କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉଦ୍ଧବଙ୍କୁ ଝଟକା, ପୁଣି ୩୨ ପୂର୍ବତନ କାଉନସିଲର ସିନ୍ଦେଙ୍କୁ କଲେ ସମର୍ଥନ

Published: Jul 8, 2022, 9:58 am IST

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ସେପଟେ ଶିବସେନାର ଉଦ୍ଧବ ଠାକରେ ଦଳକୁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ପୂର୍ବତନ କାଉନସିଲରଙ୍କ ଦ୍ଵାରା ଝଟକା ଲାଗିଛି। ବର୍ତ୍ତମାନ ନଭି ମୁମ୍ବାଇର ୩୨ ପୂର୍ବତନ କାଉନସିଲର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ସମର୍ଥନ ଜଣାଇଛନ୍ତି। ବିଏମସି ନିର୍ବାଚନ ପୂର୍ବରୁ ନଭି ମୁମ୍ବାଇର ୩୨ ପୂର୍ବତନ କାଉନସିଲର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବାସଭବନରେ ସାକ୍ଷାତ କରି ତାଙ୍କୁ ସମର୍ଥନ ଜଣାଇଛନ୍ତି। ଶିବସେନା ଡେପୁଟି ନେତା ବିଜୟ ନାହଟା ଏବଂ ପୂର୍ବତନ କାଉନସିଲର ସୁରେଶ କୁଲକର୍ଣ୍ଣି ଏହା ନିଶ୍ଚିତ କରିଛନ୍ତି।

ଗୋଟିଏ ଦିନ ପୂର୍ବରୁ ଥାନେ ମ୍ୟୁନିସିପାଲିଟି କର୍ପୋରେସନରେ ଦଳର ୬୭ ଜଣ ପୂର୍ବତନ କାଉନସିଲରଙ୍କ ମଧ୍ୟରୁ ୬୬ ଜଣ ଏକନାଥ ସିନ୍ଦେଙ୍କ ନେତୃତ୍ୱକୁ ସମର୍ଥନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ୧୩୧ ସଦସ୍ୟ ବିଶିଷ୍ଟ ଥାନେ ମ୍ୟୁନିସିପାଲ କର୍ପୋରେସନର କାର୍ଯ୍ୟକାଳ କିଛି ସମୟ ପୂର୍ବରୁ ଶେଷ ହୋଇଥିଲା ଏବଂ ବର୍ତ୍ତମାନ ନିର୍ବାଚନ ହେବାକୁ ଯାଉଛି। ଏହି ମ୍ୟୁନିସିପାଲିଟି କର୍ପୋରେସନ୍ ଶିବସେନାର ଏକ ଗଡ଼ ଭାବରେ ପରିଗଣିତ ହୁଏ।

ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ଦିନ ଦିଲ୍ଲୀ ଗସ୍ତ କରିବେ। ଗତ ମାସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ରାଜଧାନୀ ଗସ୍ତ। ଗୁରୁବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସିନ୍ଦେଙ୍କ ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ, ସେ ଶୁକ୍ରବାର ସନ୍ଧ୍ୟାରେ ଏକ ସରକାରୀ ଚାର୍ଟାର୍ଡ ​​ବିମାନରେ ଦିଲ୍ଲୀ ଯିବେ। ତେବେ ରାଷ୍ଟ୍ରୀୟ ରାଜଧାନୀରେ ତାଙ୍କର କାର୍ଯ୍ୟସୂଚୀ ପ୍ରକାଶ କରାଯାଇ ନାହିଁ।

Related posts