
ସୀତାରାମ ଅଗ୍ରୱାଲ
ଚିଲିକା: ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ଗଣନା ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ ଆନୁଷ୍ଠାନିକ ଭାବେ ଡ଼ଲଫିନ ଗଣନା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ଡ଼ିଏଫଓ ଜ୍ୟୋତି କାଟାଲ ସୂଚନା ଦେଇଛନ୍ତି।
ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜ୍ ରେ ହେବ ଡଲଫିନ ଗଣନା। ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହେବେ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ରହିବେ। ଏ ନେଇ ଆଜି ବାଲୁଗାଁ ବନ୍ୟ ପ୍ରାଣୀ ଡିଭିଜନ୍ କାର୍ଯ୍ୟାଳୟରେ ଟ୍ରେନିଂ ଶିବିର ଅନୁଷ୍ଠିତ ହୋଇଯାଇଛି।
ଆସନ୍ତାକାଲି ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରିରହିବ। ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି।