ଦୁର୍ନୀତି ଅଭିଯୋଗରେ ଲାଲୁ ଯାଦବଙ୍କ ୧୭ ଟି ସ୍ଥାନରେ ସିବିଆଇର ଚଢାଉ

Published: May 20, 2022, 10:45 am IST

ପାଟନା: ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଜାମିନରୁ ମୁକ୍ତ ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ଆହୁରି ବଢିପାରେ। ଆଉ ଏକ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କର ୧୭ ଟି ସ୍ଥାନ ଉପରେ ଚଢାଉ କରୁଛି। ସିବିଆଇ ଟିମ୍ ପାଟନାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଲାଲୁ ଯାଦବଙ୍କ ପତ୍ନୀ ରାବଡି ଦେବୀଙ୍କ ବାସଭବନରେ ମଧ୍ୟ ପହଞ୍ଚିଛି।

ଅଭିଯୋଗ ହୋଇଛି ଯେ, ଯେତେବେଳେ ଲାଲୁ ଯାଦବ ରେଳମନ୍ତ୍ରୀ ଥିଲେ, ସେତେବେଳେ ସେ ରେଳବାଇରେ ତାଙ୍କର ଅନେକ ପରିଚିତ ବ୍ୟକ୍ତିଙ୍କୁ ଚାକିରି ଦେଇଥିଲେ। ଏହାର ପ୍ରତିବଦଳରେ ତାଙ୍କ ପରିବାର ସଦସ୍ୟ ଶସ୍ତା ଦରରେ ଜମି ପାଇଥିଲେ। ସିବିଆଇ ସନ୍ଦେହ କରୁଛି ଯେ, ଏହି ମାମଲାରେ ଜମି କିଣିବା ବଦଳରେ ଟଙ୍କା ମଧ୍ୟ ଦିଆଯାଇ ନାହିଁ।

ସୂତ୍ରରୁ ପ୍ରକାଶ ଯେ, ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟରେ ଏକ କୋଟି ୨୦ ଲକ୍ଷ ଟଙ୍କା ଆସିଥିଲା। ଏହା ବ୍ୟତୀତ ଲାଲୁ ଯାଦବଙ୍କ ସମ୍ପର୍କୀୟମାନେ ଦିଲ୍ଲୀ, ପାଟନା ଏବଂ ଦାନାପୁର ସମେତ ଅନେକ ସ୍ଥାନରେ ଜମି ପାଇଥିଲେ। ସୂଚନାନୁସାରେ, ଦିଲ୍ଲୀ ଏବଂ ବିହାରର ପାଟନା ଏବଂ ଗୋପାଳଗଞ୍ଜର ୧୭ ଟି ସ୍ଥାନରେ ସିବିଆଇ ଟିମ୍ ଚଢାଉ କରୁଛି।

ଲାଲୁ ଯାଦବ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ତାଙ୍କ ଝିଅ ମିସା ଭାରତୀ ମଧ୍ୟ ଦିଲ୍ଲୀରେ ଅଛନ୍ତି। ରାବଡି ଦେବୀ ତାଙ୍କ ବାସଭବନରେ ଅଛନ୍ତି। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ରେଳମନ୍ତ୍ରୀ ଥିଲେ।

Related posts