ଚଳିତ ବର୍ଷର ସିଏଟ୍ କ୍ରିକେଟ୍ ରେଟିଂ (ସିସିଆର୍) ଇଣ୍ଟରନ୍ୟାସନାଲ୍ ଆଓ୍ବାର୍ଡ ୨୦୧୯ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଦିଆଯାଇଥିବା ଏହି ପୁରସ୍କାର ବିତରଣ ଉତ୍ସବରେ କ୍ରିକେଟ୍ ଖେଳାଳୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଭାରତର ଅଧିନାୟକ ବିରାଟ କୋହଲି ବର୍ଷର ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ୍ କ୍ରିକେଟର ଏବଂ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିବାବେଳେ ଶ୍ରେଷ୍ଠ ଅନ୍ତର୍ଜାତୀୟ ମହିଳା କ୍ରିକେଟର ଭାବେ ସ୍ମୃତି ମନ୍ଧାନା ପୁରସ୍କୃତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ ବୁମ୍ରା ଶ୍ରେଷ୍ଠ ଇଣ୍ଟରନ୍ୟାଶନାଲ ବୋଲର, ଚେତେଶ୍ୱର ପୂଜାରା ଶ୍ରେଷ୍ଠ ଟେଷ୍ଟ କ୍ରିକେଟର, ରୋହିତ ଶର୍ମା ଶ୍ରେଷ୍ଠ ଦିନିକିଆ କ୍ରିକେଟର, ଆରୋନ ଫିଞ୍ଚ୍ ଶ୍ରେଷ୍ଠ ଟି୨୦ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କୁଲଦୀପ ଯାଦବ, ବର୍ଷର ଶ୍ରେଷ୍ଠ ଟି୨୦ ବୋଲରଭାବେ ରଶିଦ ଖାଁ, ଶ୍ରେଷ୍ଠ ଘରୋଇ ଖେଳାଳି ହିସାବରେ ଆଶୁତୋଷ ଅମନ, ଯଶସ୍ବୀ ଜୟସ୍ବାଲ ଶ୍ରେଷ୍ଠ ଜୁନିୟର କ୍ରିକେଟର ଅଫ୍ଦି ଇୟର ପୁରସ୍କାର ପାଇଛନ୍ତି। ଭାରତର ୧୯୮୩ ବିଶ୍ୱକପ୍ ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମହିନ୍ଦର ଅମରନାଥଙ୍କୁ ସିସିଆର ଲାଇଫ୍ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଛି।