ସମୀକ୍ଷା ବ୍ୟୁରୋ
ଫନି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଦଳ ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଯାଇ ସେଠାକାର ସ୍ଥିତି ଦେଖିବେ। ଫନି ବାତ୍ୟାରେ କଳିଙ୍ଗ ଷ୍ଟାଡିୟମର ବହୁତ କ୍ଷତି ହୋଇଛି। ଦର୍ଶକ ଗ୍ୟାଲେରୀରର ଛାତ ଉଡିଯାଇଥିବା ସହିତ ବିଭିନ୍ନ ସ୍ଥାନରେ ଗଛ ପଡି ବହୁ କ୍ଷୟକ୍ଷତି ହୋଇଛି। ସେସବୁ ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଦଳ। ଏହାପରେ ଏହି ଦଳ କଳିଙ୍ଗ ନଗର,ରସୁଲଗଡ ଏବଂ କଲରପୁଟ ବସ୍ତି ଅଞ୍ଚଳ ପରିଦର୍ଶନରେ ଯିବେ। ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଆସିଯାଇଥିଲେ ମଧ୍ୟ କଳିଙ୍ଗ ନଗରକୁ ଏ ପର୍ଯ୍ୟନ୍ତ ସଂଯୋଗ ଦିଆଯାଇପାରି ନାହିଁ। ଏହାର କାରଣ କଣ ଜାଣିବା ପାଇଁ ଏହି ଦଳ କଳିଙ୍ଗ ନଗର ଗସ୍ତ କରୁଥିବାର ଜଣାପଡିଛି। ତାଙ୍କର ଗସ୍ତ ସମୟରେ ସେସୁର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଏହି ଦଳ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିବେ।