ତ୍ରିପୁରାରେ ବଡ ପରିବର୍ତ୍ତନ: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ

Published: May 14, 2022, 7:12 pm IST

ନୂଆଦିଲ୍ଲୀ: ତ୍ରିପୁରାରେ ଏକ ବଡ ପରିବର୍ତ୍ତନ ଦେଖାଯାଉଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିପ୍ଲବ୍ ଦେବଙ୍କୁ ବିଜେପି ହଟାଇବା ପାଇଁ ନିଷ୍ପତ୍ତି ନେଇଛି। ଏହା ପରେ ବିପ୍ଲବ ଦେବ ମଧ୍ୟ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ଥାନରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଯେଉଁଥିରେ ତାଙ୍କୁ ହଟାଇବା ଲାଗି ବିଜେପି ନିଷ୍ପତ୍ତି ନେଇଥିଲା।

ଇସ୍ତଫା ଦେବା ପରେ ବିପ୍ଲବ ଦେବ କହିଛନ୍ତି ଯେ, ମୋ ପାଇଁ ଶୀର୍ଷରେ ପାର୍ଟି। ସଂଗଠନର ସ୍ୱାର୍ଥରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ଦଳ ଯାହା ବି ଦାୟିତ୍ଵ ଦେବ, ମୁଁ ତାହା ପୂରଣ କରିବି। ଏହି ସମୟରେ ସେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଦଳର ଶୀର୍ଷ ନେତୃତ୍ୱ କହିବା ପରେ ସେ ଇସ୍ତଫା ଦେଇଛନ୍ତି ବୋଲି ବିପ୍ଲବ କହିଛନ୍ତି। ତେବେ ସେ ନୂତନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ କୌଣସି ଉତ୍ତର ଦେଇ ନାହାଁନ୍ତି।

ଏହାପରେ ଆଜି ଅପରାହ୍ନ ୫ ଟାରେ ବିଜେପି ବିଧାନସଭା ଦଳର ଏକ ବୈଠକ ଡାକିଛି। ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ପାର୍ଟି ଜେନେରାଲ ସେକ୍ ବିନୋଦ ତାୱଡେଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଉଭୟ ଅଗରତାଲାରେ ପହଞ୍ଚିଛନ୍ତି। ଏହି ବୈଠକରେ ଦଳ ଏକ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିପାରନ୍ତି।

Related posts