ସର୍ବଭାରତୀୟ ଉଠାଦୋକାନୀ ସମ୍ମିଳନୀରେ ଓଡ଼ିଶାରୁ ଯୋଗ ଦେଲେ ପ୍ରତାପ ସାହୁ

Published: Mar 13, 2022, 9:43 pm IST

ଭୁବନେଶ୍ୱର: ଗତ ୧୧ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଗୁଜୁରାଟ ପର୍ଯ୍ୟଟନ ବିଭାଗ ଅଧିନସ୍ଥ ନାରାୟଣ ସରୋବର କଚ୍‌ଠାରେ ଚାଲିଥିବା ଜାତୀୟ ଉଠାଦୋକାନୀ ସମ୍ମିଳନୀରେ ଓଡ଼ିଶାରୁ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁ, ଜୟନ୍ତ ଦାସଙ୍କ ସମେତ ଅନୁଜ ପ୍ରଧାନ, ଅନୁ ମିଶ୍ର, ଅଳକାନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ସର୍ବ ଭାରତୀୟ ଉଠାଦୋକାନୀ ମହାସଂଘର ସଭାପତି କୋଲିନ୍ ଗୋନ୍‌ସାଲ୍ ଭେସ୍ ଯୋଗ ଦେଇ ଉଦ୍‌ଘାଟନ କରି କହିଲେ ଯେ, ସୁପ୍ରିମ କୋର୍ଟ ବହୁ ରାଜ୍ୟକୁ ଉଠାଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏଥିସହିତ ସୋଧନ ସିଂ ମାମଲା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସର୍ବ ଭାରତୀୟ ଉଠାଦୋକାନୀ ମହାସଂଘ ସାଧାରଣ ସମ୍ପାଦକ ଶକ୍ତିମାନ ଘୋଷ ପରିଚାଳନା କରି ଉଠାଦୋକାନୀ ଆଇନ ୨୦୧୪ ସାରା ଦେଶରେ ଲାଗୁ କରିବା, ପ୍ରଧାନମନ୍ତ୍ରୀ ସ୍ୱରୋଜଗାର ଯୋଜନା, ଦେଶରେ ଉଠାଦୋକାନୀମାନଙ୍କ ସମସ୍ୟା, ଟାଉନ ଭେଣ୍ଡିଂ କମିଟି ସମସ୍ୟା, ମାନ୍ୟବର ସୁପ୍ରମିକୋର୍ଟ ଓ ପ୍ରତ୍ୟେକ ରାଜ୍ୟର ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କିଭଳି ଭାବରେ କାର୍ଯ୍ୟକାରୀ କରାଯିବ, ନୂତନ ଭେଣ୍ଡିଂଜୋନ ପ୍ରତିଷ୍ଠା କରାଯାଇ ପାରିବ, ଉଠାଦୋକାନୀମାନଙ୍କ ସାମାଜିକ ସୁରକ୍ଷା, ଦୋକାନ ଇନସ୍ୟୁରାନ୍ସ, ପେନସନ ଯୋଜନା, ପରିବାର ପେନସନ ଯୋଜନା, ଦୋକାନୀମାନଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିପାରିବ, ସେ ଦିଗରେ ବହୁ ଆଲୋଚନା କରିଥିଲେ। ଏତଦ୍‌ବ୍ୟତୀତ ସମ୍ବିଧାନର ଧାରା ୧୯ (୧) (ଛ)କୁ ପ୍ରତ୍ୟେକ ରାଜ୍ୟ କାର୍ଯ୍ୟକାରୀ କରି ଉଠାଦୋକାନୀ ଆଇନରେ ଥିବା ୨.୫ ଜମି ପ୍ରତ୍ୟେକ ଫୁଟପାଥକୁ ପ୍ରଦାନ କରିବା ପାଇଁ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଇ.ଜି.ଏସ୍‌.ଏସ୍‌.ର ଅର୍ବାନ ଟିମ୍ ଲିଡ଼ର ଅରବିନ୍ଦ ଉନେ ଯୋଗଦେଇ କହିଲେ ଯେ, ଉଠାଦୋକାନୀମାନଙ୍କ ପାଇଁ ମାଷ୍ଟର ପ୍ଲାନ, ସିଟି ପ୍ଲାନ ଓ ଲୋକାଲ ପ୍ଲାନରେ ଉଠାଦୋକାନୀଙ୍କ ପାଇଁ ୨.୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବା ଦରକାର। ପ୍ଲାଷ୍ଟିକ ବୋତଲ, ବର୍ଜ୍ୟବସ୍ତୁ, ପରିବେଶ ପ୍ରଦୂଷଣ ଉପରେମ ମଧ୍ୟ ଆଲୋକପାତ କରିଥିଲେ।

ଏହି ସର୍ବଭାରତୀୟ ସମ୍ମିଳନୀରେ ୨୮ଟି ରାଜ୍ୟରୁ ପାଖାପାଖି ୨୦୦ ପ୍ରତିନିଧି ଯୋଗ ଦେଇଥିଲେ। ସଂଗଠନର କାର୍ଯ୍ୟକାରୀ ସଭାପତି ଅଲ୍ଲି ବକ୍ରି, ମହିଳା ସଭାନେତ୍ରୀ ଅନିତା ଦାସ, ଜମୁ ଆନନ୍ଦ, ସୁପ୍ରିମକୋର୍ଟର ଆଇନଜୀବୀ କମେଲ୍‌ସ ମିଶ୍ର, ବିହାରର ଅମ୍ରିତ ପ୍ରସାଦ, ଉତ୍ତର ପ୍ରଦେଶର ରବି ଶଙ୍କର ଦ୍ୱିବେଦୀ, ଗୁଜୁରାଟର ଅସିମ ମିଶ୍ର, ଦିଲ୍ଲୀର ମହିତ ଭାଲ୍‌ଚା, ସନ୍ଦିପ ବର୍ମା, ଅମ୍ରିତା ଠାକୁର-ଜାଗୋରୀ, ବନିତା ବାଲକୁନ୍ଦେ, ଖେତ୍ୟାଜି, ସର୍ବେଶ୍ୱର ମିଶ୍ର ଓ ସୁବାସ ଚନ୍ଦ୍ର ଫାର୍ଗରଙ୍କ ସମେତ ବହୁ ରାଜ୍ୟର ସରକାରୀ ପ୍ରତିନିଧି ଯୋଗ ଦେଇଥିଲେ।

Related posts