Categories
ଆଜିର ଖବର ରାଜ୍ୟ ଖବର

ଗୁରୁ ଦିବସରେ ଏସ.ଏସ.ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଓଡିଶା ରାଜ୍ୟ ଚୟନ ବୋର୍ଡ ଅଧ୍ୟାପକ ସଂଘ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାରେ ୨୭ ଗୋଟି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର କାର୍ଯ୍ୟରତ ୨୫୩ ଜଣ ଅଧ୍ୟାପକ ପବିତ୍ର ଗୁରୁ ଦିବସରେ କଳା ବ୍ୟାଜ ପରିଧାନ କରିଛନ୍ତି। ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୨୬ ଜଣ ଅଧ୍ୟାପକ ମହାବିଦ୍ୟାଳୟ ମୁଖ୍ୟ ଫାଟକ ଠାରେ ପ୍ରତିବାଦ କରିଥିଲେ।

ଦୀର୍ଘ ଦିନ ଧରି ଏସ.ଏସ.ବି ଅଧ୍ୟାପକ ମାନେ ଗ୍ରେଡ- ପେ ବାବଦରେ ୪୬୦୦ ରୁ ୫୪୦୦କୁ ପରିବର୍ତ୍ତନ ପାଇଁ ଦାବୀ କରି ଆସୁଛନ୍ତି। ରାଜ୍ୟ ସରକାର ସ୍ନାତକ ଶ୍ରେଣୀ ପାଇଁ ନିଯୁକ୍ତି ଦେଇଥିବା ବେଳେ ସେହି ଅନୁସାରେ ଦରମା ପ୍ରଦାନ କରୁନଥିବା ଅଭିଯୋଗ କରାଯାଇଛି।

ରାଜ୍ୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି। କିନ୍ତୁ ଦିର୍ଘ ଆଠ ବର୍ଷ ଧରି ଏସ.ଏସ.ବି ଅଧ୍ୟାପକ ମାନେ ନିଜର ନ୍ୟାର୍ଯ୍ୟ ଦାବୀ ଜଣାଇଥିଲେ ମଧ୍ୟ ତାହା ପୂରଣ କରାଯାଉନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି।

ଏ ସଂକ୍ରାନ୍ତରେ ଗତ ମାସ ୩୧ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରେଡ-ପେ ସମ୍ପର୍କୀତ ସୂଚନା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। କିନ୍ତୁ ସରକାର ଦାବୀ ପୂରଣ କରିବା ନେଇ କୈାଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି।

ଦୀର୍ଘ ଆଠ ବର୍ଷର ଦାବୀ ପୂରଣ ହୋଇନଥିବାରୁ ପୂର୍ବ ନିଷ୍ପତି ଅନୁଯାୟୀ ଗୁରୁ ଦିବସ ଠାରୁ ରାଜ୍ୟ ବ୍ୟାପୀ କଳା ବ୍ୟାଜ ପରିଧାନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର

‘ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩’ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଥିବା ବିଶେଷ କ୍ଷମତାକୁ ଜାଣିବା ଏବଂ ପିଲାଙ୍କର ସେହି କ୍ଷମତାକୁ ବିକଶିତ କରିବାରେ ସାହାଯ୍ୟ କରିବା ଶିକ୍ଷକ ଏବଂ ଅଭିଭାବକଙ୍କ କର୍ତ୍ତବ୍ୟ ଅଟେ। ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ସମ୍ବେଦନଶୀଳତା ଥିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ୭୫ ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩’ ପ୍ରଦାନ କରିବା ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇଛନ୍ତି।

ପବିତ୍ର ‘ଗୁରୁ ଦିବସ’ ଅବସରରେ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଶିକ୍ଷାଦାନ କାର୍ଯ୍ୟରେ ମହିଳାଙ୍କ ଭାଗିଦାରୀକୁ ଦେଖି ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରୁଥିବା ଶିକ୍ଷକଙ୍କ ମଧ୍ୟରେ ମହିଳା ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ରାଷ୍ଟ୍ରପ୍ରତି ଆଶାବ୍ୟକ୍ତ କରିଛନ୍ତି। ମହିଳା ସଶକ୍ତୀକରଣ ପାଇଁ ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷକ ମାନଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କରିବା ସହ ମାର୍ଗଦର୍ଶନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଗୁରୁ ଦିବସର ଅଭିନନ୍ଦନ ଜଣାଇବା ସହ ସମ୍ମାନିତ ୭୫ ଜଣ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପାଠପଢାରେ ଉନ୍ନତି ଆଣିବା ଦିଗରେ ଶିକ୍ଷକ ମାନଙ୍କର ଉତ୍ସାହ ଏବଂ ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଅଭିନବ ଶୈଳୀରେ ପାଠପଢା ପ୍ରେରଣାର ସ୍ରୋତ। ଆମ ଶିକ୍ଷା ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛନ୍ତି ଶିକ୍ଷକ। ଏହି ଶିକ୍ଷକ ସମୁଦାୟ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ସମାଜ ଭାବରେ ପରିଣତ କରିବା ଦିଗରେ ଆଗକୁ ନେବେ। ଆମର ଶିକ୍ଷକମାନେ ଶିକ୍ଷାଦାନ ଓ ଶିକ୍ଷା ଆହରଣରେ ଏକ ନୂଆ ମାନଦଣ୍ଡ ପ୍ରତିଷ୍ଠା କରି ଶିକ୍ଷିତ ଓ ବିକଶିତ ଭାରତର କଳ୍ପନାକୁ ସାକାର କରିବେ। ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା, ସୁସ୍ଥ ସମାଜ ଗଠନ କରିବା ତଥା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଭବିଷ୍ୟତରେ ଜଣେ ସୁନାଗରିକ ଭାବରେ ଗଢି ତୋଳିବା ଦିଗରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶର ଶିକ୍ଷା ପରିବାରରେ ଏହି ଯୋଗଦାନ ଶିକ୍ଷକ ଓ ଯୁବ ସମାଜକୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡ଼ିଶା ସମେତ ଦେଶର ୭୫ ଜଣ ପ୍ରତିଭାବାନ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ଶଶି ଶେଖର କର ଶର୍ମା, ସୁଭାଷ ଚନ୍ଦ୍ର ରାଉତ, ସୁଧାଂଶୁ ଶେଖର ପଣ୍ଡା, ରବିନାରାୟଣ ସାହୁ ଓ ସୁନୀତା ସିଂହ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଶଶି ଶେଖର କର ଶର୍ମା ଓଡ଼ିଆ ଭାଷାରେ ନବମ ଓ ଦଶମ ଶ୍ରେଣୀର ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରି ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛନ୍ତି।

ସେହିପରି ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ସୁଭାଷ ଚନ୍ଦ୍ର ରାଉତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଆରହଣରେ ସକ୍ରିୟ ଯୋଗଦାନ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଉତ୍ତରପ୍ରଦେଶ ପ୍ରଦେଶର ମେରଟରେ କେ.ଏଲ ଇଣ୍ଟରନ୍ୟାସନାଲ ସ୍କୁଲରେ ସୁଧାଂଶୁ ଶେଖର ପଣ୍ଡା ଦୀର୍ଘ ଦିନ ହେବ ଶିକ୍ଷକତା କରୁଛନ୍ତି। ଏହାବ୍ୟତିତ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଖୁଦପୁର ସ୍ଥିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ଭୁବନେଶ୍ୱରରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାର୍ଯ୍ୟରତ ସହକାରୀ ପ୍ରଶିକ୍ଷଣ ଅଧିକାରୀ ସୁନୀତା ସିଂହ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

Categories
ବିଶେଷ ଖବର

ଡିସେମ୍ବର ମାସ ସୁଦ୍ଧା ଓଡିଆ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ଶେଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଗୁରୁ ଦିବସର ପବିତ୍ର ଦିନରେ ଓଡିଆ ବିଶ୍ୱବିଦ୍ୟାଳୟ ଆଜି ଏହାର ନୂତନ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଉନ୍ମୋଚନ କରି ଭାଷା ଏବଂ ସାଂସ୍କୃତିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ଡାଃ ସବିତା ପ୍ରଧାନ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଡାଃ ଅଭିରାମ ବିଶ୍ଵାଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଅତିଥିମାନେ ଯୋଗଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଜିର ଦିନଟିକୁ ଏକ ଗୌରବମୟ ଦିନ ଭାବରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିଯାଇଥିବା ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ବନ ବିଦ୍ୟାଳୟ ପରି ଆମର ଜାତୀୟ ଚେତନାକୁ ଆହୁରି ମଜବୁତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ଅଢେଇ ହଜାର ବର୍ଷର ଶାସ୍ତ୍ରୀୟ ଭାଷା ଓଡିଆ ଭାଷା ଉପରେ ଅଧିକ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ଯୁଗ ବୈଷୟିକ ଜ୍ଞାନ କୈଶଳର ଯୁଗ। ତେଣୁ ବର୍ତ୍ତମାନ ବୈଷୟିକ ବିକାଶର ସୁଯୋଗ ନେଇ ଭାଷା ଓ ସାହିତ୍ୟ ଶିକ୍ଷାରେ ଡିଜିଟାଲ କୌଶଳ ପ୍ରୟୋଗ କରି ଓଡିଆ ଭାଷା କିପରି ସାରା ବିଶ୍ୱ ପାଖରେ ପହଞ୍ଚି ପାରିବେ ସେ ଦିଗରେ କାମ କରିବାକୁ ପରାମର୍ଶ ଦେଇଥିଲେ।

ବିଶ୍ୱବିଦ୍ୟାଳୟ ନିର୍ମାଣ କୋଠା କାମ ଦୁଇମାସ ମଧ୍ୟରେ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ:

ସାହିତ୍ୟ ଏବଂ ସାଂସ୍କୃତିକ ସମୃଦ୍ଧି: ଏହି ପାଠ୍ୟକ୍ରମ ଛାତ୍ରମାନଙ୍କୁ ବିଭିନ୍ନ ପ୍ରକାରର ବିଷୟବସ୍ତୁ ଯାହା ରାଜ୍ୟର ସାହିତ୍ୟ, ସାଂସ୍କୃତିକ ପରମ୍ପରା ଏବଂ ଭାଷାର ଉଭୟ ଶାସ୍ତ୍ରୀୟ ଏବଂ ଆଧୁନିକ ଦିଗ ଉପରେ ଧାରଣା ଦେବ।

ଭାଷା ଦକ୍ଷତା: ଏହି ପାଠ୍ୟକ୍ରମ ଛାତ୍ରମାନଙ୍କର ଭାଷା ଦକ୍ଷତା ବୃଦ୍ଧି ପାଇଁ ଡିଜାଇନ୍ କରାଯାଇଛି।

ଇତିହାସର ଜ୍ଞାନ: ଛାତ୍ରମାନେ ଓଡ଼ିଆ ଭାଷାର ଐତିହାସିକ ମହତ୍ତ୍ୱ ଏବଂ ଆମ ଭାଷାର ବିଶିଷ୍ଟ ସାହିତ୍ୟ ବିଶେଷଜ୍ଞ ମାନଙ୍କ ବିଷୟ ରେ ପଢିବାର ସୁଯୋଗ ପାଇବେ।

Categories
ଆଜିର ଖବର ରାଜ୍ୟ ଖବର

ଗୁରୁ ଦିବସରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଆରମ୍ଭ କରାଯାଉଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ନେଇ ଗୋଟିଏ ସରକାରୀ ଅନୁଷ୍ଠାନ ରହିଥିବା ବେଳେ ସୋଆ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ଭଳି ଅନୁଷ୍ଠାନ ଆରମ୍ଭ କରିବା ନେଇ ବିଶିଷ୍ଟ ପ୍ରଫେସରମାନେ ଆନନ୍ଦ ବ୍ୟକ୍ତ କରିଛନ୍ତି।

ଅନୁଷ୍ଠାନର ଭିତିଭୂମି ଉତମ ହୋଇଥିôବା କହି ସେମାନେ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଅନୁଷ୍ଠାନର ଫ୍ୟାକଲ୍ଟିମାନେ ସେମାନଙ୍କର ୬ଟି ଗବେଷଣାରତ ଗ୍ରୁପ୍ ଯଥା ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ଲାଇଭ୍‌ଷ୍ଟକ ପ୍ରଡକ୍ସନ୍‌, ଆନିମଲ୍ ଫୋଟାଲ୍ ଷ୍ଟେମ୍ ସେଲ୍ ବାୟୋଲୋଜି, ଡିଜିଟାଲ୍ ଟେକ୍ନୋଲୋଜି ଇନ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ସର୍ଭିସ୍‌, ଇନ୍‌-ଭିଟ୍ରୋ ଫର୍ଟିଲାଇଜେସନ୍ ଆଣ୍ଡ ଜର୍ମପ୍ଲାଜମ୍ କନ୍‌ଜରଭେସନ୍‌, ଆଇଡିଏନ୍‌ଏ ଟେକ୍ନୋଲୋଜି ଓ ନ୍ୟୁ ଭ୍ୟାକ୍ସିନ୍ ଡିଜାଇନିଂ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ସୋଆ ପକ୍ଷରୁ ଏକ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍ ଆରମ୍ଭ କରାଯାଇଥିବା ବେଳେ ମାତ୍ର କିଛି ସପ୍ତାହ ମଧ୍ୟରେ ପ୍ରାୟ ୧୫୦୦ ପଶୁ ଏବଂ ପକ୍ଷୀଙ୍କୁ ଚିକିତ୍ସା କରାଯାଇଥିବା ନେଇ ଅନୁଷ୍ଠାନର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଶିକ୍ଷାର ଗୁଣବତା, କାର୍ଯ୍ୟଶୈଳୀର ଉନ୍ନତି ଏବଂ ନୈତିକତା ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ। ସୋଆର କୁଳାଧିପତି ପ୍ରଫେସର ଡି.ପି. ରାୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ଇଜ୍ଜତନଗର ସ୍ଥିତ ଆଇସିଏଆର୍‌-ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଜି.ସି. ମହାନ୍ତି, ଅଭିକାନଗର ସ୍ଥିତ ଆଇସିଏଆର୍‌-ସେଂଟ୍ରାଲ୍ ସିପ୍ ଆଣ୍ଡ ଉଲ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ବି.ସି. ପଟ୍ଟନାୟକ, ଓଡ଼ିଶା ଭେଟେରିନାରୀ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଡକ୍ଟର ଆର.ଏନ୍‌. ପଟ୍ଟନାୟକ, ଡକ୍ଟର ଜେ.ଏନ୍‌. ମହାନ୍ତି, ଡକ୍ଟର ଏ.ଟି. ରାଓ, ଡକ୍ଟର ଘନଶ୍ୟାମ ସାହୁ, ଡକ୍ଟର ବି.ସି. କର, ଡକ୍ଟର ପି.କେ. ଦେହୁରୀ, ଡକ୍ଟର ପି.ସି. ସାମଲ୍‌, ଡକ୍ଟର ଡି.ଏନ୍‌. ମହାନ୍ତି, ଡକ୍ଟର ପି,ଏନ୍‌. ମିଶ୍ର ଏବଂ ଡକ୍ଟର ସୁଶେନ୍ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଗୁରୁ ଦିବସରେ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି  

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜ୍ଞାନ, ସାହିତ୍ୟ କିମ୍ବା ସାମାଜିକ ବିଜ୍ଞାନ ଆଦି ବିଷୟ ଗୁଡିକରେ ମୂଳ ପ୍ରତିଭାର ବିକାଶ ମାତୃଭାଷା ମାଧ୍ୟମରେ ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ସୋମବାର ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ଶ୍ରୀମତୀ ମୁର୍ମୁ ଦେଶର ୪୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି। ଓଡ଼ିଶା ପୁରୀର ଇଶ୍ୱର ଚନ୍ଦ୍ର ନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।  ଶ୍ରୀ ନାୟକ ଶିକ୍ଷାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପାଠପଢା ସାମଗ୍ରୀ ପ୍ରସ୍ତୁତ କରିବା ସହ ଶିକ୍ଷାଦାନ କ୍ଷେତ୍ରରେ ନୂତନ ଶୈଳୀର ପ୍ରୟୋଗ କରିଛନ୍ତି। ଏହି ପୁରସ୍କାର ଦେବା ଅବସରରେ ରାଷ୍ଟ୍ରପତି ନିଜ ଗୁରୁମାନଙ୍କୁ ସ୍ମରଣ କରିବା ସହ କହିଛନ୍ତି ଯେ ଗୁରୁମାନେ କେବଳ ମୋତେ ଶିକ୍ଷା ଦେଇ ନାହାଁନ୍ତି ବରଂ ଜୀବନରେ ଲଢେଇ କରିବା ପାଇଁ ପ୍ରେରଣା ମଧ୍ୟ ଦେଇଛନ୍ତି। ମାଆ ମାନେ ହିଁ ଆମକୁ ପ୍ରାରମ୍ଭିକ ଜୀବନରେ ଆମକୁ ବଞ୍ଚିବାର କଳା ଶିଖାଇଛନ୍ତି। ସେଥିପାଇଁ ମାତୃଭାଷା ହିଁ ବାସ୍ତବ ପ୍ରତିଭାର ବିକାଶରେ ସହାୟକ ହୋଇଥାଏ। ମା’ଙ୍କ ପରେ ଶିକ୍ଷକମାନେ ଆମର ଜୀବନରେ ଶିକ୍ଷାକୁ ଆଗକୁ ନିଅନ୍ତି । ଯଦି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭାଷାରେ ପଢ଼ାଇବେ ତେବେ ଛାତ୍ରଛାତ୍ରୀମାନେ ସହଜରେ ନିଜର ପ୍ରତିଭା ବିକାଶ କରିପାରିବେ। ଏଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ଭାରତୀୟ ଭାଷା ଗୁଡ଼ିକର ବ୍ୟବହାରକୁ ଯୋର୍ ଦିଆଯାଇଛି।

ସେହିପରି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁ ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷା ଜଗତର ବ୍ୟକ୍ତିବିଶେଷଙ୍କୁ ଆଶୀର୍ବାଦ ଓ ମାଗଦର୍ଶନ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ଗ୍ରହଣ ଥିବା ପ୍ରତିଭାବାନ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, କଠିନ ପରିଶ୍ରମ କରୁଥିବା ଶିକ୍ଷକ ମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ପୁରସ୍କାରରେ ସମ୍ମାନିତ ହେବା ସମଗ୍ର ଶିକ୍ଷା ସମୁଦାୟ ପାଇଁ ଗୌରବର ବିଷୟ। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନେକ ଶିକ୍ଷକ ମାନଙ୍କୁ ଶିକ୍ଷାଦାନରେ ଉତ୍କୃଷ୍ଟତା ହାସଲ କରିବା, ଛାତ୍ରଛାତ୍ରୀଙ୍କ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବା ଓ ଶିକ୍ଷିତ ଭାରତ, ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆହୁରି ପ୍ରେରଣା ଯୋଗାଇବ। ପାଠପଢ଼ାକୁ ସରଳ କରିବା, ଛାତ୍ରଛାତ୍ରୀଙ୍କ ଅଭିଜ୍ଞତାକୁ ମଜଭୂତ୍ କରିବା ପାଇଁ ସମ୍ମାନିତ ଶିକ୍ଷକ ମାନଙ୍କ ଉତ୍ସାହ, ପ୍ରତିବଦ୍ଧତା, ପ୍ରୟାସ ଏବଂ ସୃଜନଶୀଳତା ସମସ୍ତଙ୍କ ପାଇଁ ପ୍ରେରଣା। ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ଶିକ୍ଷକ ଭାରତକୁ ଜ୍ଞାନ ଆଧାରିତ ସମାଜ ଭାବରେ ପରିଣତ କରିବାରେ ଏକ ସ୍ତମ୍ଭ ଅଟନ୍ତି। ଶ୍ରୀ ପ୍ରଧାନ ଗୁରୁ ଦିବସ ଅବସରରେ ଶିକ୍ଷକ ଏବଂ ଶିକ୍ଷା ସହ ଜଡ଼ିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ରାଷ୍ଟ୍ର ନିର୍ମାଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।

Categories
ବିଶେଷ ଖବର

ପିଏମ-ଶ୍ରୀ ଯୋଜନାର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଉପଲକ୍ଷେ ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ୍‌ସ୍‌ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ-ଶ୍ରୀ) ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ।

ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଆଧୁନିକ, ରୂପାନ୍ତରଶୀଳ ଏବଂ ସାମଗ୍ରିକ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ। ଶ୍ରୀ ମୋଦୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଅନୁରୂପ ସାରା ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପିଏମ-ଶ୍ରୀ ବିଦ୍ୟାଳୟ ଲାଭାନ୍ବିତ କରିବ।

ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି,

‘‘ଆଜି ଜାତୀୟ ଶିକ୍ଷା ଦିବସ ଅବସରରେ ସାରା ଭାରତର ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ଉନ୍ନତିକରଣ ଲାଗି ଏକ ନୂଆ ଯୋଜନା – ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା (ପିଏମ-ଶ୍ରୀ) ବିଷୟରେ ଘୋଷଣା କରି ମୁଁ ଆନନ୍ଦିତ। ଏସବୁ ଆଦର୍ଶ ବିଦ୍ୟାଳୟରେ ପରିଣତ ହେବା ସହିତ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାରେ ସହାୟକ ହେବେ।’’

‘‘ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଆଧୁନିକ, ରୂପାନ୍ତରଶୀଳ ଏବଂ ସାମଗ୍ରିକ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ। ଆବିଷ୍କାର ଆଧାରିତ, ଅଧ୍ୟୟନ କୈନ୍ଦ୍ରିକ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରାଯିବ। ପ୍ରଯୁକ୍ତି, ସ୍ମାର୍ଟ ଶ୍ରେଣୀଗୃହ, କ୍ରୀଡ଼ା ଏବଂ ଆହୁରି ଅନ୍ୟାନ୍ୟ ସୁବିଧା ସମେତ ଆଧୁନିକ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯିବ।’’

‘‘ଜାତୀୟ ଶିକ୍ଷା ନୀତି ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକ ଜାତୀୟ ଶିକ୍ଷା ନୀତି ଅନୁରୂପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭାନ୍ବିତ କରିବ ବୋଲି ମୁଁ ନିଶ୍ଚିତ।’’

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି କଳିଙ୍ଗନଗରରେ ପାଳିତ ହେଲା ଗୁରୁ ଦିବସ

ଭୁବନେଶ୍ବର: ଆଜି ପବିତ୍ର ଗୁରୁ ଦିବସରେ ଭୁବନେଶ୍ବରର କଳିଙ୍ଗନଗରରେ ଥିବା ଡିଏଭି ପବ୍ଲିକ ସ୍କୁଲରେ ପାଳିତ ହୋଇଯାଇଛି। ସକାଳେ ସ୍କୁଲର ପ୍ରିନସପାଲଙ୍କ ସମେତ ଅନ୍ୟ ଶିକ୍ଷକମାନେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାର ରଂଗାରଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସର୍ବପଲ୍ଲୀଙ୍କ ଜନ୍ମଦିବସ ଉପଲକ୍ଷେ ସ୍କୁଲରେ ଏକ କେକ କାଟି ତାଙ୍କର ୧୩୫ ତମ ଜନ୍ମଦିବସ ପାଳନ କରାଯାଇଥିଲା।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଶିକ୍ଷକମାନଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରିବା ଅବସରରେ ଏହା କହିଲେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ, ଛାତ୍ରମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶର ସମନ୍ୱୟ ଘଟାଇବା ଦାୟିତ୍ୱ ଶିକ୍ଷକ ସମାଜର; ଜଣେ ଉତ୍ତମ ଶିକ୍ଷକ ହେଉଛନ୍ତି ବ୍ୟକ୍ତିତ୍ୱ ଗଠନର ପ୍ରକୃତ ନିର୍ମାତା, ଜଣେ ସମାଜ ନିର୍ମାତା ଏବଂ ଜଣେ ରାଷ୍ଟ୍ର ନିର୍ମାତା ବୋଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମତ ପୋଷଣ କରିଛନ୍ତି । ଆଜି ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ ଉତ୍ସବରେ ଭର୍ଚୁଆଲ ମୋଡ଼ରେ ଦେଶର ୪୪ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିବା ବେଳେ ସେ ଏହି ମତ ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଉଥିବା ସମସ୍ତ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ ଓ ସେମାନଙ୍କ ବିଶେଷ ଅବଦାନକୁ ପ୍ରଶଂସା କରିଥିଲେ । ସେ କହିଲେ ଯେ କେବଳ ଉତ୍ତମ ଭାବେ ପ୍ରଶିକ୍ଷିତ ତଥା ଉତ୍ସର୍ଗୀକୃତ ଶିକ୍ଷକମାନଙ୍କ ହାତରେ ହିଁ ଆମମାନଙ୍କ ଭବିଷ୍ୟତ ପିଢ଼ି ସୁରକ୍ଷିତ ରହିପାରିବେ ଏବଂ ସେମାନଙ୍କୁ ସୁଦୃଢ଼ କରାଯାଇପାରିବ । ଲୋକମାନେ ସେମାନଙ୍କର ଶିକ୍ଷକମାନଙ୍କୁ ହିଁ ସାରା ଜୀବନ ସ୍ମରଣ ରଖିଥାନ୍ତି । ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ସେହିଭଳି ଶ୍ରଦ୍ଧା ରଖିଥାନ୍ତି, ତେଣୁ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସାରା ଜୀବନ ଶ୍ରଦ୍ଧା କରିଥାନ୍ତି ।

ରାଷ୍ଟ୍ରପତି ଦେଶର ଶିକ୍ଷକମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ନିଜର ଛାତ୍ରଛାତ୍ରୀମାନଙ୍କୁ ଏଭଳି ସଦାବେଳେ ପ୍ରଭାବିତ କରନ୍ତୁ ଯଦ୍ୱାରା ସେମାନେ ଶିଷ୍ୟମାନେ ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ପରିକଳ୍ପନା କରିପାରିବେ ଏବଂ ସେମାନଙ୍କର ଆଶା ଆକାଂକ୍ଷାକୁ ସାକାର କରିପାରିବେ । ରାଷ୍ଟ୍ରପତି କହିଲେ ଯେ ପ୍ରତ୍ୟେକ ଶିକ୍ଷକଙ୍କର ଏହା ଦାୟିତ୍ୱ ଯେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଧ୍ୟୟନ ନିମନ୍ତେ ଅନୁପ୍ରାଣୀତ କରନ୍ତୁ ।

ସଂବେଦନୀ ଶିକ୍ଷକମାନଙ୍କ ଏଭଳି ଆଚରଣ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ି ହୋଇପାରିବ । ସେ କହିଲେ ଯେ ସେମାନେ ଏକଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ଯେ ପ୍ରତ୍ୟେକ ଛାତ୍ରଙ୍କ ଭିତରେ ନିହିତ ଥିବା ଭିନ୍ନ ଭିନ୍ନ ସାମର୍ଥ୍ୟ, ପ୍ରଜ୍ଞା, ମାନସିକତାକୁ ସାମାଜିକ ପୃଷ୍ଠଭୂମି ତଥା ପରିବେଶ ଦୃଷ୍ଟିରୁ କିଭଳି ଭାବେ ଉପଯୋଗୀ କରାଯାଇପାରିବ । ତଦ୍ୱାରା ପ୍ରତ୍ୟେକ ଶିଶୁର ସାମଗ୍ରିକ ବିକାଶ ଘଟିପାରିବ ଏବଂ ସେମାନଙ୍କର ବିଶେଷ ଆବଶ୍ୟକତା, ସ୍ୱାର୍ଥ ଓ ସାମର୍ଥ୍ୟ ପ୍ରତି ଦୃଷ୍ଟି ପ୍ରଦାନ କରାଯାଇପାରିବ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଲେ ଯେ ଗତ ପ୍ରାୟ ଦେଢ଼ ବର୍ଷ ଧରି ସମଗ୍ର ବିଶ୍ୱ ମହାମାରୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇରହିଛି ଏବଂ ତାହା ଏକ ସମସ୍ୟା ରୂପେ ଦେଖାଦେଇଛି । ଏହି ପରିସ୍ଥିତିରେ ଯେତେବେଳେ କି ସମସ୍ତ ସ୍କୁଲ ଓ କଲେଜ ବନ୍ଦ୍ ରହିଛି, ଶିକ୍ଷକମାନଙ୍କୁ ନିଜର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଦାନର ସୁଯୋଗ କିଭଳି ଯୋଗାଇ ଦିଆଯାଇପାରିବ ତାହା ସେମାନେ ଚିନ୍ତା କରିବା ଉଚିତ । ଏଥିପାଇଁ ଶିକ୍ଷକମାନଙ୍କୁ ଡିଜିଟାଲ ପ୍ଲାଟଫର୍ମକୁ ଖୁବ୍ କମ୍ ସମୟରେ ଓହ୍ଲେଇବାକୁ ପଡ଼ିଥିଲା ଓ ସେମାନେ ଏହି ମାଧ୍ୟମରେ ଶିକ୍ଷାଦାନ ପଦ୍ଧତି ଶିକ୍ଷା କରିଥିଲେ ଯାହାକି ବେଶ୍ ଉଲ୍ଲେଖନୀୟ ।

ବିଦ୍ୟାଳୟମାନଙ୍କରେ ଏବେ ସେହିଭଳି ବିଶେଷ ସଂସାଧନର ବିକାଶ ଘଟାଯାଇଛି ଏବଂ ଏହା ପଛରେ ଶିକ୍ଷକମାନଙ୍କର କଠିନ ଶ୍ରମ ଓ ନିଷ୍ଠ ନିହିତ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ। ସେଥିପାଇଁ ସେ ଶିକ୍ଷକମାନଙ୍କ କର୍ମନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆଶା ପୋଷଣ କରି କହିଥିଲେ ଯେ ପରିବର୍ତ୍ତିତ ପରିସ୍ଥିତି ଓ ପରିବେଶ ସହିତ ଖାପ ଖୁଆଇ ସେମାନଙ୍କୁ ଶିକ୍ଷାଦାନର ପଦ୍ଧତିରେ ପରିବର୍ତ୍ତନ ଘଟାଇବା ଆବଶ୍ୟକ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ନିଜ ଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷକମାନଙ୍କୁ ଅଧିକ ସକ୍ରିୟ ଓ ସକ୍ଷମ କରିବା ସକାଶେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ସମନ୍ୱିତ ଶିକ୍ଷକ ତାଲିମ କାର‌୍ୟ୍ୟକ୍ରମ ‘ନିଷ୍ଠା’ ଆରମ୍ଭ କରାଯାଇଛି ଯାହା ଅଧୀନରେ ଶିକ୍ଷକମାନଙ୍କ ‘ଅନଲାଇନ୍ ଦକ୍ଷତା ବୃଦ୍ଧି’ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ।

ଏହା ବ୍ୟତୀତ ‘ପ୍ରାଜ୍ଞତା’ ଅର୍ଥାତ, ଡିଜିଟାଲ ଶିକ୍ଷା ନିମନ୍ତେ ଗାଇଡ଼ଲାଇନ ମଧ୍ୟ ଗତ ବର୍ଷ ଜାରି କରାଯାଇଥିଲା । ଏହା ବେଶ୍ ପ୍ରଶଂସନୀୟ ପଦକ୍ଷେପ ଯଦ୍ୱାରା କରୋନା ମହାମାରି ଭଳି ସଂକଟର ଘଡ଼ିରେ ସୁଦ୍ଧା ଶିକ୍ଷାଦାନର ପ୍ରକ୍ରିୟାକୁ ଆଗକୁ ଆଗେଇ ନେବାରେ ସହାୟକ ହେବ । ସେ ସଂକଟ ଘଡ଼ିରେ ଏଭଳି ନୂତନ ଶିକ୍ଷାଦାନ ପଦ୍ଧତି ପ୍ରସ୍ତୁତ କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସମଗ୍ର ଟିମକୁ ପ୍ରଶଂସା କରିଥିଲେ ।

ସକାଳେ ରାଷ୍ଟ୍ରପତି ଭାରତର ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭବନର ସମସ୍ତ ଅଧିକାରୀମାନେ ରାଷ୍ଟ୍ରପତି ଭବନରେ ଥିବା ଡକ୍ଟର ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାନ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଆପଣମାନେ ତ ଚାକିରୀ କରି ଦରମା ନେଉଛନ୍ତି, ପୂଜା କାହିଁକି କରାଯିବ; ଶିକ୍ଷକ ଦେଲେ ଚମତ୍କାର ଉତ୍ତର !!!

ଗୁରୁ ଦିବସ: ଜଣେ ବ୍ୟକ୍ତି ଜଣେ ଶିକ୍ଷକ ଙ୍କୁ ପ୍ରଶ୍ନ କଲେ, ଆମେ ବି ଚାକିରୀ କରି ଦରମା ପାଉଛୁ, ଆପଣ ବି ଦରମା ନେଇ ପାଠ ପଢ଼ାଉଛନ୍ତି ହେଲେ ଆପଣ ମାନଙ୍କୁ ଏତେ ଉପରେ କାହିଁ ବସାଯାଉଛି ମୁଁ କିଛି ବୁଝି ପାରୁନି। ଈଶ୍ୱର ଏତେ ଆଖ୍ୟା ଦେବାର କାରଣ କଣ?

ଶିକ୍ଷକ ଜଣକ ଅଳ୍ପ ଟିକେ ହସି ଦେଇ କହିଲେ – ଆପଣ ପୁରା ଠିକ କହିଲେ ଆଜ୍ଞା। ଆମେ ଆପଣଙ୍କ ପରି ଚାକିରୀ କରି ଦରମା ପାଉଛୁ ଏଥିରେ ଆମର କିଛି ବାହାଦୁରି ନାହିଁ। ପରିବାର ପୋଷିବା କୁ ଏ ଦରମା ଗଣ୍ଡାକ ପାଇଁ ଆମେ ମାସ ଯାକ ଚାହିଁ ରହିଥାଉ। ଲାଞ୍ଚ ନେଇ ଫାଇଲ ଏପଟ ସେପଟ କରିବାର ସୁଯୋଗ ଆମ ଚାକିରୀ ରେ ନାହିଁ କି ଅନ୍ୟ କାହାର ବୁକୁଚା ବୋହି ଶୁଖିଲା ରାଜନୀତି କରି ଦି ପଇସା କମେଇବା ର ଅଯଥା ଇଚ୍ଛା ମଧ୍ୟ ଆମ ମାନଙ୍କର ନାହିଁ ।

ସାଧା ସିଧା ଜୀବନ ବଞ୍ଚିବା ଭିତରେ ଏବଂ ନିଜ ଅପେକ୍ଷା ଅନ୍ୟ ମାନଙ୍କ କଥା ଅଧିକ ଚିନ୍ତା କରୁ କେବେ ଆମ ମାନଙ୍କ ଚାକିରୀ ସରିଯାଏ ଓ ଆମେ ମାନେ କେବେ ଅନ୍ୟ ମାନଙ୍କ ପାଇଁ ଅଖୋଜା ଅଲୋଡ଼ା ହେଇ ଯାଉ ଜଣା ପଡ଼େନି ।

ଆଉ ରହିଲା ଦରମା କଥା, କହୁଛି ଶୁଣନ୍ତୁ ..

ଆମେ ଆପଣ ମାନଙ୍କ ଛୁଆ ଙ୍କୁ ଏମିତି କିଛି ଦାନ କରୁ ଯାହାର ମୂଲ୍ୟ କେହି ବି ଦେଇପାରିବେନି। ଓଡ଼ିଆ ରେ ତାକୁ ବିଦ୍ୟା କହନ୍ତି ଏବଂ ଇଂରାଜୀ ରେ knowledge, ଯାହାକୁ ସେ ବ୍ୟବହାର କରି ଭବିଷ୍ୟତ ରେ ସେ ତା ନିଜ ସହ ପରିବାର ପୋଷିବା ପାଇଁ ସକ୍ଷମ ହୁଏ। ହେଇପାରେ ୟା ପାଇଁ ଆମେ ଦରମା ନେଉ, ହେଲେ ଆପଣ କହି ପାରିବେ ଆପଣଙ୍କ ଛୁଆ କୁ ନିସ୍ଵାର୍ଥପର ଭାବେ ଗେଲ୍ହା କରିବାକୁ ଆମେ କେବେ ପଇସା ମାଗିଛୁ?

ଆପଣଙ୍କ ଛୁଆ ଆପଣ ମାନଙ୍କୁ ଛାଡି ଆମ ପାଖରେ ଦିନକୁ ଆଠ ଘଣ୍ଟା ଧରି ରହେ, ତାର ସମସ୍ତ ଭଲ ମନ୍ଦ, ସୁଖ ଦୁଃଖ, କଣ ଖାଇକି ଆସିଛି ନା ନାହିଁ, ଯଦି ନଖାଇଛି ଭୋକ ହଉଛି କି ପଚାରି ବୁଝିବା ପାଇଁ ଆମେ କେବେ ପଇସା ମାଗିଛୁ? ଆପଣଙ୍କ ଛୁଆ ର ମୁହଁ ଶୁଖି ଯାଇଥିଲେ ବାପା ରେ ମାଆ ରେ କହି ତା ମୁଣ୍ଡ ଆଉଁସି ତାର କଣ ହେଇଛି ବୋଲି ପଚାରି ବୁଝିବାକୁ ଓ ତା ଓଠରେ ଟିକେ ହସ ଫୁଟେଇବାକୁ ନିଜକୁ ଜୋକର କରିବା କୁ ବି ଆମେ କେବେ ପଛ ଘୁଞ୍ଚା ଦେଇନୁ, ସେଥିପାଇଁ ଆମେ କେବେ ପଇସା ମାଗିଛୁ?

ଯଦି ଖେଳ ଛୁଟି ରେ ସବୁ ପିଲା ଟିଫିନ ଖାଉଥିବା ସମୟରେ ଯଦି କୌଣସି ଛୁଆ ଚିଫିନ୍ ନ ଆଣି ମୁହଁ ଶୁଖେଇ ଠିଆ ହେଇଥିବା ସମୟରେ ଆମ ଆଖି ପଡିଯାଇଛି ଓ ତାକୁ ଡାକି ଯେତେବେଳେ ଆମେ କହିଛୁ ମା ରେ କି ବାପା ରେ ଆଜି ଅନ୍ୟ ସା’ରେମାନେ ଟିଫିନ ଆଣିଥିଲେ ଖାଇଦେଇ ପେଟ ପୁରା ହେଇଯାଇଛି ତ, ଏ ଟିଫିନ ଟା ଦୟାକରି ଖାଇଦେବୁ ଏବଂ ଛୁଆ ଟି ଟିଫିନ ଖାଇବାର ଦେଖି ଯେତେବେଳେ ଆମେ ଖୁସି ହେଇଛୁ ସେଥିପାଇଁ ଆମେ ପଇସା ମାଗିଛୁ?

କେମିତି ଆପଣ ମାନଙ୍କ ଛୁଆ ପରୀକ୍ଷା ରେ ଭଲ କରିବ, କାହିଁ ସେ ଛୁଆ ଟିର ପାଠ ହଉନି, କଣ ତା ପାଇଁ କରାଯାଇପାରିବ ଘରେ ବସି ନିରୋଳା ରେ ଚିନ୍ତା କରିବା ପାଇଁ ଆମେ ପଇସା ମାଗିଛୁ? ଆପଣଙ୍କ ଛୁଆ ଡରି ଯାଉଥିବା ସମୟରେ ତା କାନ୍ଧ ରେ ହାତ ପକାଇ ଯେତେବେଳେ ଆମେ କହୁ “ଡରନା ରେ ମା କି ଡରନା ରେ ବାପା, ମୁଁ ଅଛି ପା” ସେତେବେଳେ କଣ ଆମେ ପଇସା ମାଗିଛୁ? ଭୁଲ କଲେ ନିଜ ଛୁଆ ଭଳି ଆକଟ କରିବା ପାଇଁ ଓ ଭଲ କାମ କଲେ ପିଠି ଥାପୁଡ଼େଇ ଆଗକୁ ବଢିବାକୁ ପ୍ରେରଣା ଦେବା ପାଇଁ ଆମେ କେବେ ପଇସା ମାଗିଛୁ? ଆପଣଙ୍କ ପିଲା ଜଣେ ଦକ୍ଷ ଓ ସଫଳ ମଣିଷ ହେଇଗଲା ପରେ ଯେତେବେଳେ ସେ ଆମ ସାମ୍ନା କୁ ଆସେ ଓ ଆମ ମନ କୁଣ୍ଢେମୋଟ ହେଇଯାଏ, ଆମେ ତାକୁ କୁଣ୍ଡେଇ ପକେଇ ଖୁସିରେ କାନ୍ଦି ପକାଉ, ସେଥିପାଇଁ ଆମେ ପଇସା ମାଗିଛୁ?

ଏ ସବୁ ର ହିସାବ କଲେ ନା ସରକାର ଆମ ଋଣ ସୁଝି ପାରିବେ ନା ଆପଣ ମାନେ। ଆମେ ଛୁଆଙ୍କ ପାଇଁ ବଞ୍ଚିଛୁ ଓ ଛୁଆ ଙ୍କ ପାଇଁ ମରିବୁ ତେଣିକି ଯେ ଯାହା କହୁଛି କହୁ। ସତରେ ଶିକ୍ଷକ ଙ୍କ ମନ କଥା ଓ ତାଙ୍କ ଅବଦାନ କୁ ବୁଝିବାର ଶକ୍ତି ନା ଆଜି ଯାଏ କାହାର ହେଲାଣି ନା ହବ।