ବିଜେପି ଫୋକସ୍‌ରେ ଓଡ଼ିଶା : ପୁଣି ଆସିବେ ଶାହ, ରାଜନାଥ ଓ ଗଡ଼କରୀ

Published: Apr 21, 2019, 5:51 pm IST
bjp's focus on odisha

ପୁଣି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୨୭ ତାରିଖରେ ଶାହ ମୟୂରଭଞ୍ଜର ମୋରଡ଼ାରେ ଓ ଯାଜପୁରର ସୁକିନ୍ଦାରେ ନିର୍ବାଚନୀ ସଭାରେ ଯୋଗଦେବେ। ତାଙ୍କ ପୂର୍ବରୁ ୨୫ ତାରିଖରେ ରାଜନାଥ ସିଂହ ଆସିବେ। ୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ଥରେ ଓଡ଼ିଶା ଆସିବେ। ସେ ଯାଜପୁର ଓ ମୟୂରଭଞ୍ଜରେ କିଛି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦୁଇଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ସୂଚନା ରହିଛି। ଉଭୟ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାରେ ମାରାଥନ୍ ପ୍ରଚାର କରୁଛନ୍ତି। ଏହା ପୂର୍ବରୁ ଅମିତ ଶାହ ଢେଙ୍କାନାଳ ଓ କଟକରେ ପ୍ରଚାର କରି ଯାଇଥିଲେ। ସେହିପରି ରାଜନାଥ ସିଂହ ମୟୂରଭଞ୍ଜ, ନୟାଗଡ଼ ଓ କଟକ ସଦରରେ ପ୍ରଚାର କରିଥିଲେ। ନୀତିନ ଗଡ଼କରୀ ମଧ୍ୟ ମୟୂରଭଞ୍ଜରେ ନିର୍ବାଚନ ପ୍ରଚାର କରିଥିଲେ। ସେହିପରି ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍‌ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିଛନ୍ତି। ପ୍ରତ୍ୟେକ ଦିନ ବିଜେପିର ଷ୍ଟାର ପ୍ରଚାରକମାନେ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି।

Related posts