ଗୁଜୁରାଟରୁ କଂଗ୍ରେସ ବିଧାୟକ ଜିଗ୍ନେଶ ମେବାଣୀଙ୍କୁ ଗିରଫ କଲା ଆସାମ ପୋଲିସ

Published: Apr 21, 2022, 11:30 am IST

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେବାଣୀଙ୍କୁ ଆସାମ ପୋଲିସ ଗିରଫ କରିଛି। ଗୁଜୁରାଟର ପାଲନପୁର ସର୍କିଟ ହାଉସରୁ ଜିଗ୍ନେଶଙ୍କୁ ଗିରଫ କରାଯାଇଛି। ଆସାମରେ ହୋଇଥିବା ଏକ ମାମଲାରେ ଜିଗ୍ନେଶ ମେବାଣୀଙ୍କୁ ଗିରଫ କରାଯାଇଥିବା କୁହାଯାଉଛି। ପୋଲିସ ପ୍ରଥମେ ଜିଗ୍ନେଶ ମେବାଣୀଙ୍କୁଙ୍କୁ ଅହମ୍ମଦାବାଦକୁ ନେଇଛି। ସେଠାରୁ ତାଙ୍କୁ ଆସାମକୁ ନିଆଯାଉଛି। ଜିଗ୍ନେଶ ଗୁଜୁରାଟର ବଡଗାମ ବିଧାନସଭା ଆସନରୁ ଜଣେ ବିଧାୟକ।

ସୂଚନା ଅନୁଯାୟୀ ବୁଧବାର ରାତିରେ ତାଙ୍କୁ ପାଲନପୁର ସର୍କିଟ ହାଉସରୁ ଗିରଫ କରାଯାଇଥିଲା। ସୂଚନା ଅନୁଯାୟୀ, ମେବାଣୀଙ୍କ ଟିମ ସହ ଜଡିତ ଜଣେ କର୍ମଚାରୀ କହିଛନ୍ତି ଯେ, ପୋଲିସ ଏଫଆଇଆର କପି ସେୟାର କରି ନାହିଁ। ଆସାମରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା କେତେକ ମାମଲା ବିଷୟରେ ସୂଚନା ଦିଆଯାଇଛି।

ସେପଟେ ଜିଗ୍ନେଶ ମେବାଣୀ କହିଛନ୍ତି ଯେ, ମୋର ଗୋଟିଏ ଟ୍ୱିଟ୍ ସଂପର୍କରେ ମୋତେ ଗିରଫ କରାଯାଇଛି। ତେବେ ପୋଲିସ ମୋତେ କୌଣସି ସଠିକ୍ ସୂଚନା ଦେଇ ନାହିଁ। ମେବାଣୀ କହିଛନ୍ତି ଯେ, ମୁଁ କୌଣସି ମିଥ୍ୟା ଅଭିଯୋଗକୁ ଭୟ କରେ ନାହିଁ। ମୁଁ ମୋର ସଂଗ୍ରାମ ଜାରି ରଖିବି।

ମଧ୍ୟରାତ୍ରିରେ ମେବାଣୀଙ୍କ ସମର୍ଥନରେ କଂଗ୍ରେସ ନେତାମାନେ ରାସ୍ତାକୁ ଓହ୍ଲାଇଥିଲେ। କଂଗ୍ରେସ ରାଜ୍ୟ ସଭାପତି ଜଗଦୀଶ ଠାକୁରଙ୍କ ସମେତ ବିଧାୟକମାନେ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ସେମାନେ ଜିଗ୍ନେଶଙ୍କ ସମର୍ଥନରେ ଏବଂ ଆସାମ ପୋଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ।

Related posts