟିଏ ଜିଲ୍ଲା କିମ୍ବା ନିଜ ଜିଲ୍ଲାରେ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଥିବା ସରକାରୀ ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରିବା ପାଇଁ ମଧ୍ୟ କମିଶନଙ୍କ ନିକଟରେ ବିଜେପିର ପ୍ରତିନିଧି ଦଳ ସାକ୍ଷାତ କରି ଦାବୀ କରିଛନ୍ତି ।

ନିର୍ବାଚନରେ ବ୍ୟବହାର ହେବାକୁ ଥିବା ବ୍ୟାଲେଟ ପେପର ପ୍ରିଂଟିଙ୍ଗର ସ୍ୱଚ୍ଛତା ଓ ନିରପେକ୍ଷତା ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ବିଜେପି ପ୍ରତିନିଧି ଦଳ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂ ଓ ସତ୍ୟବ୍ରତ ପଣ୍ଡା,ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ବିଜେପି ଆଇନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related posts