
ଭୁବନେଶ୍ବର: ବାଣପୁର ବ୍ଲକରେ ଲୋକଙ୍କ ଉପରକୁ ଚିଲିକା ବିଧାୟକ ଗାଡି ଚଢାଇବା ଘଟଣା ଉପରେ ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର ଏହି ଘଟଣାକୁ କଡା ନିନ୍ଦା କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଗଣତନ୍ତ୍ରରେ ଏଭଳି ହିଂସାତ୍ମକ କାର୍ଯ୍ୟ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଦେବୀ ମିଶ୍ର କହିଛନ୍ତି। ବିଧାୟକ ହୁଅନ୍ତୁ ଅବା ସାଧାରଣ ଲୋକ ଏଭଳି କାର୍ଯ୍ୟ ସ୍ପୃହଣୀୟ ନୁହେଁ। ଏହି ଘଟଣା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଆଜି ବାଣପୁରରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ହଜାର ହଜାର ଲୋକ ବ୍ଲକ ପରିସରରେ ଉପସ୍ଥିତ ଥିଲେ। ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭିଡ ଭିତରେ ଗାଡି ଭର୍ତ୍ତି କରିବା ପାଇଁ ଚେଷ୍ଟା କରୁଥିଲେ। ଉପସ୍ଥିତ ବିଜେପି କର୍ମୀ ଏହାକୁ ବିରୋଧ କରିବାରୁ ଲୋକଙ୍କ ଉପରକୁ ବିଧାୟକ ବଳପୂର୍ବକ ଗାଡି ଚଢାଇଦେଇଥିଲେ। ଯେଉଁଥିରେ ପୋଲିସ କର୍ମୀଙ୍କସମେତ ୨୦ ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ। ସେଥିରେ ୩ ଜଣ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ବାଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଶ୍ରୀ ସାହୁଙ୍କ ଗୋଡ ଭାଙ୍ଗିଯାଇଥିବା କୁହାଯାଉଛି।
ସେହିଭଳି ଏହି ଘଟଣାରେ ସମୀକ୍ଷା ନିୟୁଜ ପ୍ରତିନିଧି ସୀତାରାମ ଅଗ୍ରୱାଲ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେ ବାଣପୁର ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି।
ଅପରପକ୍ଷେ ବିଧାୟକଙ୍କ ଏଭଳି ଘଟଣାକୁ ବିରୋଧ କରି ଉତ୍ୟକ୍ତ ଲୋକେ ତାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇଥିଲେ। ତାଙ୍କୁ ଭୁବନେଶ୍ଵର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ବର୍ତ୍ତମାନ ସେଠାରେ ଚାପା ଉତ୍ତେଜନା ଦେଖାଯାଇଛି।
ତେବେ ଉଭୟ ବିରୋଧୀ ଦଳ ମଧ୍ୟ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି। କଂଗ୍ରେସ ପକ୍ଷରୁ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଛି। ବିଧାୟକଙ୍କ ସ୍ଥାନ ଜେଲରେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।