Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଆମର ଲକ୍ଷ୍ୟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସମ୍ବଲପୁର ଜୋନର ୧୨ଟି ଜିଲ୍ଲାର ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଭବନ ଅଡିଟୋରିୟମ୍‌ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ହିଁ ଆମର ଲକ୍ଷ୍ୟ। ଚିରାଚରିତ କାର୍ଯ୍ୟପନ୍ଥାରୁ ବାହାରି ଆମକୁ ଶିକ୍ଷାକ୍ଷେତ୍ରରେ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ।

“୨୦୩୬ରେ ରାଜ୍ୟର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆମର ଲକ୍ଷ୍ୟ’’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି। ଡି.ଇ.ଓ ଏବଂ ବି.ଇ.ଓମାନେ ଏବଂ ସିଆର୍‌ସିସିମାନେ ବିଦ୍ୟାଳୟ ପର୍ଯ୍ୟବେକ୍ଷଣ କରିବା, ଛାତ୍ରମାନଙ୍କ ନାମଲେଖା, ଶତପ୍ରତିଶତ ପିଲା ଦଶମ ପରୀକ୍ଷା ଦେବା, ଡ୍ରପ୍‌ ଆଉଟ୍‌ କମାଇବା, ପିଲାମାନଙ୍କୁ ପୁନଃ ସ୍କୁଲକୁ ଫେରାଇ ଆଣିବା ଏବଂ ଛୁଟିରେ ଶିକ୍ଷକମାନେ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କ ପାଠ୍ୟକ୍ରମ ସଂପର୍କରେ ପଚାରି ବୁଝିବା ବାବଦରେ ମନ୍ତ୍ରୀ ଶ୍ରୀ ଦାଶ ଗୁରୁତ୍ୱ ପ୍ରଦାନ କରିଥିଲେ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଆଶ୍ୱଥୀ ଏସ୍‌. ଶିକ୍ଷାର ବିକାଶ ଏବଂ ବିଭାଗର ସମସ୍ତ ସ୍କିମ୍‌ ତଥା ଉଦ୍ୟମର ସଫଳ ରୂପାୟନ ନିମନ୍ତେ ଯଥାସାଧ୍ୟ ପ୍ରୟାସ କରିବାକୁ ଡି.ଇ.ଓ ଏବଂ ବି.ଇ.ଓମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର, ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସମ୍ବଲପୁର ଜୋନର ୧୨ଟି ଜିଲ୍ଲାରୁ ଆସିଥିବା ସମସ୍ତ ଡି.ଇ.ଓ ଏବଂ ବି.ଇ.ଓଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରସ୍ତୁତି କର୍ମଶାଳା

ଭୁବନେଶ୍ୱର: ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯାଇ ଶିକ୍ଷାଦାନ ଆରମ୍ଭ ପାଇଁ ଏକ ଦିନିକିଆ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟ କୃଷି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉପସ୍ଥିତ ଜିଲା ଶିକ୍ଷା ଅଧିକାରୀ /ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଏବେଠାରୁ ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଉନ୍ନୀତ ବିଦ୍ୟାଳୟ ଖୋଳାଯିବାରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କର ଗୁରୁଦାୟିତ୍ୱ ଉପରେ ଆଲୋଚନା କରିଥିଲେ।

ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ନିର୍ମାଣ ଓ ନିୟମିତ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହା ସମୟ ସାପେକ୍ଷ। ତେଣୁ ବର୍ତ୍ତମାନ ସ୍ଥିତିରେ ବିଦ୍ୟାଳୟରେ ଉପଲବ୍ଧ କୋଠରୀ ମଧ୍ୟରୁ ଏକାଦଶ ଶ୍ରେଣୀ ପାଇଁ ଶ୍ରେଣୀଗୃହ ଚିହ୍ନଟ କରି ପ୍ରସ୍ତୁତି, ଆବଶ୍ୟକ ସ୍ଥଳେ, ସକାଳୁଆ ଶିକ୍ଷାଦାନ ବ୍ୟବସ୍ଥା, ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା, ନାମଲେଖା ପାଇଁ ନିଜ ନିଜ ବିଦ୍ୟାଳୟ ସମେତ ସ୍ଥାନୀୟ ଅଂଚଳର ଉଚ୍ଚ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଟେବୁଲଚୌକି ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌. ଆୟାର ଆଲୋକପାତ କରିଥିଲେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଯୋଗଦେଇ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷାଦାନ ବ୍ୟବସ୍ଥା, ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥା ଆଦି ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମସ୍‌ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ନାମଲେଖା ବ୍ୟବସ୍ଥା ଓ ସାମସ୍‌ ଡାଟାବେସ ଉପରେ ଉପନିର୍ଦ୍ଦେଶକ ଡ଼. ଭାଗୀରଥି କାଣ୍ଡି ବିସ୍ତୃତ ଭାବରେ ଅଂଶଗ୍ରହଣକାରୀ ପ୍ରଧାନ ଶିକ୍ଷକମାନଙ୍କୁ ତାଲିମ ଦେଇଥିଲେ।

ଉନ୍ନୀତ ବିଦ୍ୟାଳୟ ପାଇଁ ସମଗ୍ର ଶିକ୍ଷାରେ ଥିବା ବିଭିନ୍ନ ସୁବିଧା ସୁଯୋଗ, ଗୃହ ନିର୍ମାଣ, ଅର୍ଥ ପରିଚାଳନା ବ୍ୟବସ୍ଥା ଆଦି ଉପରେ ଓସେପାର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ, ସିଏଚ୍‌ଏସ୍‌ଇର ଉପାଧ୍ୟକ୍ଷ ଡ଼. ସୁନୀଲ କୁମାର ଜେନା, ଓସେପାର ଯୁଗ୍ମ ନିର୍ଦ୍ଦେଶକ ସୁରେଖା ତରେଇ, ଦୀପକ ରାୟ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ଡ. ବିଜୟା କୁମାରୀ ପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ପ୍ରଫେସର ତିଲୋତ୍ତମା ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାରୁ ଜିଲ୍ଲା ଶିକ୍ଷା ଅଧିକାରୀ / ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ୧୦୬ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ, ୩ ଜଣ ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ଯୋଗଦାନ କରିଥିଲେ। ଯୁଗ୍ମ ନିର୍ଦ୍ଦେଶକ ଡ଼. ସନାତନ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଶିକ୍ଷା ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ ସିଧାକଥା

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଲାଗି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତିି। ସ୍କୁଲ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ଆଣିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ସହ ରେକର୍ଡ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଇଛି ।

ଏବେ ସରକାରୀ ବିଦ୍ୟାଳୟ ପ୍ରତି ଥିବା ଲୋକଙ୍କର ନକରାତ୍ମକ ଚିନ୍ତାଧାରାକୁ ବଦଳାଇବାର ସମୟ ଆସିଛି। କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ନୁହଁନ୍ତି, ବ୍ଲକ୍‌ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନେ ଏ ଦିଗରେ ସଚେତନ ହେବା ଜରୁରୀ ହୋଇପଡ଼ିଛି। ପିଲାମାନଙ୍କ ଭବିଷ୍ୟତ ଗଠନରେ କୌଣସି ପ୍ରକାର ଅବହେଳା କଲେ ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଆଜି କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ସବୁପ୍ରକାର ପଦକ୍ଷେପ ହାତକୁ ନିଆଯିବ। ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏଦିଗରେ ମିଳିତ ଭାବରେ କାର୍ଯ୍ୟ କରିବେ।

ପ୍ରଧାନଶିକ୍ଷକ, ଶିକ୍ଷକ, ସିଆରସିସି, ବିଇଓ ଏବଂ ଡିଇଓମାନଙ୍କ ମିଳିତ ପ୍ରଚେଷ୍ଟା ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାରେ ପ୍ରତିଫଳିତ ହେବା ନେଇ ଶ୍ରୀ ଦାଶ ଆଶା ପ୍ରକାଶ କରିଥିଲେ । ସେହିଭଳି ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଭାଗୀୟ କର୍ମଚାରୀଙ୍କୁ ଉଚିତ୍‌ ସମୟରେ ପେନ୍‌ସନ୍‌ ପ୍ରଦାନ ସହ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ମେଧାବୃତ୍ତି ବାବଦ ଆର୍ଥିକ ସହାୟତା ପ୍ରଦାନ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଏଫ୍‌ଏଲ୍‌ଏନ୍‌ (ଫାଉଣ୍ଡେସନାଲ ଲିଟେରାସି ଆଣ୍ଡ ନିଉମେରସି) ଏବଂ ଏଲ୍‌ଆର୍‌ପି(ଲର୍ଣ୍ଣିଙ୍ଗ ରିକଭରି ପ୍ରୋଗ୍ରାମ) କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ଓ ପରବର୍ତ୍ତୀ ଫଳାଫଳର ଆଭିମୁଖ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ରହିଥିଲା। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କୁ ଆଚରଣରେ ପରିବର୍ତ୍ତନ ଆଣିବା ଏବଂ ଓଡ଼ିଶାର ଭବିଷ୍ୟତ ଗଠନ ପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରାମତୀ ଆଶ୍ୱଥୀ ଏସ୍‌. କହିଥିଲେ।

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଏମ୍‌ଡିଏମ୍‌(ମଧ୍ୟାହ୍ନ ଭୋଜନ) ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ୍‌ର ୧୦୩ ଜଣ ବ୍ଲକ୍‌ ଶିକ୍ଷା ଅଧିକାରୀ ଏବଂ ୧୦ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦାନ କରିଥିଲେ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ଦେବା ସହ ପ୍ରାଥମିକ ବିଦ୍ୟାଳୟ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କଲେ ଫ୍ରେଞ୍ଚ୍‌ ପ୍ରତିନିଧିଗଣ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ କଲିକତାରେ ଥିବା କନସୋଲାଟ୍‌ ଜେନେରାଲ ଡେଡିଅର୍‌ ତାଲ୍‌ପେନ୍‌ଙ୍କ ନେତୃତ୍ୱରେ ଫ୍ରେଞ୍ଚ୍‌ ପ୍ରତିନିଧିମଣ୍ଡଳ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଲୋକସେବା ଭବନ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଶିକ୍ଷାକ୍ଷେତ୍ରରେ ଓଡ଼ିଶା ଏବଂ ଫ୍ରାନ୍‌ସ ମଧ୍ୟରେ ଫ୍ରେଞ୍ଚ୍‌ ଏବଂ ଓଡ଼ିଆ ଭାଷାର ପ୍ରଚଳନ ଏବଂ ସାଂସ୍କୃତିକ କ୍ଷେତ୍ରରେ ଆଦାନ ପ୍ରଦାନ ଓ ଉନ୍ନତି ପାଇଁ ଆଲୋଚନା ହୋଇଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ୫-‘ଟି’ ରୂପାନ୍ତରଣ କାର୍ଯ୍ୟକ୍ରମର ସେମାନେ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ରାଜ୍ୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଫ୍ରେଞ୍ଚ୍‌ ଡେଲିଗେସନ୍‌ରେ ଆସିଥିବା ଏମାନୁଏଲ୍‌ ଲେବ୍ରୁନ୍‌-ଡାମିଏନ୍‌ସ, ଫାତିହା କାମୋସି, ଆଲିଶଗନି ଓ ଅଞ୍ଜିତା ରାୟଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଳିତ ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରତ୍ୟେକ ବ୍ଲକ୍‌ ସ୍ତରରେ ଆଦର୍ଶ ବିଦ୍ୟାଳୟମାନ ସ୍ଥାପନା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏହି ବିଦ୍ୟାଳୟମାନଙ୍କରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୯୩୪୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଚଳିତ ବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୧୨୪୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନକୁ ସୂଚାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପେଦେଷ୍ଟା(ଶିକ୍ଷା) ଶ୍ରୀ ଉପେନ୍ଦ୍ର ତ୍ରିପାଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ ଅଶ୍ୱଥୀ ଏସ୍‌, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶିକା ବନ୍ଦନା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ବାଧିନତା ଦିବସରେ ସ୍କୁଲ ଯିବେନି ଛାତ୍ରଛାତ୍ରୀ: ଶିକ୍ଷକ ଶିକ୍ଷୟିତ୍ରୀ କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ସ୍କୁଲରେ ସ୍ବାଧିନତା ଦିବସ ପାଳନ ହେବ। ସ୍ବାଧିନତା ଦିବସରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବେ ନାହିଁ। ଛାତ୍ରଛାତ୍ରୀ ବିନା ଏଥର ସ୍କୁଲରେ ସ୍ବାଧିନତା ଦିବସ ପାଳନ କରାଯିବ। କେବଳ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ସ୍ବାଧୀନତା ଦିବସ ପାଳନ କରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଦ୍ୟାଳୟ ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମର ଉନ୍ନତି ପାଇଁ ପଦକ୍ଷେପ, ଓଡ଼ିଶା ରିପୋର୍ଟ କାର୍ଡ ଉନ୍ମୋଚିତ

ଭୁବନେଶ୍ୱର : ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା ଓ ୟୁନିସେଫ୍‌ ଓଡ଼ିଶାର ମିଳିତ ସହଯୋଗରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ରିପୋର୍ଟ କାର୍ଡର ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଯୋଗଦାନ କରି ଓଡ଼ିଶା ରିପୋର୍ଟ କାର୍ଡ ଉନ୍ମୋଚନ କରି କହିଲେ ଯେ ଓଡ଼ିଶାର ପିଲାମାନଙ୍କର ଶିକ୍ଷଣ ସ୍ତର ଜାତୀୟ ସ୍ତରଠାରୁ ଅନେକ କ୍ଷେତ୍ରରେ ଆଗୁଆ ରହିଛି। ତୃଣମୂଳ ସ୍ତରରେ ଶିକ୍ଷାର ମାନ ଓ ଶିକ୍ଷଣ ଫଳାଫଳକୁ ତ୍ୱରାନ୍ୱିତ କରିବା ପାଇଁ ସମଗ୍ର ଶିକ୍ଷା ଅଭିଯାନ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିକ୍ଷାର ଉନ୍ନତି ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ବାସ୍ତବ ରୂପ ଦେବା ପାଇଁ ଆମେ ଆପ୍ରାଣ ଉଦ୍ୟମ କରିବା ବୋଲି ମନ୍ତ୍ରୀ ଶ୍ରୀ ଦାଶ ଆହ୍ୱାନ ଦେଇଥିଲେ।

ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏହା ଏକ ବୃହତ୍‌ ସର୍ଭେ ଯାହା ଦ୍ୱାରା ବିଦ୍ୟାଳୟ ଶିକ୍ଷାର ଫଳପ୍ରଦତାକୁ ପ୍ରତିଫଳିତ କରିଥାଏ । ଜାତୀୟ ଉପଲବ୍ଧି ସର୍ବେକ୍ଷଣ ୨୦୨୧ ସର୍ବଭାରତୀୟ ସ୍ତରେ ୨୦୨୧ ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା।

ଏହି ସର୍ଭେରେ କେନ୍ଦ୍ର ଓ ରାଜ୍ୟର ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟର ତୃତୀୟ, ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ରିପୋର୍ଟ ଅନୁସାରେ ଓଡ଼ିଶାରୁ ୫୪୭୯ ବିଦ୍ୟାଳୟର ୨୫୧୪୩ ଶିକ୍ଷକ ଓ ୧୫୮୬୧୧ ଛାତ୍ରଛାତ୍ରୀ ଏନ୍‌ଏଏସ୍‌-୨୦୨୧ରେ ଭାଗ ନେଇଥିଲେ।

ଏହି କର୍ମଶାଳାରେ ଏନ୍‌ସିଇଆର୍‌ଟିର ପ୍ରାକ୍ତନ ନିର୍ଦ୍ଦେଶକ ଶ୍ରୀ ହୃଷୀକେଶ ସେନାପତି, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ରାଜ୍ୟ ଶିକ୍ଷକ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌ ଆୟାର, ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ଡ. ମୋନିକା ନେଲସନ୍‌, ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ।

Categories
StateBoard ବିଶେଷ ଖବର ରାଜ୍ୟ ଖବର

Matric Result Update: ଏଥର ଓଡିଶାର ୧୧୭୦ଟି ସ୍କୁଲର ସଫଳତା ଶତ ପ୍ରତିଶତ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ଆନୁଷ୍ଠାନିକ ଭାବେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୧୭୮୪୭ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରେ ୨୫୬୮୭୭ ଜଣ ଛାତ୍ର ଓ ୨୬୦୯୭୦ ଜଣ ଛାତ୍ରୀ ରହିଛନ୍ତି ।

ଏମାନଙ୍କ ମଧ୍ୟରୁ ୮୧୧୯ ଜଣ ଏ-୧ ବର୍ଗରେ, ୫୪୮୮୯ ଜଣ ଏ-୨ ବର୍ଗରେ, ୧୨୦୩୧୨ ଜଣ ବି-୧ ବର୍ଗରେ ଏବଂ ୧୪୨୫୯୯ ଜଣ ବି-୨ ବର୍ଗରେ ଉନ୍ନିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧.୪୨ ପ୍ରତିଶତ ବିଦ୍ୟାର୍ଥୀ ୯୦ ଶତକଡ଼ାରୁ ଊଦ୍ଧ୍ୱର୍ ମାର୍କ ରଖିଛନ୍ତି । ଚଳିତ ବର୍ଷ ଛାତ୍ରମାନଙ୍କ ପାସ୍‌ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀମାନଙ୍କ ପାସ ହାର ୯୨.୩୭ ପ୍ରତିଶତ ରହିଛି ଏବଂ ମୋଟ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି ।

ଚଳିତ ବର୍ଷ ସମୁଦାୟ ୫୭୧୯୦୯ ଜଣ ବିଦ୍ୟାର୍ଥୀ ମାଟି୍ରକ୍‌ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବାବେଳେ ୫୨୬୮୧୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୬୯୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ୧୧୭୦ଟି ବିଦ୍ୟାଳୟର ଶତପ୍ରତିଶତ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୩ଟି ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇପାରିନାହାନ୍ତି।

ଏହି ପରୀକ୍ଷା ଫଳ ଘୋଷଣା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ, କଟକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ବିଭାଗର ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକ୍‌ଟରଙ୍କୁ ମିଳିବ ଚଳିତ ବର୍ଷ ମଇ ଓ ଜୁନ୍‌ ମାସର ପାରିଶ୍ରମିକ

ଭୁବନେଶ୍ୱର : ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକ୍‌ଟରମାନଙ୍କୁ ଚଳିତ ବର୍ଷ ମଇ ଓ ଜୁନ୍‌ ମାସର ପାରିଶ୍ରମିକ ପ୍ରଦାନ କରାଯିବାକୁ ସରକାର ସ୍ଥିର କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଏବଂ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା ପରେ ଏହି ଘୋଷଣା କରାଯାଇଛି ।

ପୂର୍ବବର୍ଷମାନଙ୍କରେ ମଇ ଓ ଜୁନ୍‌ ମାସରେ ବିଦ୍ୟାଳୟ ବନ୍ଦ ରହୁଥିବାରୁ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକଫରମାନଙ୍କୁ ପାରଶ୍ରମିକ ଦିଆଯାଉନଥିଲା । କିନ୍ତୁ ଚଳିତ ବର୍ଷ ମଇ ଓ ଜୁନ୍‌ ମାସରେ ବିଦ୍ୟାଳୟ ଖୋଲା ରହିଥିବାରୁ ଏହି ଦୁଇମାସ ପାଇଁ ପାରିଶ୍ରମିକ ପ୍ରଦାନ କରାଯିବ । ଜିଲ୍ଲାଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଦାଶ ଏ ବିଷୟ ହୃଦୟଙ୍ଗମ କରି ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ଘୋଷଣା: ୬ ତାରିଖରେ ପ୍ରକାଶ ପାଇଁ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। କାରଣ ସେମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆଉ ଗୋଟିଏ ଦିନ ପରେ ତଥା ଜୁଲାଇ ୬ ତାରିଖରେ ମାଟ୍ରିକ ଫଳ ପ୍ରକାଶ ପାଇବ। ଜୁଲାଇ ୬ ତାରିଖ ଅପରାହ୍ନ ୧ ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। କିନ୍ତୁ ଯୁକ୍ତ ଦୁଇ ପରୀକ୍ଷା କେବେ ପ୍ରକାଶ ପାଇବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁଝର ଜିଲ୍ଲାରେ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, କଲେ ସମୀକ୍ଷା

ଭୁବନେଶ୍ବର:  ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କେନ୍ଦୁଝର ଜିଲ୍ଲା ପରିଦର୍ଶନରେ ଯାଇ ଡି.ଏନ୍‌. ହାଇସ୍କୁଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ପ୍ରଧାନ ଶିକ୍ଷକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ଶିକ୍ଷାକ୍ଷେତ୍ରରେ କେନ୍ଦୁଝର ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ୫-‘ଟି’ ହାଇସ୍କୁଲଗୁଡ଼ିକର ରୂପାନ୍ତରୀକରଣ, ମଧ୍ୟାହ୍ନ ଭୋଜନ, ବୃତ୍ତିଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକ୍ଷମ, ମାଗଣା ପୁସ୍ତକ ଯୋଗାଣ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେଉଛନ୍ତି । ଏହା ଦ୍ୱାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଶିଷ ଥାକ୍ରେ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଜିଲ୍ଲାରେ ଶିକ୍ଷା କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇଥିଲେ।

ମନ୍ତ୍ରୀ ଶ୍ରୀ ଦାଶ କେନ୍ଦୁଝର ଜିଲ୍ଲାର ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ରାମଚନ୍ଦ୍ରପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗସ୍ତ କରି ସ୍କୁଲରେ ପାଠପଢ଼ା ଓ ବିଦ୍ୟାଳୟର ଆନୁଷଙ୍ଗିକ ଭିତ୍ତିଭୂମି ସଂପର୍କରେ ପଚାରି ବୁଝିଥିଲେ। ମନ୍ତ୍ରୀ ଶ୍ରୀ ଦାଶ ଛାତ୍ରଛାତ୍ରୀ ପରିବହନ କରୁଥିବା ସ୍କୁଲ ବସ୍‌କୁ ଯାଞ୍ଚ ମଧ୍ୟ କରିଥିଲେ।

ଏହି ସମୀକ୍ଷା ବୈଠକରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆର ବିଧାୟିକା ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଶ୍ରୀ ଭାଗୀରଥି ସେଠୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବୃନ୍ଦାବନ ଶତପଥୀ ସମେତ ଜିଲ୍ଲାର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Categories
StateBoard ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପରୀକ୍ଷା କେବେ ହେବ?, ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର ନିକଟରେ ଦାବି କରୁଛନ୍ତି। ଏପରିକି ପରୀକ୍ଷା ବାତିଲ ଦାବିରେ ସେମାନେ ଆନ୍ଦୋଳନ ମଧ୍ୟ କରୁଛନ୍ତି। ଏପରିସ୍ଥଳେ ଏହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଅଫଲାଇନରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇସାରିଛି। କୋର୍ସ ସରିବା ପରେ ପରୀକ୍ଷା ହେବ। ଯେଉଁ ସମୟରେ ପରୀକ୍ଷା ହବା କଥା, ସେହି ସମୟରେ ହେବ। ତେଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରହୁନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ରାଜ୍ୟରେ କରୋନା ଗ୍ରାଫ ତଳ ମୁହାଁ ହେବାରେ ଲାଗିଛି। ତେଣୁ ରାଜ୍ୟରେ ହେବାକୁ ଥିବା ବୋର୍ଡ ପରୀକ୍ଷା ଠିକ ସମୟରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସଂକେତ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷା ଠିକ ସମୟରେ ହୋଇପାରେ। ସେଥିପାଇଁ ପିଲାମାନେ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଦଶମ ପ୍ରଥମ ସେମେଟିଭ ପରୀକ୍ଷା ସରିଥିବା ବେଳେ ଠିକ ସମୟରେ ଏହାର ଫଳାଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ପରୀକ୍ଷା ସମ୍ଭାବନା ରହିଥିବାରୁ ସମସ୍ତ ଛାତ୍ରଛାତ୍ରୀ ପଢା ଉପରେ ଗୁରୁତ୍ଵ ଦେବାକୁ ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ: ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଆଜି ପୁଣି ଥରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ଗଣଶିକ୍ଷା ମନ୍ତି ସ୍ପଷ୍ଟ କରିଛନ୍ତି। ଆସନ୍ତା ୩ ତାରିଖରେ ହିଁ ଏହି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ। କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପାଠ ପଢା ବାଧ୍ୟତାମୂଳକ ନୁହେଁ। ଯେଉଁ ଅଭିଭାବକମାନେ ଚାହିଁବେ, ସେମାନେ ତାଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିପାରିବେ। ଯେଉଁ ଛାତ୍ରଛାତ୍ରୀ ସ୍କୁଲକୁ ଯିବା ପାଇଁ ଇଚ୍ଛାପ୍ରକାଶ କରିବେ ନାହିଁ, ସେମାନେ ପୂର୍ବପରି ଅନଲାଇନରେ ପାଠ ପଢିପାରିବେ।

ଏହାପୂର୍ବରୁ ଗତକାଲି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ଏନେଇ ସ୍ପଷ୍ଟ କରିଥିଲେ। ଗତ ୨୯ ତାରିଖରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଥିଲେ। ଯାହାକୁ ନେଇ ଗଣଶିକ୍ଷା ବିଭାଗ ସଚିବ ପ୍ରତିକ୍ରିୟା ରଖିବା ସହ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ କରିଥିଲେ।

ତେବେ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ପରିସରକୁ ବିଶୋଧନ କରାଯିବ। ମାସ୍କ ଏବଂ ସାମାଜିକ ଦୁରତ୍ଵ ଉପରେ ଅଧିକ ଗୁରତ୍ଵ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଡିଇଓ, ବିଇଓ ଓ ସିଆରସିସି ମାନେ ନିୟମିତ ବ୍ୟବଧାନରେ ସ୍କୁଲ ଗସ୍ତ କରି ଯାଞ୍ଚ କରିବାକୁ କୁହାଯାଇଛି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଦୂର ହେଲା ଦ୍ଵନ୍ଦ୍ଵ!: ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନେଇ ଏଭଳି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ଖୋଲିବାକୁ ନେଇ ଅବିଭାବକମାନଙ୍କ ମନରେ ଅନେକ ଆଶଙ୍କା ରହିଛି। ତେବେ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଏକ ବଡ ବୟାନ ଦେଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର କୌଣସି ସମ୍ଭାବନା ନାହିଁ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

ରାଜ୍ୟରୁ ବର୍ତ୍ତମାନ କରୋନା ଭୟ ଦୂର ହୋଇନାହିଁ। ତୃତୀୟ ଲହର ସମ୍ଭାବନା ଏବେ ବି ଟଳି ନାହିଁ। ଏହି ସମୟରେ ଛୋଟ ଛୋଟ ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ବିପଦ ରହିଛି। ଏହି ବୟସର ପିଲାମାନେ ସାମାଜିକ ଦୁରତ୍ଵ କିମ୍ବା ସାନିଟାଇଜର କରିବା ଉପରେ ବିଶେଷ ସଚେତନ ନାହାନ୍ତି। ତେଣୁ କରୋନା ସଂକ୍ରମଣକୁ ଦେଖି ବର୍ତ୍ତମାନ ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯାଉନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ!

ଭୁବନେଶ୍ବର: ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦୀପାବଳି ଛୁଟି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। କରୋନାର ତୃତୀୟ ତରଙ୍ଗର ସମ୍ଭାବନା କମ ଥିବାରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି। ବିଦ୍ୟାଳୟଗୁଡିକ ପର୍ଯ୍ୟାୟକ୍ରମେ ଖୋଲାଯାଇପାରେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲାଯିବା ନିଷ୍ପତ୍ତି ହେବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସିଲାବସ ୩୦ ପ୍ରତିଶତ କମିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ସିଲାବସକୁ ୩୦ ପ୍ରତିଶତ ହ୍ରାସ କରାଯିବ। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରତିଶତ ସିଲାବସ କମିବ। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସାରା ରାଜ୍ୟରେ ଅନଲାଇନରେ ପାଠ ପଢା କାର୍ଯ୍ୟକ୍ରମ ଚାଲିଛି। ହେଲେ ରାଜ୍ୟରେ ସ୍କୁଲ କେବେ ଖୋଲିବ, ତାହା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। କରୋନା ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ମାସରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ: ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: କରୋନା ଯୋଗୁଁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧୀନରେ ଥିବା ଦଶମ ବୋର୍ଡ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଦେଇଥିଲେ। ହେଲେ ଏହି ପରୀକ୍ଷାର ଫଳାଫଳ ମୂଲ୍ୟାୟନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଦଶମ ପରୀକ୍ଷା ଫଳ ଘୋଷଣା ହେବ ବୋଲି ଶ୍ରୀ ଦାଶ କହିଛନ୍ତି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ଘୋଷଣା ହେବା ପାଇଁ ଚେଷ୍ଟା କରାଯାଉଛି। ସେଥିପାଇଁ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବେ ଚାଲିଥିବା ସେ କହିଛନ୍ତି।

ତେବେ ସ୍କୁଲ କେବେ ଖୋଲିବ ତାହା କହିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ବିଶେଷଜ୍ଞ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ହାଇସ୍କୁଲ ଛାତ୍ରୀ କ୍ୟାରିଅର ସଚେତନ ପାଇଁ ଆରମ୍ଭ ହେଲା ଆଇବିଏମ୍‌ ଷ୍ଟେମ୍‌ ସୁବିଧା, ଜାଣନ୍ତୁ ଏହା କଣ

ଭୁବନେଶ୍ୱର,  ରାଜ୍ୟରେ ୩୦ଟି ଜିଲ୍ଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍‌ ଷ୍ଟେମ୍‌ ସୁବିଧା ଆରମ୍ଭ କରାଯାଇଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ, ଆଇବିଏମ୍‌ ଭାରତ ଓ ଦକ୍ଷିଣ ଏସିଆର ସିଏସ୍‌ଆର୍‌ ମୁଖ୍ୟ ମନୋଜ ବାଳଚନ୍ଦ୍ରନ୍‌ ତଥା ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ସୁବିଧା ମାଧ୍ୟମରେ ବିଦ୍ୟାଳୟ ଛାତ୍ରୀମାନେ ଡିଜିଟାଲ୍‌ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ । ଏହି ବିଦ୍ୟାଳୟଗୁଡ଼ିକ ଏକବିଂଶ ଶତାବ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ରାଜ୍ୟର ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ରୋଲ୍‌ ମଡେଲ୍‌ ହେବେ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଥିପାଇଁ ଆଇବିଏମ୍‌ ଏବଂ ଏହାର ସହଯୋଗୀ କେ୍ୱଷ୍ଟ ଆଲିଆନ୍ସ ତଥା ଅନ୍ୟମାନେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରସ୍ତୁତ କରିବେ । ଏହା ଫଳରେ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ସହିତ ଜାତୀୟ ଶିକ୍ଷାନୀତି ଅନୁସୃତ ରାଜ୍ୟ ପାଠ୍ୟକ୍ରମ ସହିତ ସମତୁଲ ଭାବରେ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି ପାଇବ ।

ମନ୍ତ୍ରୀ ଦାଶ ରାଜ୍ୟରେ ଶିକ୍ଷା ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କରେ ଅଭିବୃଦ୍ଧି ଘଟିଥିବା ଦର୍ଶାଇ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ୨୦୧୮-୧୯ ଶିକ୍ଷାବର୍ଷରେ ଉପରୋକ୍ତ ସୂଚକାଙ୍କରେ ଓଡ଼ିଶାର ସ୍କୋର ୭୪୯ ଥିବାବେଳେ ତାହା ୨୦୧୯-୨୦ ଶିକ୍ଷାବର୍ଷରେ ୮୩୮କୁ ବୃଦ୍ଧି ପାଇଛି ଓ ରାଜ୍ୟର ମାନ୍ୟତାକୁ ସମୃଦ୍ଧ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ବଳରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି, ପରିଚାଳନା ଓ ସମତା ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏହି ଯୋଜନା ଅଧୀନରେ ଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ଗୁଣାତ୍ମକ ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଧାରାରେ ଏହି ସୁବିଧାକୁ ପରବର୍ତ୍ତୀ ସମୟରେ ହଜାରଟି ହାଇସ୍କୁଲକୁ ସଂପ୍ରସାରିତ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଆଜିର ଆଇବିଏମ୍‌ ଷ୍ଟେମ୍‌ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ପରେ ଚାରିଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୩୦ଟି ଯାକ ଜିଲ୍ଲାର ୫୧୬ ଜଣ ଶିକ୍ଷକ, ୨୫୮ ଜଣ ପ୍ରଧାନଶିକ୍ଷକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀବୃନ୍ଦ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କୁ ଭର୍ଚୁଆଲ ସୁବିଧା ପ୍ରଦାନ ନିମନ୍ତେ ଆବଶ୍ୟକୀୟ ଦକ୍ଷତା, ଏକବିଂଶ ଶତାବ୍ଦୀର ଶିକ୍ଷଣ ପାରଦର୍ଶିତା ଉପରେ ତାଲିମ ପ୍ରଦାନ କରାଯିବ ।

କୋଭିଡ୍‌ ସ୍ଥିତିରେ ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ଶିକ୍ଷକମାନେ ଭର୍ଚୁଆଲ ମୋଡ୍‌ରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବାର ବିଭିନ୍ନ ଯୋଜନା ବାବଦରେ ଏହି ତାଲିମରେ ଅବଗତ ହେବେ । ଏହା ବ୍ୟତୀତ ଅଧିକ ସଂଖ୍ୟାରେ ଛାତ୍ରୀମାନଙ୍କୁ ଷ୍ଟେମ୍‌ ମାଧ୍ୟମରେ କ୍ୟାରିୟର ପସନ୍ଦ ପାଇଁ ପଥ ପ୍ରଶସ୍ତ ହେବ । ମହାମାରୀ ସମୟରେ ଡିଜିଟାଲ ସାକ୍ଷରତା ଏବଂ ଆଧୁନିକ ଅନ୍‌ଲାଇନ୍‌ ଶିକ୍ଷଣର ଗୁରୁତ୍ୱ ରହିଥିବାବେଳେ ଶିକ୍ଷକମାନଙ୍କୁ ଏ ବାବଦରେ ଅଧିକ ସଶକ୍ତ କରାଯାଇପାରିବ ।

Categories
ଆଜିର ଖବର

ନିର୍ଦ୍ଧାରିତ ତାରିଖରେ ହେବ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ତାରିଖରେ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ତାରିଖରେ ପରିବର୍ତ୍ତନ ହେବ ନାହିଁ। ମେ ୩ ତାରିଖରୁ ଆରମ୍ଭ ହୋଇ ଦଶମ ପରୀକ୍ଷା ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମେ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଜୁନ ୧୨ ତାରିଖରେ ଶେଷ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନାହିଁ, ସମସ୍ତେ ପାସ୍: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଆଉ ସ୍କୁଲ ଖୋଲା ହେବ ନାହିଁ। ତେଣୁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ସମ୍ଭବ ନାହିଁ। ଗତ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀକୁ ପ୍ରମୋଶନ ହେବେ। ବିଦ୍ଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଆପାତତଃ ଏହା ସ୍ଥିର ହୋଇଛି। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ସୂଚନା ଦେଇଛନ୍ତି। ହେଲେ ନବମ ଶ୍ରେଣୀ ପିଲାଙ୍କ କ୍ଳାସ ଚାଲିଥିବାରୁ ସେମାନଙ୍କର ପରୀକ୍ଷା ଅଫଲାଇନରେ ହେବ।