ବସୁନ୍ଧରା ଯୋଜନା ଏକ ପ୍ରହସନ!: ଡଇଁଚାରେ ଓଭର୍ ହେଡ୍ ପାଣି ଟାଙ୍କିରୁ ପାଣି ମିଳିବ କେବେ?

Published: Apr 26, 2022, 2:12 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ଗ୍ରାମାଂଚଳରେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇବା ପାଇଁ ଓଭର୍ ହେଡ୍ ପାଣି ଟାଙ୍କି ତିଆରି କରି ସେଥିରୁ ଲୋକମାନଙ୍କୁ ପାଣିଯୋଗାଇବା ପାଇଁ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଗ୍ରାମ୍ୟଜଳଯୋଗାଣ ବିଭାଗର ଅଧିକାରୀ ମାନଙ୍କର ଉଦାସିନତା ତଥା ମନମୁଖି କାର୍ଯ୍ୟଯୋଗୁଁ ଗ୍ରାମାଂଚଳରେ ଲୋକମାନେ ପାଣି ମୁନ୍ଦାଏ ପାଇବାରୁ ବଂଚିତ ହେଉଛନ୍ତି।

ସେମିତି ଏକ ଗାଁ ରହିଛି ଯାହାକି ପାଣି ଟାଙ୍କି ଥାଇବି ଲୋକମାନେ ମୁନ୍ଦାଏ ପାଣି ପାଇବାରୁ ବଂଚିତ ହେଉଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ସରକାରଙ୍କ ବସୁନ୍ଧରା ଯୋଜନାରେ ନିକଟସ୍ଥ ହାଟପଦା ଠାରେ ଏକ ଓଭର୍ ହେଡ଼୍ ଟାଙ୍କି ବିଗତ ୪ ବର୍ଷ ହେଲା ତିଆରି ହୋଇରହିଛି। ୪ ବର୍ଷ ହେଲା ଟାଙ୍କିକୁ ପାଣି ଉଠା ଯାଇ ଲୋକମାନଙ୍କ ପାଖରେ ପହଂଚି ପାରିଲା ନାହିଁ।

ବିଶ୍ବସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି ଯେ, ଓଭର ହେଡ଼୍ ଟାଙ୍କିକୁ ପାଣି ଉଠାଗଲେ ଟାଙ୍କିଟି ଭୁଶୁଡ଼ି ଯିବାର ସଂଭାବନା ଥିବାରୁ ବିଭାଗର ସମ୍ପୃକ୍ତ ଜେ.ଇ ପାଣି ଚଢ଼ାଉ ନାହାନ୍ତି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ଓଭର ହେଡ ଟାଙ୍କି ସରକାରଙ୍କ ବସୁନ୍ଧରା ଯୋଜନାରେ ତିଆରି ହୋଇଛି।

ଡଇଁଚା ଗ୍ରାମର ତାଟକା ପଶି, ଉପରସାହି, ପଧାନସାହି ଆଦିରେ ଆବଶ୍ୟକ କୂପ ନ ଥିବାରୁ ଲୋକମାନେ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି। ମୋଟର ସରୁ ପାଇପ୍ ସାହାଯ୍ୟରେ ଯାହା ବି ପାଣି ଆସୁଚି ଅଧ ବାଟରେ କେତେ ଜଣ ବ୍ୟକ୍ତି ଟୁଲୁ ମୋଟର ଲଗାଇ ପାଣି ଟାଣି ନେଉଥିବାର ଅଭିଯୋଗ ହେଉଛି। ମାତ୍ର ୪ରୁ ୫ ଘର ପାଣି ପାଉଛନ୍ତି। ବାକି ଲୋକ ପାଣି ଚୋରି ହେଉଥିବାରୁ ପାଇପାରୁ ନାହାନ୍ତି।

କେତେଜଣ ଗ୍ରାହକ ମନଇଛା ବଡ ବଡ ହୋଲ୍ କରି ପାଇପ୍ ସଂଯୋଗ କରି ପାଣି ନେଉଥିବାରୁ ସବୁ ଆଡ଼େ ପାଣି ପହଂଚି ପାରୁନାହିଁ। ଏପରିକି କୂପରେ ପାଇପ୍ ଦ୍ବାରା ପାଣି ପକାଯାଉଛି। ଏ ପାଣି ଚୋରୀ ସଂପର୍କରେ ବିଭାଗୀୟ ଅଧିକାରୀ କିଛି ମୋଟା ଅଙ୍କର ଫାଇଦା ପାଇ ନିରବ ଦ୍ରଷ୍ଟା ସାଜିଛନ୍ତି। ଶିଘ୍ର ଏହାର ସମାଧାନ କରି ଲୋକଙ୍କୁ ପାଣି ଯୋଗାଇଦେବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Related posts