ନକଲି ୱେବସାଇଟ୍‌ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଲା ଶିକ୍ଷା ମନ୍ତ୍ରଣାଳୟ, ସତର୍କ ରହିବାକୁ ଦେଲା ପରାମର୍ଶ

Published: Mar 7, 2022, 7:58 pm IST

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସହ ମେଳ ଖାଉଥିବା କେତେକ ୱେବସାଇଟ୍‌ (ଯେପରିକି  www.sarvashiksha.onlinehttps://samagra.shikshaabhiyan.co.inhttps://shikshaabhiyan.org.in) ଜରିଆରେ ନିରୀହ ଆବେଦନକାରୀମାନଙ୍କୁ ଠକିବା ଲାଗି ଉଦ୍ୟମ କରାଯାଉଥିବା ମନ୍ତ୍ରଣାଳୟର ଦୃଷ୍ଟିଗୋଚର ହୋଇଛି।

ଆଶାୟୀ ପ୍ରାର୍ଥୀମାନଙ୍କୁ ଏସବୁ ୱେବସାଇଟ୍‌ ଜରିଆରେ ନିଯୁକ୍ତି ସୁଯୋଗର ପ୍ରଲୋଭନ ଦିଆଯାଉଛି। ୱେବସାଇଟ୍‌ର ଲେ ଆଉଟ୍‌, ବିଷୟବସ୍ତୁ ଏବଂ ଉପସ୍ଥାପନା ମୂଳ ୱେବସାଇଟ୍‌ ଭଳି ହୋଇଥିବାରୁ ଚାକିରି ଆଶାୟୀମାନେ ଠକାମିର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏସବୁ ୱେବସାଇଟ୍‌ ଜରିଆରେ ପ୍ରାର୍ଥୀମାନଙ୍କ ଠାରୁ ଆବେଦନ ଲାଗି ଅର୍ଥ ମଧ୍ୟ ଆଦାୟ କରାଯାଉଥିବାର ଜଣାପଡ଼ିଛି। ଉପରୋକ୍ତ ୱେବସାଇଟ୍‌ଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଓ ସାକ୍ଷରତା ବିଭାଗର ଦୃଷ୍ଟିକୁ ଆସିଥିବା ବେଳେ ଏପରି ଆହୁରି କିଛି ୱେବସାଇଟ୍‌/ସୋସିଆଲ ମିଡିଆ ଆକାଉଣ୍ଟ ଥାଇପାରେ ଯାହା ମାଧ୍ୟମରେ ଚାକିରି ପ୍ରତିଶ୍ରୁତି ଦିଆଯାଇ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ଅର୍ଥ ଦାବି କରାଯାଉଥିବ।

ଏତଦ୍‌ ଦ୍ୱାରା ଜନସାଧାରଣଙ୍କ ଅବଗତି ନିମନ୍ତେ ପରାମର୍ଶ ଦିଆଯାଉଛି ଯେ, ଚାକିରି ପାଇଁ ଆବେଦନ କରିବା ସମୟରେ ଏପରି ୱେବସାଇଟ୍‌ ଠାରୁ ସତର୍କ ରହିବା ଆବଶ୍ୟକ। ଜନସାଧାରଣ କୌଣସି ୱେବସାଇଟରେ ଅବେଦନ କରିବା ପୂର୍ବରୁ ନିଜର ହିତ ରକ୍ଷା ନିମନ୍ତେ ସେହି ୱେବସାଇଟ୍‌ ଅସଲି କି ନୁହେଁ ସେ ସମ୍ପର୍କରେ ସମ୍ପୃକ୍ତ ବିଭାଗ ଠାରୁ ବ୍ୟକ୍ତିଗତ ଅନୁସନ୍ଧାନ, ଟେଲିଫୋନ୍‌ କଲ, ଇ-ମେଲ୍‌ ଜରିଆରେ ସୁନିଶ୍ଚିତ କରିବା ଆବଶ୍ୟକ। ଯେଉଁ ଲୋକମାନେ ଏସବୁ ୱେବସାଇଟ୍‌ରେ ଆବେଦନ କରିବେ ସେମାନେ କୌଣସି ପ୍ରକାର ଠକାମିର ଶିକାର ହେଲେ ଏଥିପାଇଁ କେବଳ ସେହିମାନେ ହିଁ ଦାୟୀ ରହିବେ।

Related posts