Categories
ଆଜିର ଖବର ଜାତୀୟ ଖବର

‘ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩’ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଥିବା ବିଶେଷ କ୍ଷମତାକୁ ଜାଣିବା ଏବଂ ପିଲାଙ୍କର ସେହି କ୍ଷମତାକୁ ବିକଶିତ କରିବାରେ ସାହାଯ୍ୟ କରିବା ଶିକ୍ଷକ ଏବଂ ଅଭିଭାବକଙ୍କ କର୍ତ୍ତବ୍ୟ ଅଟେ। ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ସମ୍ବେଦନଶୀଳତା ଥିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ୭୫ ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩’ ପ୍ରଦାନ କରିବା ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇଛନ୍ତି।

ପବିତ୍ର ‘ଗୁରୁ ଦିବସ’ ଅବସରରେ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଶିକ୍ଷାଦାନ କାର୍ଯ୍ୟରେ ମହିଳାଙ୍କ ଭାଗିଦାରୀକୁ ଦେଖି ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରୁଥିବା ଶିକ୍ଷକଙ୍କ ମଧ୍ୟରେ ମହିଳା ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ରାଷ୍ଟ୍ରପ୍ରତି ଆଶାବ୍ୟକ୍ତ କରିଛନ୍ତି। ମହିଳା ସଶକ୍ତୀକରଣ ପାଇଁ ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷକ ମାନଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କରିବା ସହ ମାର୍ଗଦର୍ଶନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଗୁରୁ ଦିବସର ଅଭିନନ୍ଦନ ଜଣାଇବା ସହ ସମ୍ମାନିତ ୭୫ ଜଣ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପାଠପଢାରେ ଉନ୍ନତି ଆଣିବା ଦିଗରେ ଶିକ୍ଷକ ମାନଙ୍କର ଉତ୍ସାହ ଏବଂ ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଅଭିନବ ଶୈଳୀରେ ପାଠପଢା ପ୍ରେରଣାର ସ୍ରୋତ। ଆମ ଶିକ୍ଷା ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛନ୍ତି ଶିକ୍ଷକ। ଏହି ଶିକ୍ଷକ ସମୁଦାୟ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ସମାଜ ଭାବରେ ପରିଣତ କରିବା ଦିଗରେ ଆଗକୁ ନେବେ। ଆମର ଶିକ୍ଷକମାନେ ଶିକ୍ଷାଦାନ ଓ ଶିକ୍ଷା ଆହରଣରେ ଏକ ନୂଆ ମାନଦଣ୍ଡ ପ୍ରତିଷ୍ଠା କରି ଶିକ୍ଷିତ ଓ ବିକଶିତ ଭାରତର କଳ୍ପନାକୁ ସାକାର କରିବେ। ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା, ସୁସ୍ଥ ସମାଜ ଗଠନ କରିବା ତଥା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଭବିଷ୍ୟତରେ ଜଣେ ସୁନାଗରିକ ଭାବରେ ଗଢି ତୋଳିବା ଦିଗରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶର ଶିକ୍ଷା ପରିବାରରେ ଏହି ଯୋଗଦାନ ଶିକ୍ଷକ ଓ ଯୁବ ସମାଜକୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡ଼ିଶା ସମେତ ଦେଶର ୭୫ ଜଣ ପ୍ରତିଭାବାନ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ଶଶି ଶେଖର କର ଶର୍ମା, ସୁଭାଷ ଚନ୍ଦ୍ର ରାଉତ, ସୁଧାଂଶୁ ଶେଖର ପଣ୍ଡା, ରବିନାରାୟଣ ସାହୁ ଓ ସୁନୀତା ସିଂହ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଶଶି ଶେଖର କର ଶର୍ମା ଓଡ଼ିଆ ଭାଷାରେ ନବମ ଓ ଦଶମ ଶ୍ରେଣୀର ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରି ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛନ୍ତି।

ସେହିପରି ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ସୁଭାଷ ଚନ୍ଦ୍ର ରାଉତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଆରହଣରେ ସକ୍ରିୟ ଯୋଗଦାନ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଉତ୍ତରପ୍ରଦେଶ ପ୍ରଦେଶର ମେରଟରେ କେ.ଏଲ ଇଣ୍ଟରନ୍ୟାସନାଲ ସ୍କୁଲରେ ସୁଧାଂଶୁ ଶେଖର ପଣ୍ଡା ଦୀର୍ଘ ଦିନ ହେବ ଶିକ୍ଷକତା କରୁଛନ୍ତି। ଏହାବ୍ୟତିତ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଖୁଦପୁର ସ୍ଥିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ଭୁବନେଶ୍ୱରରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାର୍ଯ୍ୟରତ ସହକାରୀ ପ୍ରଶିକ୍ଷଣ ଅଧିକାରୀ ସୁନୀତା ସିଂହ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୭୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି: ଓଡିଶାରୁ ୪ ମନୋନୀତ

ଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୫, ୨୦୨୩ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ୭୫ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିବେ। ପ୍ରତି ବର୍ଷ ଭାରତରେ ସେପ୍ଟେମ୍ବର ୫ ତାରିଖ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଦିବସକୁ ଜାତୀୟ ଶିକ୍ଷକ ଦିବସ ଭାବେ ରୂପେ ପାଳନ କରା ଯାଇଥାଏ। ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶରେ ଶିକ୍ଷକ ମାନଙ୍କର ଅନନ୍ୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ଯେଉଁ ଶିକ୍ଷକମାନେ ନିଜ ପ୍ରତିବଦ୍ଧତା ଓ ନିଷ୍ଠା ବଳରେ କେବଳ ଶିକ୍ଷାର ଗୁଣବତ୍ତାରେ ଉନ୍ନତି କରି ନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ସେହି ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା। ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯିବ। ପୁରସ୍କାର ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟ ସୁଯୋଗ ପାଇବେ।

ଓଡିଶାରୁ ଦୁଇ ଜଣ ଶିକ୍ଷକ ଏବଂ ଦୁଇ ଜଣ ପ୍ରଶିକ୍ଷଣ ଅଧିକାରୀ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭଦ୍ରକ ଜିଲ୍ଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଏବଂ ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ପୁରସ୍କାର ବିଜେତାଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଖୁଦପୁରସ୍ଥିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ଭୁବନେଶ୍ୱରର ରାଜ୍ୟପାଳ ଭବନ ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରଶିକ୍ଷଣ ଅଧିକାରୀ (ଏଟିଓ) ସୁନୀତା ସିଂହ।

ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପ୍ରତି ବର୍ଷ ଶିକ୍ଷକ ଦିବସରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦେଶର ଶ୍ରେଷ୍ଠ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରା ଯାଇଥାଏ। ଚଳିତ ବର୍ଷ ଠାରୁ ଜାତୀୟ ଶିକ୍ଷକ ପୁରସ୍କାରର ପରିସରକୁ ବ୍ୟାପକ କରାଯାଇ ଉଚ୍ଚଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଶିକ୍ଷକ ମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଚଳିତ ବର୍ଷ ୫୦ ଜଣ ସ୍କୁଲ ଶିକ୍ଷକ, ଉଚ୍ଚଶିକ୍ଷା ବିଭାଗର ୧୩ ଜଣ ଶିକ୍ଷକ ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକଙ୍କୁ ମଧ୍ୟ ପୁରସ୍କୃତ କରାଯିବ।

ଅଭିନବ ଶିକ୍ଷାଦାନ, ଗବେଷଣା, ସାମୂହିକ ପ୍ରସାର ଏବଂ କାର୍ଯ୍ୟର ଅଭିନବତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଅଂଶଗ୍ରହଣ (ଜନ ଭାଗିଦାରୀ) କୁ ସର୍ବାଧିକ କରିବା ପାଇଁ ଅନଲାଇନ ମାଧ୍ୟମରେ ନାମାଙ୍କନ ଆହ୍ୱାନ କରା ଯାଇଥିଲା । ମାନ୍ୟବର ଶିକ୍ଷା ମନ୍ତ୍ରୀ ଶିକ୍ଷକ ଚୟନ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ତିନୋଟି ପୃଥକ ସ୍ୱାଧୀନ ଜାତୀୟ ଜୁରି ଗଠନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଷ୍ଟ୍ରପତି ପୁରସ୍କାର ମନୋନିତ ଶିକ୍ଷକ ଈଶ୍ବର ଚନ୍ଦ୍ର

ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ନାମ ପ୍ରକାଶିତ ହୋଇଛି। ବର୍ତ୍ତମାନ ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ସଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।

ମଙ୍ଗଳବାର ଦିନ ଈଶ୍ବର ଚନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସପତ୍ନୀକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଈଶ୍ବର ଚନ୍ଦ୍ର ଲେଖିଥିବା ଦୁଇଟି ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଉପହାର ଦେଇଥିଲେ। ତାଙ୍କ ସାଥୀରେ ଥିଲେ ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ପ୍ରକାଶଯୋଗ୍ୟ ଯେ ଦେଶର ୪୬ ଜଣ କୃତୀ ଶିକ୍ଷକ ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ନାୟକ ରାଷ୍ଟ୍ରପତିଙ୍କଠାରୁ ଆସନ୍ତା ସେପେଫମ୍ବର ୫ ତାରିଖ ଦିନ ଏହି ପୁରସ୍କାର ଗ୍ରହଣ କରିବେ ।