ଭାଟପଡା ଛକରେ ଖଣ୍ଡାରେ ଆକ୍ରମଣ: ସରପଞ୍ଚଙ୍କ ସମ୍ପର୍କୀୟ ଗୁରୁତର

Published: Jun 23, 2022, 12:32 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭାଟପଡା ଛକରେ ଆଜି ଭୋରରୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ସରପଞ୍ଚ ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ତାଙ୍କରି ବଡବାପା ଓ ପୁଅ। ଏ ନେଇ ଗମ୍ଭାରୀମୁଣ୍ଡା ବିଟ ହାଉସରେ ଏକ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ଶ୍ୱଶୁର ରାମଚନ୍ଦ୍ର ବେହେରା।

ଅଭିଯୋଗ ମୁତାବକ ଟାଙ୍ଗୀ ଥାନା କୁହୁଡି ରତନପୁର ଗ୍ରାମରେ ଗତକାଲି କୁଲେଇ ସରପଞ୍ଚଙ୍କ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ଶେଷ ହେବା ପରେ ବରଯାତ୍ରୀ ନେଇ ବରପକ୍ଷ ନିଜ ଗ୍ରାମ ବିଂଝଳାକୁ ଫେରିବା ପରେ ରାତି ୩ ଘଟିକାରେ ଉକ୍ତ ଗ୍ରାମର ଭାସ୍କର ବେହେରା ଓ ତାଙ୍କ ପୁତ୍ର ଉମକାନ୍ତ ବେହେରା ହଠାତ ସରପଞ୍ଚଙ୍କ ଘର ଦୁଆର ସମ୍ମୁଖରେ ଖଣ୍ଡା ଓ ଫାର୍ଷା ଧରି ଗାଳିଗୁଲଜ କରିବାକୁ ଲାଗିଥିଲେ।

ରାମଚନ୍ଦ୍ର ଦୁଆର ଖୋଲିବାରୁ ତାଙ୍କୁ ଆକ୍ରମଣ ପାଇଁ ଉଭୟ ଅଭିଯୁକ୍ତ ଦଉଡି ଆସିବା ବେଳେ ରାମଚନ୍ଦ୍ର ଦୁଆର ବନ୍ଦ କରିଦେଇଥିଲେ। କିନ୍ତୁ ଉଭୟ ଅଭିଯୁକ୍ତ ରାମଚନ୍ଦ୍ର ଏବଂ ତାଙ୍କ ପୁଅ ତଥା ସରପଞ୍ଚଙ୍କ ସ୍ୱାମୀ ପ୍ରକାଶ ବେହେରାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରିଯାଇଥିଲେ।

ତେବେ ଭାଟପଡ଼ା ଛକରେ କୁଲେଇ ସରପଞ୍ଚ ସ୍ୱାମୀଙ୍କ ସମ୍ପର୍କୀୟ କାଁହୁଚରଣ ବେହେରା ଏବଂ ତାଙ୍କ ସାଙ୍ଗ ଅଭୟ ସାହୁଙ୍କୁ ଦେଖି ଉକ୍ତ ଅଭିଯୁକ୍ତ ଦ୍ବୟ ଗାଳିଗୁଲଜ କରିବା ସହ କାହ୍ନୁଙ୍କ ଦୁଇ ହାତକୁ ଖଣ୍ଡାରେ ଏକାଧିକ ଥର ଚୋଟ ପକାଇଥିଲେ। କାହ୍ନୁ ସଙ୍ଗେ ସଙ୍ଗେ ତଳେ ପଡିଯାଇଥିଲେ ଏବଂ ଗ୍ରାମବାସୀ ତୁରନ୍ତ ତାଙ୍କୁ ଗମ୍ଭାରୀମୁଣ୍ଡା ମେଡିକାଲ ଏବଂ ପରେ ଗୁରୁତର ଭାବେ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ।

ଖବର ପାଇ ବାଣପୁର ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହ ବର୍ତ୍ତମାନ ଭାସ୍କର ବେହେରାଙ୍କୁ ଅଟକ କରିଥିବା ବେଳେ ତାଙ୍କ ପୁତ୍ର ଉମାକାନ୍ତ ବେହେରା ଫେରାର ଅଛନ୍ତି।

Related posts