
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ୨୦୨୪ ବିଧାନସଭା ନିର୍ବାଚନରେ ଜିତିଲେ ରାଜ୍ୟବାସୀଙ୍କୁ ୭୦ ଟଙ୍କାରେ ମଦ ଦେବାକୁ ଭାରତୀୟ ଜନତା ପାର୍ଟି ପ୍ରତିଶୃତି ଦେଇଛି।
ମଙ୍ଗଳବାର ଦିନ ଏକ ସାଧାରଣ ସଭାରେ ଦଳର ରାଜ୍ୟ ୟୁନିଟ୍ ମୁଖ୍ୟ ସୋମୁ ଭୀରରାଜୁ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୱାଇଏସଆର କଂଗ୍ରେସ ସରକାର ଏବଂ ବିରୋଧୀ ତେଲୁଗୁ ଦେଶମ ପାର୍ଟିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ବିପୁଳ ସମ୍ବଳ ଏବଂ ଦୀର୍ଘ ଉପକୂଳବର୍ତ୍ତୀ ସତ୍ତ୍ୱେ ରାଜନୈତିକ ଶକ୍ତିଗୁଡିକ ରାଜ୍ୟ ବିକାଶ କରିବାରେ ବିଫଳ ହୋଇଛନ୍ତି।
ରାଜ୍ୟରେ ମହଙ୍ଗା ମଦ ଦରକୁ ନେଇ ପରୋକ୍ଷରେ ଭୀରରାଜୁ କହିଛନ୍ତି ଯେ, ରାଜ୍ୟରେ ଏକ କୋଟି ଲୋକ ମଦ ପାନ କରନ୍ତି। ଆପଣ ବିଜେପିକୁ ଏକ କୋଟି ଭୋଟ ଦିଅନ୍ତୁ ଆମେ ଆପଣଙ୍କୁ ୭୦ ଟଙ୍କାରେ ମଦ ଦେବୁ। ଯଦି ଭଲ ରାଜସ୍ୱ ରହିବ, ଆମେ ଏହାକୁ ମାତ୍ର ୫୦ ଟଙ୍କାରେ ଦେବୁ।
ରାଜ୍ୟ ସରକାରଙ୍କ ଡାଇରେକ୍ଟ ବେନିଫିଟ ସ୍କିମ ବିଷୟରେ ବିଜେପି ନେତା କହିଛନ୍ତି ଯେ, ଗୋଟିଏ ମାସ ମଧ୍ୟରେ ଜଣେ ବ୍ୟକ୍ତି ହାରାହାରି ୧୨ ହଜାର ଟଙ୍କା ମୂଲ୍ୟର ମଦ ପିଉଛନ୍ତି। ଜଗନ୍ ମୋହନ ରେଡ୍ଡୀ ଏହି ସମସ୍ତ ଟଙ୍କା ସଂଗ୍ରହ କରୁଛନ୍ତି। ଏବଂ ଏହାକୁ ଯୋଜନା ନାମରେ ଲୋକଙ୍କ ପାଖକୁ ଫେରାଇ ଦେଉଛନ୍ତି।