ଟ୍ରେନରେ ୫ ବର୍ଷରୁ କମ୍ ପିଲାଙ୍କ ମାଗଣା ଯାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନାହିଁ, ରେଳ ବିଭାଗ

Published: Aug 19, 2022, 12:31 pm IST

ନୂଆଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ।

ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁ ନାହାନ୍ତି, ତେବେ ଏହା ମାଗଣା ରହିଛି, ଯେଉଁ ଭଳି ପୂର୍ବରୁ ରହି ଆସିଛି।

ରେଳ ମନ୍ତ୍ରଣାଳୟର ତା ୦୬.୦୩.୨୦୨୦ରିଖର ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ପାଂଚ ବର୍ଷରୁ କମ୍ ବୟସର ପିଲା ମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ। କିନ୍ତୁ, ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍‌) ଦିଆଯିବ ନାହିଁ। ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକେଟ୍ କ୍ରୟ କରିବା ଆବଶ୍ୟକ ନାହିଁ। ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ ବା ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ।

Related posts