ହାଇସ୍କୁଲ ଛାତ୍ରୀ କ୍ୟାରିଅର ସଚେତନ ପାଇଁ ଆରମ୍ଭ ହେଲା ଆଇବିଏମ୍‌ ଷ୍ଟେମ୍‌ ସୁବିଧା, ଜାଣନ୍ତୁ ଏହା କଣ

Published: Jun 9, 2021, 12:10 am IST

ଭୁବନେଶ୍ୱର,  ରାଜ୍ୟରେ ୩୦ଟି ଜିଲ୍ଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍‌ ଷ୍ଟେମ୍‌ ସୁବିଧା ଆରମ୍ଭ କରାଯାଇଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ, ଆଇବିଏମ୍‌ ଭାରତ ଓ ଦକ୍ଷିଣ ଏସିଆର ସିଏସ୍‌ଆର୍‌ ମୁଖ୍ୟ ମନୋଜ ବାଳଚନ୍ଦ୍ରନ୍‌ ତଥା ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ସୁବିଧା ମାଧ୍ୟମରେ ବିଦ୍ୟାଳୟ ଛାତ୍ରୀମାନେ ଡିଜିଟାଲ୍‌ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ । ଏହି ବିଦ୍ୟାଳୟଗୁଡ଼ିକ ଏକବିଂଶ ଶତାବ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ରାଜ୍ୟର ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ରୋଲ୍‌ ମଡେଲ୍‌ ହେବେ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଥିପାଇଁ ଆଇବିଏମ୍‌ ଏବଂ ଏହାର ସହଯୋଗୀ କେ୍ୱଷ୍ଟ ଆଲିଆନ୍ସ ତଥା ଅନ୍ୟମାନେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରସ୍ତୁତ କରିବେ । ଏହା ଫଳରେ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ସହିତ ଜାତୀୟ ଶିକ୍ଷାନୀତି ଅନୁସୃତ ରାଜ୍ୟ ପାଠ୍ୟକ୍ରମ ସହିତ ସମତୁଲ ଭାବରେ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି ପାଇବ ।

ମନ୍ତ୍ରୀ ଦାଶ ରାଜ୍ୟରେ ଶିକ୍ଷା ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କରେ ଅଭିବୃଦ୍ଧି ଘଟିଥିବା ଦର୍ଶାଇ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ୨୦୧୮-୧୯ ଶିକ୍ଷାବର୍ଷରେ ଉପରୋକ୍ତ ସୂଚକାଙ୍କରେ ଓଡ଼ିଶାର ସ୍କୋର ୭୪୯ ଥିବାବେଳେ ତାହା ୨୦୧୯-୨୦ ଶିକ୍ଷାବର୍ଷରେ ୮୩୮କୁ ବୃଦ୍ଧି ପାଇଛି ଓ ରାଜ୍ୟର ମାନ୍ୟତାକୁ ସମୃଦ୍ଧ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ବଳରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି, ପରିଚାଳନା ଓ ସମତା ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏହି ଯୋଜନା ଅଧୀନରେ ଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ଗୁଣାତ୍ମକ ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଧାରାରେ ଏହି ସୁବିଧାକୁ ପରବର୍ତ୍ତୀ ସମୟରେ ହଜାରଟି ହାଇସ୍କୁଲକୁ ସଂପ୍ରସାରିତ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଆଜିର ଆଇବିଏମ୍‌ ଷ୍ଟେମ୍‌ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ପରେ ଚାରିଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୩୦ଟି ଯାକ ଜିଲ୍ଲାର ୫୧୬ ଜଣ ଶିକ୍ଷକ, ୨୫୮ ଜଣ ପ୍ରଧାନଶିକ୍ଷକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀବୃନ୍ଦ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କୁ ଭର୍ଚୁଆଲ ସୁବିଧା ପ୍ରଦାନ ନିମନ୍ତେ ଆବଶ୍ୟକୀୟ ଦକ୍ଷତା, ଏକବିଂଶ ଶତାବ୍ଦୀର ଶିକ୍ଷଣ ପାରଦର୍ଶିତା ଉପରେ ତାଲିମ ପ୍ରଦାନ କରାଯିବ ।

କୋଭିଡ୍‌ ସ୍ଥିତିରେ ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ଶିକ୍ଷକମାନେ ଭର୍ଚୁଆଲ ମୋଡ୍‌ରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବାର ବିଭିନ୍ନ ଯୋଜନା ବାବଦରେ ଏହି ତାଲିମରେ ଅବଗତ ହେବେ । ଏହା ବ୍ୟତୀତ ଅଧିକ ସଂଖ୍ୟାରେ ଛାତ୍ରୀମାନଙ୍କୁ ଷ୍ଟେମ୍‌ ମାଧ୍ୟମରେ କ୍ୟାରିୟର ପସନ୍ଦ ପାଇଁ ପଥ ପ୍ରଶସ୍ତ ହେବ । ମହାମାରୀ ସମୟରେ ଡିଜିଟାଲ ସାକ୍ଷରତା ଏବଂ ଆଧୁନିକ ଅନ୍‌ଲାଇନ୍‌ ଶିକ୍ଷଣର ଗୁରୁତ୍ୱ ରହିଥିବାବେଳେ ଶିକ୍ଷକମାନଙ୍କୁ ଏ ବାବଦରେ ଅଧିକ ସଶକ୍ତ କରାଯାଇପାରିବ ।

Related posts