ଭୁବନେଶ୍ବର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କେନ୍ଦୁଝର ଜିଲ୍ଲା ପରିଦର୍ଶନରେ ଯାଇ ଡି.ଏନ୍. ହାଇସ୍କୁଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ପ୍ରଧାନ ଶିକ୍ଷକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।
ଶିକ୍ଷାକ୍ଷେତ୍ରରେ କେନ୍ଦୁଝର ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ୫-‘ଟି’ ହାଇସ୍କୁଲଗୁଡ଼ିକର ରୂପାନ୍ତରୀକରଣ, ମଧ୍ୟାହ୍ନ ଭୋଜନ, ବୃତ୍ତିଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକ୍ଷମ, ମାଗଣା ପୁସ୍ତକ ଯୋଗାଣ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେଉଛନ୍ତି । ଏହା ଦ୍ୱାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଶିଷ ଥାକ୍ରେ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଜିଲ୍ଲାରେ ଶିକ୍ଷା କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇଥିଲେ।
ମନ୍ତ୍ରୀ ଶ୍ରୀ ଦାଶ କେନ୍ଦୁଝର ଜିଲ୍ଲାର ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ରାମଚନ୍ଦ୍ରପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗସ୍ତ କରି ସ୍କୁଲରେ ପାଠପଢ଼ା ଓ ବିଦ୍ୟାଳୟର ଆନୁଷଙ୍ଗିକ ଭିତ୍ତିଭୂମି ସଂପର୍କରେ ପଚାରି ବୁଝିଥିଲେ। ମନ୍ତ୍ରୀ ଶ୍ରୀ ଦାଶ ଛାତ୍ରଛାତ୍ରୀ ପରିବହନ କରୁଥିବା ସ୍କୁଲ ବସ୍କୁ ଯାଞ୍ଚ ମଧ୍ୟ କରିଥିଲେ।
ଏହି ସମୀକ୍ଷା ବୈଠକରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆର ବିଧାୟିକା ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଶ୍ରୀ ଭାଗୀରଥି ସେଠୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବୃନ୍ଦାବନ ଶତପଥୀ ସମେତ ଜିଲ୍ଲାର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।