ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଗବେଷଣା ବୃତ୍ତି

Published: Apr 9, 2022, 11:44 am IST

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଥେସିସ ବୃତ୍ତି ପ୍ରଦାନ କରାଯାଇଛି। ଜାନୁଆରୀ ୨୦୨୨ ଅଧିବେଶନ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରାୟ ୫୦ ଜଣ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱରର ୯ ଛାତ୍ରଛାତ୍ରୀ ଏହି ମର୍ଯ୍ୟାଦାଜନକ ବୃତ୍ତି ପାଇ ଜାତୀୟ ସ୍ତରରେ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି।

ଅସ୍ଥିଶଲ୍ୟ ବିଭାଗରୁ ଡ. ରାଘବେନ୍ଦ୍ର ଭି ବାଲାଗୋଡ଼, ମାଇକ୍ରୋବାୟୋଲୋଜିରୁ ଡ. ପ୍ରୀତିକା ଗେହଲୋଟ, ବାୟୋକେମିଷ୍ଟ୍ରି ବିଭାଗର ଡ. ସୁନକୋଜି ଶ୍ରୁଜନ, ଅଞ୍ଜୁ ଅଶୋକ ଏ କେ, ଭାରତ କୁମାର କୋପିସେଟ୍ଟି ଏବଂ ଡ. ଆଲିଆ ତହସିନ, ସିଏମଏଫଏମରୁ ଡ. ଶ୍ରୀଜାନି ମଣ୍ଡଳ, ଫାର୍ମାକୋଲୋଜି ବିଭାଗର ଡ. ଗୋବିନ୍ଦ ମିଶ୍ର ଏବଂ ଡ. ଶମ୍ପା ମାଜି ପ୍ରମୁଖଙ୍କୁ ଏହି ସମ୍ମାନଜନକ ଗବେଷଣା ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏମ୍ସ ଭୁବନେଶ୍ୱରର ଡ. ସୁଜିତ କୁମାର ତ୍ରିପାଠୀ, ଡ. ବିନୟ କୁମାର ହାଲୁର, ଡ. ସୁଚନ୍ଦ ସାହୁ, ଡ. ଗୌତମ କୁମାର ସାହାରିଆ, ଡ. ପ୍ରକୃତି ଦାଶ, ଡ. ସୁଚିତ୍ରା କୁମାରୀ, ଡ. ପ୍ରିୟମାଧବ ବେହେରା, ଡ. ଦେବାଶିଷ ହୋତା ଏବଂ ଡ. ରିତୁପର୍ନ ମାଇତି ପ୍ରମୁଖ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଗାଇଡ ଥିଲେ।

ଉଲ୍ଲେଖଯୋଗ୍ୟଯେ ପ୍ରତି ୬ ମାସରେ ୪୫ ମେଡିକାଲ ଏବଂ ୫-୬ ଡେଣ୍ଟାଲ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଏହି ଗବେଷଣା ବୃତ୍ତି ପ୍ରଦାନ କରାଯାଇଥାଏ। ଦେଶର ବିଭିନ୍ନ ମେଡିକାଲ କଲେଜରୁ ହଜାର ହଜାର ଛାତ୍ରଛାତ୍ରୀ ଏନେଇ ଆବେଦନ କରିଥାଆନ୍ତି।

ଏହି ଅବସରରେ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ, ମେଡିକାଲ ଅଧୀକ୍ଷକ ଡକ୍ଟର ଏସ ଏନ ମହାନ୍ତି ଏବଂ ଅନ୍ୟମାନେ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଗାଇଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related posts