ଖୋର୍ଦ୍ଧା: ମ୍ୟାଲେରିଆ ନିରାକରଣ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ

Published: Dec 23, 2021, 8:33 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ମ୍ୟାଲେରିଆ ନିରାକରଣ ଓ ଖୋର୍ଦ୍ଧା ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ମ୍ୟାଲେରିଆ ନିରାକରଣ ପାଇଁ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାର ବାଣପୁର ବ୍ଲକ ମ୍ୟାଲେରିଆ ପ୍ରବଣ ହୋଇଥିବାରୁ ସେଠାରେ ୯ ହଜାର ୨୦୦ କୀଟନାଶକ ଔଷଧଯୁକ୍ତ ମଶାରୀ ବଣ୍ଟନ କରାଯାଇଥିଲା ଏବଂ ଲୋକମାନଙ୍କୁ ସଚେତନ କରାଯାଇଥିଲା।

ଖୋର୍ଦ୍ଧା ଜିଲ୍ଲାକୁ ୨୦୨୭ ମସିହା ସୁଦ୍ଧା ମ୍ୟାଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।  ମ୍ୟାଲେରିଆ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମ କରାଯିବ ବୋଲି ଉକ୍ତ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ମ୍ୟାଲେରିଆ ପଜିଟିଭ ରୋଗୀ ସଂଖ୍ୟା କ୍ରମଶଃ କମୁଛି। ୨୦୧୬ ରେ ୭୫୮ ଜଣ ମ୍ୟାଲେରିଆ ପଜିଟିଭ ରୋଗୀ ଚି଼ହ୍ନଟ ହୋଇଥିବା ବେଳେ ୨୦୨୦ ରେ ୬୫ ଜଣ ଏବଂ ୨୦୨୧ ନଭେମ୍ବର ସୁଦ୍ଧା ୫୩ ଜଣ ମ୍ୟାଲେରିଆ ପଜିଟିଭ ଚି଼ହ୍ନଟ ହୋଇଥିବା ଜଣାଯାଇଛି।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ରଘୁନାଥ ନାୟକ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡ଼ା. ନନ୍ଦିତା ଗୁପ୍ତା ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Related posts