ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ନାନୋ ୟୁରିଆ କାରଖାନାକୁ କରିବେ ଉଦଘାଟନ

Published: May 28, 2022, 6:39 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତ କରିବେ। ଆଜି ପୂର୍ବାହ୍ନ ପ୍ରାୟ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେ.ଡି.ପି. ମଲ୍ଟିସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ। ଏହାପରେ ଉକ୍ତ ସ୍ଥାନରେ ଏକ କାର୍ଯ୍ୟକ୍ରମରେ ସେ ଉଦବୋଧନ ଦେବେ। ପରେ ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କୁ ନେଇ ହେବାକୁ ଥିବା ଆଲୋଚନାଚକ୍ରରେ ସମ୍ବୋଧନ କରିବେ। ଏଠାରେ ସେ କଲୋଲର ଇଫକୋଠାରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦଘାଟନ କରିବେ।

ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ

ଗୁଜରାଟର ସମବାୟ କ୍ଷେତ୍ର ସମଗ୍ର ରାଷ୍ଟ୍ର ପାଇଁ ଏକ ରୋଲ ମଡେଲ ହୋଇପାରିଛି। ରାଜ୍ୟ ସମବାୟ କ୍ଷେତ୍ରରେ ୮୪,୦୦୦ରୁ ଅଧିକ ସମିତି ରହିଛି। ଏହି ସମିତିଗୁଡ଼ିକରେ ପ୍ରାୟ ୨୩୧ ଲକ୍ଷ ସଦସ୍ୟ ଯୋଡ଼ିହୋଇଛନ୍ତି। ରାଜ୍ୟରେ ସମବାୟ ବିପ୍ଳବକୁ ଆହୁରି ସୁଦୃଢ଼ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ, ଗାନ୍ଧିନଗରର ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ସମବାୟ ସଂସ୍ଥାରୁ ୭,୦୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ।

ଚାଷୀଙ୍କ ଉତ୍ପାଦକତା ଆହୁରି ବଢ଼ାଇବା ଏବଂ ସେମାନଙ୍କ ଆୟ ବୃଦ୍ଧି ନିମନ୍ତେ ଏକ ପଦକ୍ଷେପସ୍ୱରୂପ, ପ୍ରଧାନମନ୍ତ୍ରୀ କାଲୋଲର ଇଫକୋଠାରେ ପ୍ରାୟ ୧୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦଘାଟନ କରିବେ। ନାନୋ ୟୁରିଆର ଉପଯୋଗ ଦ୍ୱାରା ଯେମିତି ଅମଳ ବୃଦ୍ଧି ପାଇବ, ତାହାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ନାନୋ ସାର କାରଖାନା ସ୍ଥାପନ କରାଯାଇଛି। ଏହି କାରଖାନା ଦିନକୁ ୫୦୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧.୫ ଲକ୍ଷ ବୋତଲ ଉତ୍ପାଦନ କରିବ।

ରାଜକୋଟର ଆଟକୋଟରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମାତୁଶ୍ରୀ କେ.ଡି.ପି. ମଲ୍ଟିସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ, ଯାହା କି ଶ୍ରୀ ପଟେଲ ସେବା ସମାଜ ଦ୍ୱାରା ପରିଚାଳିତ ହେଉଛି। ଏହା ଉନ୍ନତ ମାନର ମେଡିକାଲ ଉପକରଣ ଉପଲବ୍ଧ କରାଇବ ଏବଂ ଉକ୍ତ ଅଞ୍ଚଳର ଲୋକଙ୍କ ପାଇଁ ବିଶ୍ୱଶ୍ରେଣୀୟ ଚିକିତ୍ସା ସୁବିଧା ଯୋଗାଇଦେବ। ଏହାପରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନିନ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ।

Related posts