Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଆଥଲେଟିକ୍ସ ଏଚ୍‌ପିସି ପରିଦର୍ଶନ କରି ଆଥଲେଟ୍ ମାନଙ୍କ ଆତ୍ମବିଶ୍ୱାସ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ
ଆଜିର ଖବର

ଓଡ଼ିଶା ଆଥଲେଟିକ୍ସ ଏଚ୍‌ପିସି ପରିଦର୍ଶନ କରି ଆଥଲେଟ୍ ମାନଙ୍କ ଆତ୍ମବିଶ୍ୱାସ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ

February 23, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମର ଇନଡୋର ଟ୍ରାକ୍ ବ୍ୟବସ୍ଥା ନିର୍ମାଣର ଅଗ୍ରଗତି ସମ୍ପର୍କରେ ନିରୀକ୍ଷଣ କରିବାକୁ ଗସ୍ତ କରିବା ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ଆଥଲେଟ୍‌ମାନଙ୍କ ସହିତ ଭାବ ବିନିମୟ କରିଥିଲେ। ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନର ଏକ ସମ୍ମିଳିତ ପ୍ରୟାସ ଏଚପିସି ୨୦୧୯ରେ କାର୍ଯ୍ୟାରମ୍ଭ କରିଥିଲା ଏବଂ ସଂପ୍ରତି ଏହି କେନ୍ଦ୍ରରେ ୫୦ଜଣ ଆଥଲେଟ୍ ତାଲିମ ନେଉଛନ୍ତି। ଉଦୀୟମାନ ଆଥଲେଟ୍‌ମାନଙ୍କ ସହ ଆଲୋଚନା ବେଳେ ଏହି ଇନଡୋର ସୁବିଧା ଭାରତରେ ଆଥଲେଟିକ୍ସର ବିକାଶକୁ ବଡଧରଣର ପ୍ରୋତ୍ସାହନ ଯୋଗାଇଦେବା ସହିତ ଆଗାମୀ ବର୍ଷଗୁଡିକରେ ଚମ୍ପିଆନ୍ ସୃଷ୍ଟିର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ପାଲଟିବ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଏଥିସହିତ ଏହି ଅବସରରେ ସେ ଏଚ୍‌ପିସିର ଆଥଲେଟମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଓଡ଼ିଶା ସରକାରଙ୍କ କ୍ରୀଡା ସଚିବ ଆର୍ ଭିନିଲ କ୍ରିଷ୍ଣା କହିଥିଲେ, “ଆମେ ସମାନ ଲକ୍ଷ୍ୟ ନେଇ ରିଲାଏନ୍ସ ଫାଉଣ୍ଡେସନ ସହିତ ସହଭାଗିତା କରିଛୁ। ଆଥଲେଟିକ୍ସକୁ ଉଚ୍ଚତର ସୋପାନକୁ ନେବା ଆମର ଲକ୍ଷ୍ୟ ଏବଂ ଏହି ଇନ୍‌ଡୋର ଆଥଲେଟିକ ସେଂଟର ଦେଶପାଇଁ ଆଥଲେଟିକ୍ସରେ ଅଧିକ ପଦକ ବିଜେତା ହେବା ନିମନ୍ତେ ଆମର ସାମଗ୍ରିକ ଲକ୍ଷ୍ୟ ହାସଲ ଦିଗରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ଆମେ ନିଶ୍ଚିତ ଯେ ଏହି ଧରଣର ଆଧୁନିିକ ସୁବିଧା ଆମର ଯୁବ ଏଚ୍‌ପିସି ଆଥଲେଟ୍‌ମାନଙ୍କୁ ଆନ୍ତର୍ଜାତିକ ସ୍ତରର କରି ଗଢିତୋଳିବା ଫାଇଦା ପହଂଚାଇବ। ଏଠାରେ ଥିବା ପ୍ରତ୍ୟେକ ଆଥଲେଟ୍‌ଙ୍କର ଉତ୍କର୍ଷ ହାସଲ ଏବଂ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାର ସାମର୍ଥ୍ୟ ରହିଛି।”

ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍‌ପିସିର ମୁଖ୍ୟ କୋଚ୍ ଜେମ୍ସ ହିଲିଅର କହିଥିଲେ, “ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ବିନା ଏଠାରେ ଆଥଲେଟିକ୍ସ ଏଚପିସି ସମ୍ଭବ ହୋଇପାରିନଥାନ୍ତା କିମ୍ବା ଆମେ ଆଗ୍ରହର ସହିତ କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଭାରତର ପ୍ରଥମ ଅତ୍ୟାଧୁନିକ ଇନଡୋର ଟ୍ରାକ ସୁବିଧାକୁ ଅପେକ୍ଷା କରିନଥାନ୍ତୁ। ମୁଖ୍ୟମନ୍ତ୍ରୀଙ୍କର କ୍ରୀଡା କ୍ଷେତ୍ରରେ ଦୂରଦୃଷ୍ଟିସଂପନ୍ନତା ପାଇଁ ଆମେ କୃତଜ୍ଞ ଏବଂ ଗତ ୩ ବର୍ଷ ଧରି ଓଡ଼ିଶା ସରକାରଙ୍କ ସହଭାଗିତାରେ ଆମେ ଦେଶରେ ସର୍ବୋତମ ଏବଂ ସର୍ବାଧୁନିକ ଆଥଲେଟିକ୍ସ ତାଲିମ ସୁବିଧା ସୁଯୋଗ ବିକଶିତ କରିଥିବା ନେଇ ଗୌରବାନ୍ୱିତ ମନେକରୁଛୁ। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଆଥଲେଟିକ୍ସ ପରିବ୍ୟବସ୍ଥା ବା ଇକୋସିଷ୍ଟମ୍ ଉପରେ ନିରନ୍ତର ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ସକାଶେ ସରକାରୀ ସହଭାଗୀମାନଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛୁ।”

“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବା ଆମ ଆଥଲେଟମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା। ମାନନୀୟ ମୁଖ୍ୟମନ୍ତ୍ରୀ ଆଥଲେଟମାନଙ୍କୁ ଭବିଷ୍ୟତରେ ସେମାନଙ୍କ ତାଲିମ କ୍ଷେତ୍ରରେ ସର୍ବକୁଶଳ କାମନା କରିଥିଲେ। ଚଳିତ ବର୍ଷ ଶେଷ ପୂର୍ବରୁ ଆମର ନୂଆ ଇନ୍‌ଡୋର ସୁବିଧା ଯେଭଳି ସମ୍ପୂର୍ଣ୍ଣ ହେବ, ସେଥିପାଇଁ ଚବିଶ ଘଂଟା କାମ କରୁଥିବା ଶ୍ରମିକ, କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।”

ସୂଚନାଯୋଗ୍ୟ ଯେ ଏଚ୍‌ପିସିର ଅନେକ ଆଥଲେଟ ଜାତୀୟ ସ୍ତରର ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିସାରିଛନ୍ତି। ୨୩ ବର୍ଷ ବୟସ୍କ ଅମ୍ଳାନ ବୋରଗୋହେନ୍ ପ୍ରଥମ ବ୍ୟାଚ ଶିକ୍ଷାନବିଶଙ୍କ ମଧ୍ୟରେ ଅନ୍ୟତମ ହୋଇଥିବାବେଳେ ସେ ଗତବର୍ଷ ୱାରାଙ୍ଗଲଠାରେ ଅନୁଷ୍ଠିତ ଓପନ ନ୍ୟାସନାଲ୍ସରେ ୨୦୦ ମିଟର ବିଭାଗରେ ସ୍ୱର୍ଣ୍ଣ ଏବଂ ୧୦୦ ମିଟର ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲେ। ତାହା ସହିତ ସେଠାରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ଯଥାକ୍ରମେ ୨୦.୭୫ ସେକେଣ୍ଡ ଏବଂ ୧୦.୩୪ ସେକେଣ୍ଡ ମଧ୍ୟ ହାସଲ କରିଥିଲେ। ୨୦ ବର୍ଷ ବୟସ୍କ ହାଇଜମ୍ପର୍ ଅନଗୁଳର ସ୍ୱାଧୀନ କୁମାର ମାଝୀ ବର୍ଷର ଆଦ୍ୟ ଭାଗରେ ମାଙ୍ଗାଲୋରଠାରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨.୦୮ ମିଟର ହାସଲ କରିବା ସହିତ କାଂସ୍ୟ ପଦକ ହାସଲ କରିଥିଲେ। ସୁନ୍ଦରଗଡର ୧୬ ବର୍ଷ ବୟସ୍କା ସବିତା ଟପ୍ପୋ ଏଚପିସିରେ ଅନ୍ୟତମ ସର୍ବାଧିକ ଉଜ୍ଜ୍ୱଳ କିଶୋରୀ ପ୍ରତିଭା ଭାବରେ ଚିହ୍ନଟ ହୋଇଥିବାବେଳେ ସେ ଗତବର୍ଷ ଗୁଆହାଟିଠାରେ ଅନୁଷ୍ଠିତ ଜୁନିୟର ନ୍ୟାସନାଲରେ ୧୬ ବର୍ଷରୁ କମ୍ ବୟସ ବାଳିକା ବିଭାଗର ଲଙ୍ଗ ଜମ୍ପ୍‌ରେ ସ୍ୱର୍ଣ୍ଣ ଏବଂ ୧୬ ବର୍ଷରୁ କମ୍ ବୟସ ବାଳିକା ବିଭାଗର ୮୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ପରିଦର୍ଶନ କାଳରେ ତାଙ୍କର ଉତ୍ସାହପ୍ରଦ କଥା, ଆଗକୁ ବଢିବାକୁ ପରାମର୍ଶ ଏହି ଆଥଲେଟମାନଙ୍କ ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇଛି।

ହାଇଜମ୍ପର ସ୍ୱାଧୀନ କୁମାର ମାଝୀ କହିଥିଲେ, “ନୂଆକରି ନିର୍ମାଣ କରାଯାଉଥିବା ଇନ୍‌ଡୋର ସୁବିଧାକୁ ନେଇ ମୁଁ ଆଶାତୀତ ଭାବରେ ଖୁସି ଅଛି, କାରଣ ଜଣେ ଜମ୍ପର ଭାବରେ ଏହା ମୋତେ ବିଶେଷ ଫାଇଦା ପହଂଚାଇବ। ସମସ୍ତ ପ୍ରକାର ପାଣିପାଗ ପରିସ୍ଥିତିରେ ଏହା ମୋତେ ଅଭ୍ୟାସ କରିବାରେ ସହାୟତା କରିବ। ଏଭଳି ସର୍ବୋତମ ସୁବିଧା ସୁଯୋଗ ଆମ ପାଇଁ ଉପଲବ୍ଧ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିକଟରେ ଆମେ ଅତ୍ୟନ୍ତ କୃତଜ୍ଞ।”

ସେହିଭଳି ସବିତା ଟପ୍ପୋ କହିଥିଲେ, “ଭାରତରେ ଏକ ଇନଡୋର ସୁବିଧା ତିଆରି ହେବ ଏବଂ ଏହାର ଉପଯୋଗ କରିବା କ୍ଷେତ୍ରରେ ଅନ୍ୟତମ ପ୍ରଥମ ଆଥଲେଟ ହେବି ବୋଲି ମୁଁ କେବେ କଳ୍ପନା କରିନଥିଲି। ତେଣୁ ଏହା ମୋ ପାଇଁ ଗର୍ବର ବିଷୟ। ଆମ ଆଖି ଆଗରେ ଏହାର ନିର୍ମାଣକୁ ଆମେ ପ୍ରତିଦିନ ଦେଖୁଛୁ ଏବଂ ଏହା ଯେଭଳି ଶୀଘ୍ର ଶେଷହେବ ସେଥିପାଇଁ ଉତ୍ସୁକତାର ସହିତ ଅପେକ୍ଷା କରିଛୁ। ଆମକୁ ଏଭଳି ସୁଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି।”

ହିଲର୍ ଏବଂ ତାଙ୍କ ଟିମ୍ ସଂପ୍ରତି ଏଚପିସିରେ ପ୍ରତିଯୋଗିତା ପ୍ରସ୍ତୁତି ପର୍ଯ୍ୟାୟରେ ଅଛନ୍ତି ଏବଂ ବେଗ, ମଜଭୁତପଣ ଏବଂ ସାମର୍ଥ୍ୟ ଆଦି ମୁଖ୍ୟ ମୋଟର ସ୍କିଲ୍‌ରେ ଉନ୍ନତି ଆଣିବା ଉପରେ ଦୃଷ୍ଟିନିବଦ୍ଧ କରାଯାଉଛି। ଗତ ୧୬ ସପ୍ତାହ ଧରି ଏହି କୁଶଳତାର ବିକାଶ ସହିତ ତାହା ଉପଯୋଗ କରାଯାଉଛି, ଯାହା ଏକ ସାଧାରଣ ଏବଂ ନିର୍ଦ୍ଦିଷ୍ଟ ପ୍ରସ୍ତୁତି ସମୟ ହୋଇଛି। ଏଚ୍‌ପିସିର ଅନେକ ମହିଳା ଆଥଲେଟ ସଂପ୍ରତି ଅଲ୍ ଇଣ୍ଡିଆ ୟୁନିଭରସିଟି ଆଥଲେଟିକ୍ସ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଗାମୀ ଛଅ ସପ୍ତାହ ପର୍ଯ୍ୟନ୍ତ ନ୍ୟାସନାଲ ଜମ୍ପ୍‌ସ ଚମ୍ପିଆନସିପ୍‌, ଇଣ୍ଡିଆନ ଗ୍ରାଁ ପି ଏବଂ ଫେଡେରେସନ କପ୍ ଆଦିରେ ଏଚ୍‌ପିସିର ଆଥଲେଟମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି, ଯେଉଁଠାରେ ସେମାନେ ବର୍ଷର ପରବର୍ତୀ ଭାଗରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡା ନିମନ୍ତେ ଜାତୀୟ ଦଳରେ ନିଜ ସ୍ଥାନ ମଜଭୁତ କରିବା ଆଶା ରଖିଛନ୍ତି।

କଳିଙ୍ଗ ଷ୍ଟାଡିୟମ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025

ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

August 26, 2025

ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗୀତା: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଶା ଝିଅ

August 26, 2025
Latest News

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025

‘ଯଦି ତୁମେ ଶାନ୍ତି ଚାହୁଁଛ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’ ସିଡିଏସ୍ ଅନିଲ ଚୌହାନଙ୍କ ବାର୍ତ୍ତା

August 26, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025

ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

August 26, 2025

ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗୀତା: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଶା ଝିଅ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.