ପଶ୍ଚିମବଙ୍ଗରେ ଜାରି ରହିଥିବା ନିର୍ବାଚନୀ ହିଂସାକୁ ଆଖିରେ ରଖି ନିର୍ବାଚନ ଆୟୋଗ ଗୋଟିଏ ଦିନ ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁସାରେ ଗୁରୁବାର ରାତି ୧୦ଟା ପରେ କୌଣସି ରାଜନୈତିକ ଦଳ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ । ତେବେ ନିର୍ବାଚନ ଆୟୋଗଙ୍କ ଏପରି ନିଷ୍ପତ୍ତିକୁ ନେଇ ମାୟାବତୀ ମମତାଙ୍କୁ ସପକ୍ଷ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ବିଜେପିର ଚାପରେ ଆସି ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମାୟାବତୀ ସିଧାସଳଖ କହିଛନ୍ତି । ମାୟାବତୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ନିର୍ବାଚନ ଆୟୋଗ ଆଜି ସକାଳରୁ ମଧ୍ୟ ପ୍ରଚାର ଉପରେ ରୋକ୍ ଲଗାଇ ପାରିଥାନ୍ତେ, କିନ୍ତୁ ଆଜି ରାତ୍ରିରେ ମୋଦିଙ୍କର ୨ଟି ରାଲି ରହିଥିବାରୁ ୧୦ଟା ପରେ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ଚାପରେ ନିର୍ବାଚନ ଆୟୋଗ ଏଭଳି କରୁଛନ୍ତି ବୋଲି ମାୟାବତୀ କହିଛନ୍ତି । ପଶ୍ଚିମବଙ୍ଗରେ ବିଜେପି ପାଇଁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । ମମତାଙ୍କୁ ଟାର୍ଗେଟ୍ କରି ବିଜେପି ବଙ୍ଗଳା ସରକାରଙ୍କୁ ବଦନାମ କରୁଛି । ଏହା ଦେଶ ପାଇଁ ଅନ୍ୟାୟ ଓ ବିପଦପୂର୍ଣ୍ଣ ବୋଲି ମାୟାବତୀ କହିଛନ୍ତି ।