
ରାଜ୍ୟରେ ପର୍ଯ୍ୟାୟକ୍ରମେ ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ମତଦାନ ଠିକ ଭାବେ ହୋଇପାରିନଥିଲା। ତେଣୁ ସାନି ନିର୍ବାଚନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ପର୍ଯ୍ୟାୟକ୍ରମେ ମତଦାନ ଚାଲିଛି। ବର୍ତ୍ତମାନ ଯାଏଁ ତିନୋଟି ପର୍ଯ୍ୟାୟ ଶେଷ ହୋଇ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ବାକି ରହିଛି। କିନ୍ତୁ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଫଳରେ କେତେକ ସ୍ଥାନରେ ମତଦାନ ହୋଇପାରି ନାହିଁ। ତେଣୁ ୧୦ ଟି ବୁଥରେ ସାନି ନିର୍ବାଚନ ପାଇଁ ଏପ୍ରିଲ ୨୪ରେ ନିବାଚନ ଆୟୋଗଙ୍କ ପାଖକୁ ପ୍ରସ୍ତାବ ପଠାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି। ସେହିପରି ପୁରୀ ବ୍ରହ୍ମଗିରିରେ କଣ୍ଟ୍ରୋଲ ୟୁନିଟ ହଜିବା ଘଟଣାରେ ସେ କହିଛନ୍ତି ଯେ ସେଠାରେ ୧୨ଟି ଷ୍ଟ୍ରଙ୍ଗରୁମ ରହିଛି। କେଉଁଠାରେ କିଏ ଭୁଲରେ କଣ୍ଟ୍ରୋଲ ୟୁନିଟ ରଖିଦେଇଥିବ। ଯେଉଁ ବୁଥରେ ସାନି ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି ସେଗୁଡ଼ିକ ହେଲା, ବ୍ରହ୍ମଗିରି ବିଧାନସଭାର ୬୨ ନଂ ବୁଥ୍ , ବଡ଼ମ୍ବାର ବୁଥ ନଂ ୧୯୬ , ବୁଥ ନଂ ୧୮୩, ବୁଥ ତାମଶାସନର ବୁଥ୍ ନଂ ୨୨୨, ବ୍ରହ୍ମଗିରିର ବୁଥ୍ ନଂ ୧୦୮ ସମେତ ଆଠଗଡ଼ର ଚାରୋଟି ବୁଥ ଦେବଗଡ଼, ସତ୍ୟବାଦୀ , ତାଳଚେରର ଗୋଟିଏ ଗୋଟିଏ ବୁଥରେ ସାନି ମତଦାନ ପାଇଁ ସୁପାରିଶ କରାଯାଇଛି। ଇଭିଏମ୍କୁ ହ୍ୟାକ କରିବା ଅସମ୍ଭବ ବୋଲି ମଧ୍ୟ ନିର୍ବାଚନ କମିଶନ କହିଛନ୍ତି।