ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଆଉ ହାତରେ କେଇଟା ଦିନ। ସବୁ ରାଜନୈତିକ ଦଳ ଏବେ ଜୋର୍ସୋର୍ରେ ପ୍ରଚାର ପ୍ରସାର ଚଳାଇଥିବାବେଳେ ଆରୋପ ପ୍ରତ୍ୟାରୋପ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି। ବିଏସ୍ପି ସୁପ୍ରିମୋ ମାୟାବତୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ଚାଲିଛନ୍ତି। ପୂର୍ବରୁ ମୋଦିଙ୍କ ଦାମ୍ପତ୍ୟ ଜୀବନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମାୟାବତୀ ଏବେ ବିଜେପି ସରକାରଙ୍କୁ ଆକ୍ଷେପ କରିଛନ୍ତି। ମାୟାବତୀ କହିଛନ୍ତି ଯେ, ମୋଦି ସରକାର ଏକ ବୁଡୁଥିବା ଡଙ୍ଗା। ସଂଘ ପରିବାର ବା ଆର୍ଏସ୍ଏସ୍ ମଧ୍ୟ ମୋଦିଙ୍କ ହାତ ଛାଡ଼ି ଦେଲାଣି ବୋଲି ମାୟାବତୀ କହିଛନ୍ତି। ଏହାଯୋଗୁ ବିଜେପିକୁ ଜନବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ଏଥିପାଇଁ ମୋଦି ପୁଣି ଥରେ ଶାସନ ଡୋର ହାତେଇବା ପାଇଁ ନାନା କୌଶଳ କରୁଛନ୍ତି ବୋଲି ମାୟାବତୀ କହିଛନ୍ତି। ସେହିପରି ଅନ୍ୟ ଏକ ଟୁଇଟ୍ରେ ବିଜେପି ଆରମ୍ଭ କରିଥିବା ‘ମୈ ଭି ଚୌକିଦାର’ ପ୍ରଚାର କାର୍ଯ୍ୟକ୍ରମକୁ ମଧ୍ୟ ମାୟାବତୀ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଦେଶବାସୀ ଅନେକ ନେତାଙ୍କୁ ଦେଖିଲେଣି। କିଏ ନିଜକୁ ସେବକ କହୁଛି ତ ଆଉ କିଏ ଜନ ସେବକ, ଚାଏୱାଲା ଓ ପୁଣି ଚୌକିଦାର କହି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏବେ କିନ୍ତୁ ଦେଶରେ ଏମିତି ଜଣେ ପ୍ରଧାନମନ୍ତ୍ରୀ ହେବେ, ଯିଏ ସମ୍ବିଧାନକୁ ମାନି ଲୋକଙ୍କ ବିକାଶ ପାଇଁ କାମ କରିବେ। ନିର୍ବାଚନ ପାଇଁ ରୋଡ୍ ଶୋ’ ଏବଂ ମନ୍ଦିରରେ ପୂଜାର୍ଚ୍ଚନା ଏକ ଫ୍ୟାଶନରେ ପରିଣତ ହୋଇଛି ବୋଲି କହିବା ସହି ଏହି କାର୍ଯ୍ୟକ୍ରମ ପାଇଁ ବିପୁଳ ଟଙ୍କା ବ୍ୟୟ ହେଉଛି। ଇସି ଏହାକୁ ବିଚାରକୁ ନେବା ଦରକାର ବୋଲି ମାୟାବତୀ କହିଛନ୍ତି।