
ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, “ପ୍ରଧାନମନ୍ତ୍ରୀ ସଂସଦରେ ୩ ଟି ବିଲ୍ ଆଣିଥିଲେ। ଏହା କୃଷକମାନଙ୍କୁ ଉପକୃତ କରିଥାନ୍ତା। କିନ୍ତୁ ମୁଁ ଦୁଃଖିତ ଯେ, ଏହି ନୂତନ ଆଇନର ଲାଭ ଦେଶର କିଛି କୃଷକଙ୍କ ନିକଟରେ ପହଞ୍ଚାଇବାରେ ବିଫଳ ହୋଇଛୁ।
କୃଷି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “୨୦୧୪ ମସିହାରୁ କୃଷକ ଏବଂ କୃଷି ପାଇଁ ତାଙ୍କ ସରକାରର ପ୍ରତିବଦ୍ଧତା ରହିଛି। ଗତ ୭ ବର୍ଷ ମଧ୍ୟରେ କୃଷିକୁ ଉପକୃତ କରୁଥିବା ଅନେକ ନୂତନ ଯୋଜନା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଚାଷୀଙ୍କ କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟ କରିଆସୁଛି। ଏହାର ସୁବିଧା ଅନେକ ସ୍ଥାନରେ ଦେଖିବାକୁ ମିଳିଛି।
ସେ କହିଛନ୍ତି ଯେ, ଅନେକ ଚାଷୀ ମଧ୍ୟ ଏହାର ଲାଭ ପାଇଛନ୍ତି। ଆମ ଦେଶର ଚାଷୀଙ୍କ ପାଇଁ ଯେଉଁ ପ୍ରତିବନ୍ଧକ ରହିଛି ତାହା ହଟାଇବାକୁ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି। ସେଥିପାଇଁ ଆମେ ନୂଆ କୃଷି ଆଇନ ଆଣିଥିଲୁ। କିନ୍ତୁ ଆମେ କିଛି କୃଷକଙ୍କୁ ଏହି ନିୟମ ବ୍ୟାଖ୍ୟା କରିବାରେ ସଫଳ ହୋଇପାରିଲୁ ନାହିଁ। ଯାହାଫଳରେ ଏହି ଆଇନକୁ ରଦ୍ଦ କରିବାକୁ ପଡିଲା।