ଶ୍ରୀନଗରରେ ସୁରକ୍ଷା ବାହିନୀର ବଡ କାର୍ଯ୍ୟାନୁଷ୍ଠାନ, ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

Published: Feb 5, 2022, 1:14 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଦ୍ଵାରା ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଗତକାଲି ରାତିରେ ଜକୁରା ଅଞ୍ଚଳରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଯାହା ପରେ ସୁରକ୍ଷାବାହିନୀଙ୍କୁ ଏହି ସଫଳତା ମିଳିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ ସେତେବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇ ପାଲଟା ଆକ୍ରମଣ ଆରମ୍ଭ କରିଥିଲା। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଅଧିକାରୀ କହିଛନ୍ତି। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) ବିଜୟ କୁମାର କହିଛନ୍ତି ଯେ, ଆତଙ୍କବାଦୀମାନେ ଲଶ୍କର-ଇ-ତୋଇବା ସହ ଜଡିତ ‘ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ରୁ ଆସିଛନ୍ତି। ଜାନୁଆରୀ ୨୯ ତାରିଖରେ ଅନନ୍ତନାଗରେ ଜଣେ ହେଡ କନଷ୍ଟେବଳ ଅଲି ମହମ୍ମଦ ଘାନିଙ୍କ ହତ୍ୟାରେ ଜଣେ ଆତଙ୍କବାଦୀ ସମ୍ପୃକ୍ତ ଥିଲେ।

Related posts