Categories
ଆଞ୍ଚଳିକ

ବାଲୁଗାଁ-ବାଣପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ଆଜି ସକାଳେ ପୁରୀରୁ ସୁନାବେଶ ଦେଖି ଏକ ବୋଲେରୋ ଗାଡି ନଂ ଓଡ଼ି ୦୭ ଏଫ ୯୫୫୬ ଯୋଗେ ୧୦ ଜଣ ଯାତ୍ରୀ ବ୍ରହ୍ମପୁର ଫେରୁଥିବା ବେଳେ ସୁବୁଦ୍ଧି ପାଟଣା ଛକ ନିକଟରେ ଗାଡି ଚାଳକଙ୍କ ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୬ଜଣ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଓ ୨ ଜଣଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଡ୍ରାଇଭରଙ୍କ ସମେତ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମାତ୍ର ଦୁର୍ଘଟଣା ସମ୍ବନ୍ଧୀୟ ଅଦ୍ୟାବଧି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ଜଣେ ଗୁରୁତର, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରେଢାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଆର. ବଡ଼ମାଳ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଆର. ବଡ଼ମାଳ ଗ୍ରାମର ଲୁକୁ ପ୍ରଧାନ।

ସେ ଜମିକୁ ଭୋର ସକାଳୁ ଲୁକୁ ଯାଇ ଥିବା ବେଳେ ଏକ ଜଙ୍ଗଲୀ ହାତୀ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୁଣ୍ଡରେ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଘଟଣା ସ୍ଥଳରୁ ସେ କୌଣସି ପ୍ରକାରେ ଖସି ଆସିବା ପରେ ପରିବାର ଓ ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଲୁକୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ ବଡ଼ମାଳ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଦୌରାତ୍ମ ଯୋଗୁଁ ଲୋକେ ଅତିଷ୍ଠ ହୋଇ ଗଲେଣି।

ଏ ସଂକ୍ରାନ୍ତରେ ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କୁ ଯୋଗା ଯୋଗ କରିବାରେ  ସେ କହିଲେ ଯେ ହାତୀ ଆକ୍ରମଣ କରି ଥିବା ଗ୍ରାମବାସୀ କହିଛନ୍ତି, ହେଲେ ପରିବାର ଲୋକ ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ। ଘଟଣା ସ୍ଥଳକୁ ବିଭାଗ ପକ୍ଷରୁ ଯାଇଥିଲୁ। ସେଠାରେ ହାତୀ ପାଦ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଏପରିକି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଯାଇ ଥିଲୁ, ସେଠାରେ ତାଙ୍କୁ ଦେଖା ହୋଇ ପାରି ନ ଥିଲା। ହେଲେ ପରିବାର ଲୋକଙ୍କୁ ଦେଖା ନ ହେବା କିମ୍ବା ଅଭିଯୋଗ ହେବା ପରେ ହାତୀ ଆକ୍ରମଣ ଉପରେ କହି ହେବ ବୋଲି ପ୍ରକାଶ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭାଟପଡା ଛକରେ ଖଣ୍ଡାରେ ଆକ୍ରମଣ: ସରପଞ୍ଚଙ୍କ ସମ୍ପର୍କୀୟ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭାଟପଡା ଛକରେ ଆଜି ଭୋରରୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ସରପଞ୍ଚ ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ତାଙ୍କରି ବଡବାପା ଓ ପୁଅ। ଏ ନେଇ ଗମ୍ଭାରୀମୁଣ୍ଡା ବିଟ ହାଉସରେ ଏକ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ଶ୍ୱଶୁର ରାମଚନ୍ଦ୍ର ବେହେରା।

ଅଭିଯୋଗ ମୁତାବକ ଟାଙ୍ଗୀ ଥାନା କୁହୁଡି ରତନପୁର ଗ୍ରାମରେ ଗତକାଲି କୁଲେଇ ସରପଞ୍ଚଙ୍କ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ଶେଷ ହେବା ପରେ ବରଯାତ୍ରୀ ନେଇ ବରପକ୍ଷ ନିଜ ଗ୍ରାମ ବିଂଝଳାକୁ ଫେରିବା ପରେ ରାତି ୩ ଘଟିକାରେ ଉକ୍ତ ଗ୍ରାମର ଭାସ୍କର ବେହେରା ଓ ତାଙ୍କ ପୁତ୍ର ଉମକାନ୍ତ ବେହେରା ହଠାତ ସରପଞ୍ଚଙ୍କ ଘର ଦୁଆର ସମ୍ମୁଖରେ ଖଣ୍ଡା ଓ ଫାର୍ଷା ଧରି ଗାଳିଗୁଲଜ କରିବାକୁ ଲାଗିଥିଲେ।

ରାମଚନ୍ଦ୍ର ଦୁଆର ଖୋଲିବାରୁ ତାଙ୍କୁ ଆକ୍ରମଣ ପାଇଁ ଉଭୟ ଅଭିଯୁକ୍ତ ଦଉଡି ଆସିବା ବେଳେ ରାମଚନ୍ଦ୍ର ଦୁଆର ବନ୍ଦ କରିଦେଇଥିଲେ। କିନ୍ତୁ ଉଭୟ ଅଭିଯୁକ୍ତ ରାମଚନ୍ଦ୍ର ଏବଂ ତାଙ୍କ ପୁଅ ତଥା ସରପଞ୍ଚଙ୍କ ସ୍ୱାମୀ ପ୍ରକାଶ ବେହେରାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରିଯାଇଥିଲେ।

ତେବେ ଭାଟପଡ଼ା ଛକରେ କୁଲେଇ ସରପଞ୍ଚ ସ୍ୱାମୀଙ୍କ ସମ୍ପର୍କୀୟ କାଁହୁଚରଣ ବେହେରା ଏବଂ ତାଙ୍କ ସାଙ୍ଗ ଅଭୟ ସାହୁଙ୍କୁ ଦେଖି ଉକ୍ତ ଅଭିଯୁକ୍ତ ଦ୍ବୟ ଗାଳିଗୁଲଜ କରିବା ସହ କାହ୍ନୁଙ୍କ ଦୁଇ ହାତକୁ ଖଣ୍ଡାରେ ଏକାଧିକ ଥର ଚୋଟ ପକାଇଥିଲେ। କାହ୍ନୁ ସଙ୍ଗେ ସଙ୍ଗେ ତଳେ ପଡିଯାଇଥିଲେ ଏବଂ ଗ୍ରାମବାସୀ ତୁରନ୍ତ ତାଙ୍କୁ ଗମ୍ଭାରୀମୁଣ୍ଡା ମେଡିକାଲ ଏବଂ ପରେ ଗୁରୁତର ଭାବେ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ।

ଖବର ପାଇ ବାଣପୁର ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହ ବର୍ତ୍ତମାନ ଭାସ୍କର ବେହେରାଙ୍କୁ ଅଟକ କରିଥିବା ବେଳେ ତାଙ୍କ ପୁତ୍ର ଉମାକାନ୍ତ ବେହେରା ଫେରାର ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକର ଜୀବନ ବଂଚାଇଲେ ସମ୍ ଡାକ୍ତର

ଭୁବନେଶ୍ୱର: ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଂଚାଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର। ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା।

ଯେତେବେଳେ ବାଳକଟିକୁ ମଧ୍ୟରାତ୍ରରେ ସମ୍ ହସ୍ପିଟାଲ୍‌ର ଜରୁରୀକାଳୀନ ସେବା ବିଭାଗକୁ ଅଣାଯାଇଥିଲା ସେତେବେଳେ ତା’ ଶରୀରର ଏକ ତୃତୀୟାଂଶ ପୋଡି ହୋଇଯାଇଥିବା ସହ ଆଖି, ନାକ, ମୁହଁ, ଗାଲ ଏବଂ ବେକରେ ଗୁରୁତର କ୍ଷତ ହୋଇଥିଲା। ଏଥି ସହିତ ତା’ର ଛାତି, ପେଟ, ହାତ ଏବଂ ଗୋଡ ପୋଡି ହୋଇଯାଇଥିବା ବେଳେ ତା’ ପେଟ ମଧ୍ୟରୁ ଅନ୍ତନଳୀ ବାହାରକୁ ବାହାରି ଆସିଥିଲା।

ଡାକ୍ତରମାନେ ପ୍ରଥମେ ଶିଶୁଟିର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ପ୍ରାଥମିକ ଚିକିତ୍ସା କରିବା ସହ ତା’ ଶରୀରରେ ଥିବା କ୍ଷତଗୁଡିକର ଉପଯୁକ୍ତ ପରୀକ୍ଷା ନିରୀକ୍ଷା କରିଥିଲେ। ବାଳକଟିର ଚିକିତ୍ସା ଓ ସର୍ଜରୀ ନିମନ୍ତେ ଶିଶୁରୋଗ, ସାଧାରଣ ଶଲ୍ୟ, ଶିଶୁ ଶଲ୍ୟ, ପ୍ଲାଷ୍ଟିକ ସର୍ଜରୀ, ଓପ୍‌ଥାଲମୋଲୋଜି ଏବଂ ରେଡିଓଲୋଜି ବିଭାଗର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା।

ଯଦିଓ ଗୁରୁତର ଭାବେ ପୋଡି ହୋଇଯାଇଥିବା ଏହି ବାଳକଟିର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥିଲା ତା’ ପେଟର କ୍ଷତ ଗଭୀର ହୋଇଥିବାରୁ ତୁରନ୍ତ ସର୍ଜରୀ ପାଇଁ ନିଷ୍ପତି ନିଆଯାଇଥିଲା. ସର୍ଜରୀ ପରେ ବାଳକଟିକୁ ଆଇସିୟୁରେ ରଖାଯିବା ସହ ଦୀର୍ଘ ଏକ ମାସ ଧରି ତା’ର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଇଥିଲା। ସୁସ୍ଥ ହେବା ପରେ ସେ ଚାଲିବା ଓ ବସିବାକୁ ସକ୍ଷମ ହୋଇପାରିଥିଲା। “ଆମେ ଖୁବ୍ ଖୁସୀ ଯେ ଆମ ଚେଷ୍ଟା ଫଳରେ ଶିଶୁ ଏବଂ ତା’ର ଅଭିଭାବକଙ୍କ ମୁହଁରେ ପୁଣି ଥରେ ହସ ଫେରିଆସିଛି” ବୋଲି ପେଡିଆଟ୍ରିକ୍ ସର୍ଜରୀ ବିଭାଗର ପ୍ରଫେସର (ଡଃ) ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି।

ବାଳକଟିର ଚିକିତ୍ସା ନିମନ୍ତେ ଗଠିତ ଟିମ୍‌ରେ ଜେନେରାଲ୍ ସର୍ଜରୀ ବିଭାଗର ଡାକ୍ତର ଜେ.ଏନ ସେନାପତି ଓ ଡାକ୍ତର ସୋନାଲି ମହାନ୍ତି, ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଡାକ୍ତର ସୁଧାଂଶୁ ଏସ୍ ପାତ୍ର, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ସୁଶାନ୍ତ ମିଶ୍ର ଓ ଡାକ୍ତର ରାଜେଶ ଗନ୍ତାୟତ, ରେଡିଓଲୋଜି ବିଭାଗର ଡାକ୍ତର ସତ୍ୟ ଏସ୍‌. ମହାପାତ୍ର ଏବଂ ଆନେସ୍‌ଥେସିଆ ବିଭାଗର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ରୋହନ୍‌ ନାୟକ, ଡାକ୍ତର ଅଶୋକ ଓ ଡାକ୍ତର ମିନଲ୍ ପ୍ରମୁଖ ସାମିଲ ଥିଲେ।

ଏହି ଟିମ୍‌କୁ ଫାର୍ମାସିଷ୍ଟ ସସ୍ମିତା ଓ ପ୍ରଣତୀ ଏବଂ ନର୍ସିଂ ଷ୍ଟାଫ୍ ବିଶ୍ୱରଞ୍ଜନ, ପୁଷ୍ପଲତା, ସ୍ମୃତିରେଖା ଓ ତୋଫାନ୍ ପ୍ରମୁଖ ସାହାଯ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାର୍‌-ବାଇକ୍ ଧକ୍କା: ବାଇକ ଚାଳକ ଗୁରୁତର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ଵ ଅଶ୍ୱିନୀ କୋଭିଡ଼୍ ହସ୍‌ପିଟାଲ୍ ସମ୍ମୁଖରେ ଏକ ଅଜଣା କାର୍ ଧକ୍କାରେ ଜନୈକ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ବାଇକ୍ ଚାଳକ ଇଚ୍ଛାପୁର ବେଲପଡ଼ା ଗ୍ରାମର ରାଜେନ୍ଦ୍ର ନିମାଇଁ (୫୨) ନିଜ ବାଇକ୍‌ରେ ବ୍ରହ୍ମପୁର ଶ୍ୱଶୁର ଘରକୁ ଯାଉଥିବାବେଳେ ବିପରୀତ ଦିଗରୁ ଏକ ଅଜଣା କାର୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ କନିଷି ଅଗ୍ନିଶମ କର୍ମଚାରୀ ଏଲ୍‌ଏଫ୍‌ଏମ୍ ଶଙ୍କର ବେହେରା ଏବଂ ଭାସ୍କର ରାଉତ ପହଞ୍ଚି ଆହତ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡ଼ିରେ ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ରାଜେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ସୁଦ୍ଧା ଗୋଳନ୍ଥରା ଥାନାରେ କୌଣସି ଅଭିଯୋଗ ହୋଇନାହିଁ କିମ୍ବା ପୋଲିସ୍ ନିଜ ଆଡ଼ୁ ଘଟଣାର ଅନୁସନ୍ଧାନ କରିନାହିଁ।

Categories
ଆଞ୍ଚଳିକ

କାଳୁପଡ଼ା ବଜାରରୁ ଗୁରୁତର ଅବସ୍ଥାରେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନସ୍ଥ କାଳୁପଡା ଘାଟ ବଜାରରୁ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ବ୍ୟକ୍ତିଜଣଙ୍କ ଗୁରୁତର ଆହତ ହୋଇ ଏକ ଘଞ୍ଚ ବୁଦା ଭିତରେ ପଡିଥିଲେ। ସ୍ଥାନୀୟ ଯୁବକମାନେ ଆହତ ବ୍ୟକ୍ତିଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସଂଗଠନର ନଜରକୁ ଆଣିଥିଲେ।

ସଂଗଠନର ଅଧ୍ୟକ୍ଷ ଶିଵ ଶଙ୍କର ଦାସଙ୍କ ତତ୍ୱାବଧାନରେ ଏକ ଦଳ କାଳୁପଡା ଘାଟ ଅଞ୍ଚଳର କିଛି ସ୍ଥାନୀୟ ଲୋକଙ୍କ ସହ ମିଶି ସମୃକ୍ତ ରୋଗୀକୁ ସଫା କରିବା ସହ ନୂତନ ବସ୍ତ୍ର ପରିଧାନ କରାଇଥିଲେ। ତାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହାପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଅଛି।

ଅପର ପକ୍ଷରେ ରୋଗୀର ସମ୍ପୁର୍ଣ୍ଣ ସୁସ୍ଥ ହେବା ଯାଏଁ  ଜୟ ଜଗନ୍ନାଥ ସଂଗଠନ, କଟକ ବ୍ରହ୍ମପୁର ଶାଖା ପକ୍ଷରୁ ସମସ୍ତ ଖର୍ଚ୍ଚ ଭରଣ କରାଯିବ ବୋଲି ସଙ୍ଘର ସଭାପତି ଶିଵ ଶଙ୍କର ଦାସ ସୂଚନା ଦେଇଛନ୍ତି। ଏହି ମହତ୍ତ କାର୍ଯ୍ୟରେ ସ୍ଥାନୀୟ ଯୁବକ ବିନୁ ଦାସ, ବାଇନ ଶ୍ରୀଚନ୍ଦନ, ଦୀପକ ନାଥ, ଦେଵ ସେଠୀ, ଅଜୟ ମହାନ୍ତି, ଶକ୍ତି ଆଚାର୍ଯ୍ୟ ଏବଂ ନିଲୁ ସାହୁ ପ୍ରମୁଖ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିବା ସହ ରୋଗୀଟିର ଦୃତ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଗୁରୁତର

ସୀତାରାମ ଅଗ୍ରୱାଲ 

ଟାଙ୍ଗୀ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ତାରିମୀ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା  ଘଟିଛି। ଛତୁ ତରକାରୀ ଖାଇ ବାପା, ମାଆ, ଓ ପୁଅ ଗୁରୁତର ହୋଇପଡିଛନ୍ତି। ଗୁରୁତର ମାନେ ହେଲେ ତାରିମୀ ଗ୍ରାମର ବାପା ସୁଦାମ ପ୍ରଧାନ (୬୦), ମା ସଵିତା  ପ୍ରଧାନ (୫୫) ଓ ପୁଅ ଭଗବାନ ପ୍ରଧାନ (୨୮)। ଗୁରୁତରଙ୍କୁ ଚିକିତ୍ସା ଲାଗି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁଯାୟୀ ଆଜି ଭଗବାନ ପ୍ରଧାନ ନିଜ ବାଡି ପଟୁ ଛତୁ ତୋଳି ଘରକୁ ଆଣିଥିଲେ। ପୁଅ ଆଣିଥିବା ଛତୁ ମା ତରକାରୀ କରିବା ପରେ ପରିବାରର ସମସ୍ତ ସଦସ୍ୟ ମିଶି ଭାତ ସହ ଛତୁ ତରକାରୀ ଖାଇଥିଲେ। ଖାଇବାର ପ୍ରାୟ ୫ ଘଣ୍ଟା ପରେ ସମସ୍ତେ ଝାଡା  ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ଥାନୀୟ  ଲୋକେ ସେମାନଙ୍କୁ ଗୁରୁତର ଅଵସ୍ଥାରେ ଉଦ୍ଧାର କରି ଟାଙ୍ଗୀ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେମାନେ ଟାଙ୍ଗୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର

ଭୁବନେଶ୍ବର :  ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର ହୋଇଛନ୍ତି ।ଯୁବତୀଙ୍କଠାର ମୋବାଇଲ ଝାମ୍ପିବାବେଳେ ସ୍କୁଟିରୁ ଖସି ଗୁରୁତର ହୋଇଛନ୍ତି ଯୁବତୀ । ରସୁଲଗଡ କେନାଲ୍‌ ରୋଡ୍‌ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଏହି ଲୁଟ୍‌ ହୋଇଥିବାର ସୂଚନା ରହିଛି । ସ୍କୁଟି ଚଳାଇ ଏକୁଟିଆ ଯାଉଥିବାବେଳେ ଯୁବତୀଙ୍କୁ ଟାର୍ଗେଟ କରିଥିଲେ ଲୁଟେରା । ଦ୍ରୁତ ଗତିରେ ଆସି ଯୁବତୀଙ୍କ ମୋବାଇଲ ଝାମ୍ପି ପଳାଇଥିଲା ଦୁର୍ବୃତ୍ତ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଭାରସାମ୍ୟ ହରାଇ ଖସିପଡିଥିଲେ ଯୁବତୀ । ଜଣେ ସମାଜସେବୀ ଯୁବତୀଙ୍କୁ ଉଦ୍ଧାର କରି ପୋଲିସ୍‌କୁ ଜଣାଇଥିଲେ । ପୋଲିସ୍‌ ପିସିଆର ଭ୍ୟାନ୍‌ ପହଞ୍ଚି ଯୁବତୀଙ୍କୁ ହସ୍ପିଟାଲ ନେଇଥିଲା । ଘଟଣା ସମ୍ପର୍କରେ ମଞ୍ଚେଶ୍ବର ଥାନାରେ ଏତଲା ଦେଇଛନ୍ତି ଯୁବତୀଙ୍କ ବାପା ।

Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ 5 ଗୁରୁତର

ନୀଳଗିରି : ଆଜି ଭୋର୍‌ରୁ  ଭାଲୁ ଆକ୍ରମଣରେ 5 ଜଣ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ବାଉଁଶବଣିଆ ଅଂଚଳରୁ ଆସିଥିବା ୨ଟି ଭାଲୁ 5 ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।  ଔପଦା ବ୍ଲକ ଅନ୍ତର୍ଗତ ବାଉଁଶବଣିଆରେ ୨ଟି ଭାଲୁ ଜଙ୍ଗଲକୁ ଫେରୁଥିବା ବେଳେ ସେମାନଙ୍କ ହାବୁଡରେ ପଡ଼ିଯାଇଥିଲେ ୫ ଜଣ ଲୋକ । ଭାଲୁ ଆକ୍ରମଣରେ 5 ଜଣ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : 35 ଆହତ, ତିନି ଗୁରୁତର

ପ୍ରୟାଗରାଜ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ସୂଚନା ରହିଛି। ଏହି ଦୁର୍ଘଟଣାରେ 35 ଜଣ ଆହତ ହୋଇଥିବାବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୂଚନା ଅନୁସାରେ ବସ୍‌ର ଟାୟାର ଫାଟିବା କାରଣରୁ ବସଟି ଓଲଟି ପଡିଥିଲା। ବସ୍‌ ଟି ଜୟପୁରରୁ ପଶ୍ଚିମବଙ୍ଗ ଯାଉଥିବା ବାଟରେ ପ୍ରୟାଗରାଜର  ନଓ୍ବାବଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରୋନା ସଂକଟକୁ ଦେଖି ମାର୍ଚ୍ଚ 24 ତାରିଖରେ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏବେ ଦେଶରେ ଲକ୍‌ ଡାଉନ୍‌ 4.0 ଜାରି ହୋଇଛି । ଲକ୍‌ ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତିକୁ ଦେଖି ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ଏହି ପଳାୟନ ମଧ୍ୟରେ ଦେଶରେ ବିଭିନ୍ନ ଅଞ୍ଚଳରେ ବସ୍‌ ଦୁର୍ଘଟଣା, ଟ୍ରେନ୍‌ ଦୁର୍ଘଟଣା  ଓ ସଡକ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହେଉଥିବାର ସୂଚନା ମିଳୁଛି ।

କିଛି ଦିନ ତଳେ ୟୁପିର ଔରେୟାଠାରେ ଏକ ସଡକ ଦୁର୍ଘଟଣାରେ 24 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 35 ଜଣ ଶ୍ରମିକ ଗୁରୁତରଆହତ ହୋଇଥିଲେ । ଏହି ଘଟଣା ପାଇଁ ସୀମାର ଦୁଇ ଏସ୍‌ଏଚ୍‌ଓଙ୍କ ନିଲମ୍ବିତ ମଧ୍ୟ କରାଯାଇଥିଲା । (ଏଜେନ୍ସି)