
ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ନାମ ପ୍ରକାଶିତ ହୋଇଛି। ବର୍ତ୍ତମାନ ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ସଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।
ମଙ୍ଗଳବାର ଦିନ ଈଶ୍ବର ଚନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସପତ୍ନୀକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଈଶ୍ବର ଚନ୍ଦ୍ର ଲେଖିଥିବା ଦୁଇଟି ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଉପହାର ଦେଇଥିଲେ। ତାଙ୍କ ସାଥୀରେ ଥିଲେ ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
ପ୍ରକାଶଯୋଗ୍ୟ ଯେ ଦେଶର ୪୬ ଜଣ କୃତୀ ଶିକ୍ଷକ ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ନାୟକ ରାଷ୍ଟ୍ରପତିଙ୍କଠାରୁ ଆସନ୍ତା ସେପେଫମ୍ବର ୫ ତାରିଖ ଦିନ ଏହି ପୁରସ୍କାର ଗ୍ରହଣ କରିବେ ।