
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଆଜି ମନିଫେଷ୍ଟୋ ଘୋଷଣା କରିଛି। ସମସ୍ତ ଫସଲ ପାଇଁ ଏମଏସପି ଯୋଗାଇ ଦିଆଯିବ ଏବଂ ୧୫ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଦେୟ ନିଶ୍ଚିତ କରାଯିବ ବୋଲି ସମାଜବାଦୀ ପାର୍ଟି ମନିଫେଷ୍ଟୋରେ କହିଛି। ମାଗଣା ବିଦ୍ୟୁତ୍ ଏବଂ ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ସୁଧମୁକ୍ତ ଋଣ ପାଇଁ ବ୍ୟବସ୍ଥା କରାଯିବ। ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। କୃଷକ, ମହିଳା, ଛାତ୍ର ଏବଂ ସାଧାରଣ ଲୋକଙ୍କ ପାଇଁ ମନିଫୋଷ୍ଟରେ ଜନପ୍ରିୟ ପ୍ରତିଶୃତି ଦିଆଯାଇଛି।
ସୂଚନାଯୋଗ୍ୟ ଯେ ବିଜେପି ଆଜି ସକାଳେ ନିଜର ସଂକଳ୍ପ ପତ୍ର ଜାରି କରିଥିଲେ। ଯେଉଁଥିରେ ମହିଳାମାନଙ୍କୁ ପ୍ରତିବର୍ଷ ତିନୋଟି ମାଗଣା ସିଲିଣ୍ଡର, ଛାତ୍ରୀଙ୍କୁ ସ୍କୁଟି, ଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍ ପ୍ରଦାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ଦିଆଯାଇଛି।
ସମାଜବାଦୀ ପାର୍ଟି ମନିଫେଷ୍ଟୋର ବୈଶିଷ୍ଟ୍ୟ:
– ସମସ୍ତ ଫସଲକୁ MSP ଅଧୀନରେ ଅଣାଯିବା।
– ୨୦୨୫ ସୁଦ୍ଧା ସମସ୍ତ କୃଷକ ଋଣମୁକ୍ତ ହେବେ।
– ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍।
– କୃଷକ ଆନ୍ଦୋଳନରେ ସହିଦ ହୋଇଥିବା କୃଷକମାନଙ୍କୁ ୨୫ ଲକ୍ଷ ଟଙ୍କା ଦେବେ।
– ସମସ୍ତ ଗରିବ ଲୋକଙ୍କୁ ପ୍ରତିମାସରେ ଦୁଇଟି ସିଲିଣ୍ଡର ମାଗଣାରେ ଦିଆଯିବ।
– ସରକାରୀ ଚାକିରିରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦିଆଯିବ।
– ଝିଅମାନଙ୍କ ଶିକ୍ଷା KG ରୁ PG ପର୍ଯ୍ୟନ୍ତ ମାଗଣା ହେବ।
– ସମାଜବାଦୀ ପେନ୍ସନ୍ ପୁନଃ ଆରମ୍ଭ ହେବ।
– ମହିଳାଙ୍କ ସୁରକ୍ଷା ପାଇଁ ୧୦୯୦ କୁ ପୁଣିଥରେ ଚାଲୁ କରାଯିବ।
– ମହିଳାମାନେ ଇମେଲ ଏବଂ ହହ୍ଵାଟସ୍ ଆପରେ FIR ପଞ୍ଜିକରଣ କରିବାକୁ ସମର୍ଥ ହେବେ।
– ନଗଦବିହୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଣିବ।
– ଗରିବ ଲୋକଙ୍କୁ ବାର୍ଷିକ ୧୮ ହଜାର ଟଙ୍କା ପେନସନ୍ ଦିଆଯିବ।
– ପ୍ରତ୍ୟେକ ସମାଜରେ ‘ସମାଜବାଦୀ ଥାଳି’ ଆରମ୍ଭ ହେବ, ଏହା ଅଧୀନରେ ୧୦ ଟଙ୍କାରେ ଏକ ଥାଳି ଖାଦ୍ୟ ଦିଆଯିବ।
– ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ପ୍ରତିମାସରେ ଦୁଇ ଲିଟର ମାଗଣା ପେଟ୍ରୋଲ।