
ନୂଆଦିଲ୍ଲୀ: ଆଜିକାଲି କଂଗ୍ରେସ ଦଳରେ ସବୁ କିଛି ଠିକ ଥିଲା ଭଳି ମନେ ହେଉନି। ନିକଟରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିଥିଲେ। କିନ୍ତୁ ଏବେ ତାଙ୍କ ପରେ ଦଳକୁ ଆହୁରି ବଡ ଝଟକା ଲାଗିଛି। ଜମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ୬୪ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଦଳରୁ ଇସ୍ତଫା ଘୋଷଣା କରିଛନ୍ତି। ପୂର୍ବତନ ମନ୍ତ୍ରୀ ତାରା ଚାନ୍ଦଙ୍କ ବ୍ୟତୀତ କଂଗ୍ରେସ ଛାଡିବାକୁ ମଜିଦ୍ ୱାନି, ଡ. ମନୋହର ଲାଲ ଶର୍ମା, ଚୌଧୁରୀ ଘରୁ ରାମ ଏବଂ ପୂର୍ବତନ ବିଧାୟକ ଠାକୁର ବଲୱାନ ସିଂ, ପୂର୍ବତନ ସାଧାରଣ ସମ୍ପାଦକ ବିନୋଦ ମିଶ୍ର କଂଗ୍ରେସ ଛାଡିବା ପାଇଁ ଘୋଷଣା କରିଛନ୍ତି।
ରିପୋର୍ଟ ଅନୁଯାୟୀ, କଂଗ୍ରେସରୁ ଇସ୍ତଫା ଦେଇଥିବା ଏହି ସମସ୍ତ ୬୪ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱରେ ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମିଳିତ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।