
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମାନନୀୟ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି।
ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଶ୍ରୀ ନାଇଡୁଙ୍କୁ ଭେଟିବା ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଷ୍ଟେଟ୍ସ ମ୍ୟାନ ଶ୍ରୀ ନାଇଡୁଙ୍କ ଉଭୟ ଲୋକସଭା ଏବଂ ରାଜ୍ୟସଭା ଗୃହରେ ସେବା କାର୍ଯ୍ୟ ଥିଲା ଅନନ୍ୟ। ଶ୍ରୀ ନାଇଡୁ ଗଣତାନ୍ତ୍ରିକ ପରମ୍ପରାକୁ ଉର୍ଦ୍ଧ୍ୱରେ ରଖି ଗୃହ କାର୍ଯ୍ୟକୁ ଯେପରି ପରିଚାଳନା କରିଥିଲେ, ସେଥିପାଇଁ ସେ ଜନପ୍ରିୟ ହେବା ସହ ସବୁ ଦଳ ଦ୍ୱାରା ପ୍ରଶଂସାର ପାତ୍ର ହୋଇଥିଲେ। ତାଙ୍କ ଭଳି ଜଣେ ଆଦର୍ଶ ଓ ବିଦ୍ୱାନ ବ୍ୟକ୍ତିଙ୍କ ସ୍ନେହ ଓ ପାଣ୍ଡିତ୍ୟର ମୁଁ ଲାଭ ପାଇଛି। ସଂସଦରେ ତାଙ୍କର ଉଚ୍ଚାରଣ ଶୈଳୀ ଏବଂ ଉପାଖ୍ୟାନ ସ୍ମରଣୀୟ ହୋଇ ରହିବ। ଶ୍ରୀ ନାଇଡୁଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରନ୍ତର ମାର୍ଗଦର୍ଶନ ଆଗକୁ ମଧ୍ୟ ରହିବା ନେଇ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।