ଶକ୍ତିମନ୍ତ୍ରୀଙ୍କ ଶକ୍ତି ସଂଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ, ତାଲିମନବିସଙ୍କ ସହ ବାର୍ତ୍ତାଳାପ

Published: Dec 22, 2021, 10:23 pm IST

ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଚନ୍ଦକାସ୍ଥିତ ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେ ସେଠାକୁ ଯାଇ ତାଲିମ କେନ୍ଦ୍ରରେ ଥିବା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାଗୁଡ଼ିକ କିପରି ସଂଚାଳିତ ହେଉଛି ବୁଲି ଦେଖିଥିଲେ ।

ଶକ୍ତି ବିଭାଗର ନିରାପତ୍ତା, କାର୍ଯ୍ୟାଳୟ ସଂଚାଳନ, ଶକ୍ତି ସମ୍ବନ୍ଧିତ ଆୟବ୍ୟୟ ପରିଚାଳନା ଭଳି ଅନେକ ବିଷୟ ସହିତ ବିଦ୍ୟୁତ ସରବରାହ ଉପରେ ଉନ୍ନତ ଧରଣର ଉଭୟ ଥିଓରି ଓ ପ୍ରାକଫିସ୍‌ ଉପରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏଥି ସହିତ ଶକ୍ତି ସଂଚାରଣ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ଯନ୍ତ୍ରାଂଶର କାର୍ଯ୍ୟକାରିତା, ତା’ର ରକ୍ଷଣାବେକ୍ଷଣ ସହିତ ତାକୁ କିପରି ଉପଯୋଗ କରାଯାଏ ସେ ସଂପର୍କରେ ଏଠାରେ ତାଲିମ ପ୍ରଦାନ କରାଯାଇଥାଏ ।

ଏଠାରେ ସଂପ୍ରତି ୬୦ ଜଣ କର୍ମଚାରୀ କାର୍ଯ୍ୟାଳୟ ପରିଚାଳନା ଉପରେ ତାଲିମ ନେଉଥିବା ଜଣାପଡ଼ିଛି । ପରେ ତାଲିମ କେନ୍ଦ୍ର ଯାଇ ସେଠାରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କର୍ମଚାରୀମାନଙ୍କୁ ସମୟ ସହିତ ତାଳଦେଇ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ତାକୁ ଜନସେବାରେ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ନିଜକୁ ପରିବର୍ତ୍ତନ କରିବାର କଳା ଶିଖିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ମନ୍ତ୍ରୀ ତାଲିମ କେନ୍ଦ୍ରର ଭୋଜନାଳୟରେ ଅନ୍ୟମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ତାଲିମ କେନ୍ଦ୍ରର କାର୍ଯ୍ୟକ୍ରମ ବୁଲି ଦେଖିବା ପରେ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି ଏହି କେନ୍ଦ୍ରକୁ ଆହୁରି ପ୍ରଭାବି ଭାବେ ସଂଚାଳନ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କର ଏହି ପରିଦର୍ଶନ ସମୟରେ ମୁଖ୍ୟ ସାଧାରଣ ପରିଚାଳକ (ଏଚ୍‌ଆର୍‌ଡି) ଓପିଟିସିଏଲ୍‌, ଡ. ସି.ଏସ୍‌. ପ୍ରଧାନ ଏବଂ ଡେପୁଟି ଜେନେରାଲ୍‌ ମ୍ୟାନେଜର (ଏଚ୍‌ଆର୍‌ଡି) ପିଟିସି ଡ. ମଧୁମିତା ସ୍ୱାଇଁଙ୍କ ସମେତ ସମସ୍ତ ତାଲିମଦାତା ଉପସ୍ଥିତ ଥିଲେ ।

Related posts