ଖୋର୍ଦ୍ଧା ଜିଲ୍ଲାକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ଅଭିଯାନ ଉଦ୍‌ଘାଟିତ

Published: Apr 5, 2022, 7:02 pm IST

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ଅଭିଯାନକୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମରେ ଏକ ବୃକ୍ଷରୋପଣ କରିବା ସହିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏହି ସମ୍ପର୍କିତ ଲୋଗୋକୁ ଉନ୍ମୋଚନ କରି ଉଦ୍‌ଘାଟନ କରିଛନ୍ତି। ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ନାମରେ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପରିବେଶବିତ୍ ଡଃ ଭଗବାନ ପ୍ରକାଶ ଜୟୀରାଜ ଗୁରୁଙ୍କ ନାମରେ, ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ଦଳବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ ନାମରେ, ବିଶିଷ୍ଟ ଶିକ୍ଷାବିତ୍ ତଥା ମହାବୀର ଗ୍ରୁପ୍ ଅଫ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ଗନ୍ଧର୍ବ ଚନ୍ଦ୍ର ନାୟକ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ନାମରେ, ପ୍ରେରଣାର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କୃତିବାସ ପାଟ୍ଟଶାଣୀଙ୍କ ନାମରେ, ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି ଓ ସିଗ୍‌ମା ପବ୍ଲିକ ସ୍କୁଲ୍ ଗ୍ରୀନ୍ ଆର୍ମି ଶାଖାର ଛାତଛାତ୍ରୀମାନେ ମହାପୁରୁଷମାନଙ୍କ ନାମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୃକ୍ଷରୋପଣ କରିଥିଲେ।

ଏହା ପରେ ଏକ ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ତଥା ବୃକ୍ଷରୋପଣ କରିବା ସମ୍ପର୍କରେ ନାରା ଦେଇ ପହଞ୍ôଚବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ଅଭିଯାନର ଲୋଗୋକୁ ଉନ୍ମୋଚନ କରି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ, ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମ୍ପୃକ୍ତ ଥିବାରୁ ଏହାର ଜନସଂଖ୍ୟା, କଳକାରଖାନା, ମଟରଗାଡ଼ି ଆଦି ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ସେହି ଅନୁପାତରେ ବ୍ୟାପକ ବୃକ୍ଷରୋପଣ କରାନଗଲେ ଜିଲ୍ଲାର ସବୁଜିମା ତଥା ପରିବେଶ ସୁରକ୍ଷା ହୋଇପାରିବ ନାହିଁ। ଏଥିପାଇଁ ସେ ନିଜ ଛାତ୍ର ଜୀବନରୁ ନିଜ ଗାଁରେ ସବୁଜ କ୍ଲବ ଗଠନ କରି କିପରି ବୃକ୍ଷରୋପଣ ମହାପୁରୁଷ ମାନଙ୍କ ନାମରେ କରୁଥିଲେ ତାହାର ଉଦାହରଣ ଦେବା ସହିତ ଜିଲ୍ଲାର ସମସ୍ତ ସ୍କୁଲ୍‌, କଲେଜ, ମହିଳା ସମିତି, କ୍ଲବ, ସାମାଜିକ ଅନୁଷ୍ଠାନ ତଥା ସାଧାରଣ ଜନତା ଏହି ମହାନ୍ ଅଭିଯାନରେ ସାମିଲ୍ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଏଥିରେ ପ୍ରେରଣାର ଅଧ୍ୟକ୍ଷ ଡଃ ଶ୍ରୀଚନ୍ଦନ ବକ୍ତବ୍ୟ ପ୍ରଦାନ କରି କହିଲେ, ଖୋର୍ଦ୍ଧା ଜିଲ୍ଲାର ସମସ୍ତବର୍ଗର ଜନସାଧାରଣ ତଥା ବିଭିନ୍ନ ସାମାଜିକ ତଥା ସାଂସ୍କୃତି ଅନୁଷ୍ଠାନର ଏହି ଅଭିଯାନକୁ ସଫଳ କରିବା ପାଇଁ ସହଯୋଗ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡଃ ଭଗବାନ ପ୍ରକାଶ, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାହି, ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର, ଶିକ୍ଷାବିତ୍ ଡଃ ଗନ୍ଧର୍ବ ନାୟକ, ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଏହାକୁ ଏକ ଗଣଆନ୍ଦୋଳନରେ ପରିଣତ କରିବାକୁ ପ୍ରସ୍ତାବ ଦେଇଥିଲେ।

ଏହି ଅବସରରେ ଡଃ ଗନ୍ଧର୍ବ ନାୟକଙ୍କୁ ସବୁଜ ସଂଗ୍ରାମୀ ସମ୍ମାନ, ଡଃ ଶ୍ରୀନିବାସ ଘଟୁଆରୀଙ୍କୁ ଗ୍ରୀନ୍ ଆର୍ମି କମାଣ୍ଡାଣ୍ଟ, ସିଗ୍‌ମା ପବ୍ଲିକ ସ୍କୁଲ୍‌କୁ ଶ୍ରେଷ୍ଠ ଗ୍ରୀନ୍ ଆର୍ମି ସ୍କୁଲ୍‌, ଆସ୍‌ମା ସାମାଜିକ ଅନୁଷ୍ଠାନକୁ ସବୁଜ କ୍ଲବ ସମ୍ମାନ, ଇଦ୍‌ରିସ୍ ଖାନ ଓ ଦେବାଶିଷ ମହାନ୍ତିଙ୍କୁ ଗ୍ରୀନ ଆର୍ମି କମାଣ୍ଡାଣ୍ଟ ସମ୍ମାନ, ଖୋର୍ଦ୍ଧା ବିକାଶ ମଞ୍ଚର ନାରୀ ସମାଜସେବିକା ମାନଙ୍କୁ ଗ୍ରୀନ୍ କ୍ୟାପଟେନ ସମ୍ମାନ ତଥା ମହାବୀର ଗ୍ରୁପ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅଜୟ ସ୍ୱାଇଁଙ୍କୁ ବୃକ୍ଷପ୍ରେମୀ ଭାବେ ସମ୍ମାନିତ କରାଯାଇଥିଲା।

Related posts