କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରେଢାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଆର. ବଡ଼ମାଳ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଆର. ବଡ଼ମାଳ ଗ୍ରାମର ଲୁକୁ ପ୍ରଧାନ।
ସେ ଜମିକୁ ଭୋର ସକାଳୁ ଲୁକୁ ଯାଇ ଥିବା ବେଳେ ଏକ ଜଙ୍ଗଲୀ ହାତୀ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୁଣ୍ଡରେ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଘଟଣା ସ୍ଥଳରୁ ସେ କୌଣସି ପ୍ରକାରେ ଖସି ଆସିବା ପରେ ପରିବାର ଓ ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଲୁକୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ ବଡ଼ମାଳ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଦୌରାତ୍ମ ଯୋଗୁଁ ଲୋକେ ଅତିଷ୍ଠ ହୋଇ ଗଲେଣି।
ଏ ସଂକ୍ରାନ୍ତରେ ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କୁ ଯୋଗା ଯୋଗ କରିବାରେ ସେ କହିଲେ ଯେ ହାତୀ ଆକ୍ରମଣ କରି ଥିବା ଗ୍ରାମବାସୀ କହିଛନ୍ତି, ହେଲେ ପରିବାର ଲୋକ ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ। ଘଟଣା ସ୍ଥଳକୁ ବିଭାଗ ପକ୍ଷରୁ ଯାଇଥିଲୁ। ସେଠାରେ ହାତୀ ପାଦ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଏପରିକି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଯାଇ ଥିଲୁ, ସେଠାରେ ତାଙ୍କୁ ଦେଖା ହୋଇ ପାରି ନ ଥିଲା। ହେଲେ ପରିବାର ଲୋକଙ୍କୁ ଦେଖା ନ ହେବା କିମ୍ବା ଅଭିଯୋଗ ହେବା ପରେ ହାତୀ ଆକ୍ରମଣ ଉପରେ କହି ହେବ ବୋଲି ପ୍ରକାଶ କରିଥିଲେ।