ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

Published: Mar 3, 2022, 8:53 pm IST

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି। ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିବିଡ଼ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ପ୍ରକାର ପ୍ରୟାସ କରୁଛି। ଦ୍ରୁତ ଉଦ୍ଧାର ପ୍ରକ୍ରିୟାରେ ଇଣ୍ଡିଆନ ଏୟାର ଲାଇନ୍ସ ନିଜର ସବୁ ସମ୍ବଳକୁ ବିନିଯୋଗ କରୁଛି। ଚାରି ଜଣ କେନ୍ଦ୍ର ମନ୍ତ୍ରୀ – ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, କୀରନ ରିଜିଜୁ ଏବଂ ଜେନେରାଲ ଭି.କେ. ସିଂ ଉଦ୍ଧାର କାର୍ଯ୍ୟ ତଦାରଖ ଓ ସହାୟତା କରିବା ଲାଗି ୟୁକ୍ରେନ ନିକଟବର୍ତ୍ତୀ ଦେଶକୁ ଯାଇଛନ୍ତି। ଭାରତୀୟ ବେସାମରିକ ବିମାନ ସହିତ ଭାରତୀୟ ବାୟୁସେନାର ବିମାନ ନିୟମିତ ଭାବେ ଅଟକ ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଲଗାତାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ଉଦ୍ଧାର ପ୍ରକ୍ରିୟା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୬୨୦୦ରୁ ଅଧିକ ଭାରତୀୟ ଫେରି ଆସିଛନ୍ତି। ଆଜି ୧୦ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୮୫ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି।

ଆଜି ବୁକାରେଷ୍ଟରୁ ୫ଟି, ବୁଦାପେଷ୍ଟରୁ ୨ଟି, କୋସିକେରୁ ଗୋଟିଏ ଏବଂ ରେସେସୋରୁ ୨ଟି ବେସାମରିକ ବିମାନ ଜରିଆରେ ଭାରତୀୟମାନେ ସ୍ୱଦେଶ ଫେରିଛନ୍ତି। ଏହାବ୍ୟତୀତ, ଭାରତୀୟ ବାୟୁସେନାର ୩ଟି ବିମାନ ଆଜି ଅଧିକ ଭାରତୀୟମାନଙ୍କୁ ନେଇ ସ୍ୱଦେଶ ଫେରୁଛି। ବେସାମରିକ ବିମାନଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇଛି। ୭୪୦୦ରୁ ଅଧିକ ଭାରତୀୟ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଫେରିବେ। ଆସନ୍ତାକାଲି ୩୫୦୦ ଭାରତୀୟ ଏବଂ ମାର୍ଚ୍ଚ ୫ ତାରିଖରେ ୩୯୦୦ ଭାରତୀୟ ସ୍ୱଦେଶ ଫେରିବେ ଆଶା କରାଯାଉଛି।

Related posts