ପଶ୍ଚିମବଙ୍ଗର ରାଜ୍ୟପାଳ ହେବେ କି ମୁଖତାର ଅବ୍ବାସ ନକଭି?: ଅଭିନନ୍ଦନ ଜଣାଇଲେ ବିଜେପି ସାଂସଦ

Published: Jul 18, 2022, 8:49 pm IST

ନୂଆଦିଲ୍ଲୀ: ବିଜେପି ସାଂସଦ ହଂସରାଜ ହଂସ ଆଜି ଏକ ଟୁଇଟରେ ମୁଖତାର୍ ଅବ୍ବାସ ନକଭିଙ୍କୁ ରାଜ୍ୟପାଳ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ମୁଖତାର ଅବ୍ବାସ ନକଭି ଜୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ବଙ୍ଗଳାର ନୂତନ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିବାରୁ ଅଭିନନ୍ଦନ। ଏହା ପରେ ମୁଖତାର୍ ଅବ୍ବାସ ନକଭି ରାଜ୍ୟପାଳ ହେବାର ଖବରକୁ ଅସ୍ୱୀକାର କରିଛନ୍ତି। ସେ କହିଥିଲେ ମୁଁ ଜାଣେ ନାହିଁ। ଏହା ପରେ ଉତ୍ତର-ପଶ୍ଚିମ ଦିଲ୍ଲୀର ସାଂସଦ ତଥା ଗାୟକ ହଂସରାଜ ହଂସ ମଧ୍ୟ ଏହି ଟ୍ୱିଟକୁ ଡିଲିଟ କରିଛନ୍ତି।

ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିଜେପି ମନୋନୀତ କରିଛି। ଏହା ପରେ ମଣିପୁର ରାଜ୍ୟପାଳ ଲା. ଗଣେଶଙ୍କୁ ପଶ୍ଚିମବଙ୍ଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏଭଳି ପରିସ୍ଥିତିରେ ଖୁବ୍ ଶୀଘ୍ର ଜଣେ ନୂତନ ରାଜ୍ୟପାଳ ନିଯୁକ୍ତ ହୋଇପାରନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ନକଭିଙ୍କୁ ରାଜ୍ୟପାଳ ହୋଇଥିବାରୁ ହଂସରାଜ ହଂସ ଅଭିନନ୍ଦନ ଜଣାଇଛନ୍ତି।

ନିକଟରେ ଯେତେବେଳେ ରାଜ୍ୟସଭାରେ ମୁଖତାର୍ ଅବ୍ବାସ ନକଭିଙ୍କ କାର୍ଯ୍ୟକାଳ ସମାପ୍ତ ହେଲା, ସେତେବେଳେ ବିଜେପି ତାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ତେବେ ତୀବ୍ର ଆଲୋଚନା ପରେ ବିଜେପି ଧନଖରଙ୍କ ନାମ ଘୋଷଣା କରିଛି। ଆଜି ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କୁ ବିରୋଧୀ ପ୍ରାର୍ଥୀ କଂଗ୍ରେସ ନେତା ମାର୍ଗରେଟ୍ ଅଲଭାଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଛି। ତେବେ ଧନଖରଙ୍କ ବିଜୟ ନିଶ୍ଚିତ ହେବ ବୋଲି ଜଣାପଡିଛି। ଉପରାଷ୍ଟ୍ରପତିଙ୍କ ପାଇଁ ମତଦାନ ଅଗଷ୍ଟ ୬ ତାରିଖରେ ହେବ।

Related posts