ଆସିବେ ୟୁକ୍ରେନରେ ଫସି ରହିଥିବା ଭାରତୀୟ, ଆସନ୍ତାକାଲି ଛାଡିବ ୨ ଟି ଏୟାର ଇଣ୍ଡିଆ ବିମାନ!

Published: Feb 25, 2022, 6:11 pm IST

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେତୁ ୟୁକ୍ରେନରେ ଫସି ରହିଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଏକ ଆଶ୍ଵସ୍ତି ଖବର ରହିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ୨ ଟି ଏୟାର ଇଣ୍ଡିଆ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି ବିମାନ ଶନିବାର ଭୋର ୨ ଟାରୁ ଉଡ଼ାଣ ଆରମ୍ଭ କରିବ। ଏହି ବିମାନ ରୋମାନିଆର ରାଜଧାନୀ ବୁଖାରେଷ୍ଟ ଦେଇ ଲୋକଙ୍କୁ ଭାରତ ଆଣିବ।

ଏହାପୂର୍ବରୁ, ଭାରତୀୟ ଉଦ୍ଧାରକାରୀ ଦଳ ରୋମାନିଆ ସୀମାରେ ପହଞ୍ଚିଛନ୍ତି। ଯେଉଁଠାରୁ ୟୁକ୍ରେନର ରାଜଧାନୀ କିଭକୁ ମାତ୍ର ୧୨ ଘଣ୍ଟା ଯାତ୍ରା କରି ପହଞ୍ଚାଇ ପାରିବେ। ଉଦ୍ଧାରକାରୀ ଦଳ ଭାରତୀୟ ଲୋକଙ୍କୁ ବୁଖାରେଷ୍ଟକୁ ଆଣିବେ। ଏହା ପରେ ଏହି ଲୋକମାନେ ବିମାନରେ ଚଢିବେ। ବେସାମରିକ ବିମାନ ଉଡ଼ାଣ ପାଇଁ ଆକାଶ ସୀମା ବନ୍ଦ ଥିବାରୁ ଭାରତୀୟ ନାଗରିକମାନେ ନିରାପଦରେ ଘରକୁ ଫେରିବା ପାଇଁ ବୁଖାରେଷ୍ଟ ବିମାନରେ ଯାତ୍ରା କରିବେ।

ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.ମୁରଲୀଧରନ୍ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି ଯେ, ସେଠାରେ ପ୍ରାୟ ୧୮ ହଜାର ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ୟୁକ୍ରେନରେ ବିମାନ ଉଡ଼ାଣ ବନ୍ଦ ଥିବାରୁ ବିକଳ୍ପ ବ୍ୟବସ୍ଥା କରାଯାଉଛି।

ଅନେକ ଭାରତୀୟ ନାଗରିକ କିଭରେ ଥିବା ଭାରତୀୟ ଦୂତାବାସରେ ଆଶ୍ରୟ ନେଇଥିଲେ। ଦୂତାବାସ ପରିସରରେ ଗୁଳି ବିନିମୟ ହେବାର ଖବର ମଧ୍ୟ ରହିଛି, କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଶାନ୍ତ ରହିବାକୁ ଭାରତୀୟ ଦୂତାବାସ ଲୋକଙ୍କୁ ନିବେଦନ କରୁଛି। ସେମାନଙ୍କୁ କୁହାଯାଉଛି ଯେ, ଶୀଘ୍ର ଏକ ବିକଳ୍ପ ମାର୍ଗ ଦେଇ ସେମାନଙ୍କୁ ବାହାର କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି।

Related posts