ଅଖିଳେଶ-ମୁଲାୟମଙ୍କୁ ଭେଟିଲେ ନୀତୀଶ କୁମାର, ଦିଲ୍ଲୀ ଗସ୍ତରେ ମଧ୍ୟ ଏହି ନେତାଙ୍କ ସହ କଲେ ଆଲୋଚନା

Published: Sep 6, 2022, 8:08 pm IST

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ଦିଲ୍ଲୀ ଗସ୍ତରେ ଆସି ଦେଶର ସମସ୍ତ ବଡ ବିରୋଧୀଦଳ ନେତାଙ୍କୁ ଭେଟିଛନ୍ତି। ଏହି କ୍ରମରେ ଆଜି ସେ ସମାଜବାଦୀ ପାର୍ଟିର ସଂଯୋଜକ ମୁଲାୟମ ସିଂ ଯାଦବଙ୍କୁ ଭେଟିଛନ୍ତି। ମୁଲାୟମ ସିଂ ଯାଦବଙ୍କୁ ଗୁରୁଗାଓଁର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁଲାୟମ ସିଂ ଯାଦବଙ୍କ ସହ ସାକ୍ଷାତ ସମୟରେ ଏସପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମୁଲାୟମଙ୍କୁ ଭେଟିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କୁ ଭେଟିଥିଲେ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ସମଗ୍ର ବିରୋଧୀଙ୍କୁ ଏକତ୍ର କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି କ୍ରମରେ ସମସ୍ତ ବିରୋଧୀଦଳ ନେତାଙ୍କ ସହ ତାଙ୍କର ବୈଠକ ଚାଲିଛି। ସେ ସେପ୍ଟେମ୍ବର ୫ ତାରିଖ ସୋମବାର ଦିନ ଦିଲ୍ଲୀ ଆସିଥିଲେ। ଏହି ସମୟରେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ।

ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ ସିପିଆଇ (ଏମ୍) ର ବରିଷ୍ଠ ନେତା ସୀତାରାମ ୟେଚୁରୀଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ, ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ ସେ ୨୦୨୪ ରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି? ଏହାର ଜବାବରେ ନୀତୀଶ କୁମାର କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ନୁହଁନ୍ତି। ସେ କେବଳ ବିରୋଧୀଙ୍କୁ ଏକଜୁଟ କରିବାକୁ ଚାହୁଁଛନ୍ତି।

ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ, ମୋ ଘର ପରିଦର୍ଶନ କରିଥିବାରୁ ନୀତୀଶ ଜୀଙ୍କୁ ଅନେକ ଧନ୍ୟବାଦ।

Related posts