କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ ଏତଲା

Published: Nov 12, 2021, 7:12 pm IST

ଭୁବନେଶ୍ୱର: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପାଇଁ ଆଜି ଆମ ଅଧିକାର ପକ୍ଷରୁ ଆବାହକ ଅମିୟ ପାଣ୍ଡବ ଓ ମହାସଚିବ ଗଣେଶ ଦାଶ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କଙ୍ଗନା ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ କହିଥିଲେ, ୧୯୪୭ ମସିହାରେ ଭାରତ ଯେଉଁ ସ୍ୱାଧୀନତା ପାଇଥିଲା ବୋଲି କୁହାଯାଇଛି, ତାହା ‘ଭିକ’ ଥିଲା। ୨୦୧୪ ମସିହାରେ ମୋଦି କ୍ଷମତାକୁ ଆସିବା ପରେ ହିଁ ପ୍ରକୃତ ସ୍ୱାଧୀନତା ଆସିଛି।

ଏହା ନିଜ ଜୀବନ ଯୌବନକୁ କାରାଗାର ଓ ଫାଶିଖୁଣ୍ଟରେ ଉତ୍ସର୍ଗ କରିଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷ ଓ ଶହୀଦ ମାନଙ୍କ ପାଇଁ ପ୍ରଚଣ୍ଡ ଅପମାନ। ସେମାନଙ୍କୁ ପରୋକ୍ଷରେ ଭିକାରୀ କହିବା ଦେଶଦ୍ରୋହ ସହ ସମାନ। ତେଣୁ ସମାଜରେ ଶାନ୍ତି ଭଙ୍ଗ କରିବାର ଉଦ୍ୟମ, ମିଥ୍ୟା ପ୍ରଚାର ଓ ଦେଶପ୍ରତି ଅପମାନ ଅଭିଯୋଗରେ ତାଙ୍କ ନାଁରେ ଆଇ.ପି.ସି.ର ଧାରା ୫୦୪, ୫୦୫ ଏବଂ ୧୨୪ (ଏ) ଅନୁଯାୟୀ ମାମଲା ରୁଜୁ କରାଯିବାକୁ ଏତଲା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଆନ୍ଦୋଳନରତ କୃଷକମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଏବଂ ମୁମ୍ବାଇକୁ ମିନି ପାକିସ୍ତାନ କହି ସେ ବାରମ୍ବାର ଏଭଳି ଅପରାଧ କରୁଥିବାରୁ ତାଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଛି।

Related posts