ଜ୍ଞାନବାପୀ ଏବଂ ଶ୍ରୁଙ୍ଗାର ଗୌରୀ ମାମଲା: ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଶୁଣାଇଲେ କୋର୍ଟ

Published: Sep 12, 2022, 4:08 pm IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାଣାସୀରେ ଜ୍ଞାନବାପୀ ଏବଂ ଶ୍ରୁଙ୍ଗାର ଗୌରୀ ମାମଲାରେ ଆଜି ଜିଲ୍ଲା କୋର୍ଟ ରାୟ ଦେଇଛନ୍ତି। ଜ୍ଞାନବାପୀ-ଶ୍ରୁଙ୍ଗାର ଗୌରୀ ସ୍ଥାୟୀତା ମାମଲାରେ ଶୁଣାଣି କରିବାକୁ କୋର୍ଟ ରାୟ ଦେଇଛନ୍ତି।

ଗଣମାଧ୍ୟମ ଅନୁଯାୟୀ କୋର୍ଟ କହିଛନ୍ତି ଯେ, ବାରାଣାସୀ-ଜ୍ଞାନବାପୀ ପରିସର ସମ୍ବନ୍ଧରେ ଦାଖଲ ହୋଇଥିବା କେସ ନମ୍ବର ୬୯୩/୨୦୨୧ (୧୮/୨୦୨୨) ରାଖୀ ସିଂ ବନାମ ଉତ୍ତରପ୍ରଦେଶର ରାଜ୍ୟର ଉପରୋକ୍ତ ମାମଲା କୋର୍ଟରେ ବଜାୟ ରହିବ। ପ୍ରତିପକ୍ଷ ଅଞ୍ଜୁମନ ଇନ୍ତଜାମିୟା ମସ୍ଜିଦ କମିଟି ଦେଇଥିବା ୭/୧୧ ର ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

ଏହା ବ୍ୟତୀତ କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ତାରିଖ ୨୦୨୨ ରେ ହେବ। ଏହି ରାୟରେ ମୁସଲିମ ପକ୍ଷର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ମୁସଲମାନ ପକ୍ଷ ଏବେ ହାଇକୋର୍ଟ ଯିବେ।

ବାରାଣାସୀ ଜିଲ୍ଲା କୋର୍ଟର ନିଷ୍ପତ୍ତି ପରେ ୟୁପି ସରକାରରେ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ କହିଛନ୍ତି ଯେ, କୋର୍ଟ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଲୋକଙ୍କ ଭାବନା ଅନୁଯାୟୀ ହୋଇଛି, ସେଥିପାଇଁ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଯେତେବେଳେ ଜିଲ୍ଲା ଜଜ ଅଜୟ କୃଷ୍ଣ ବିଶ୍ୱେଶ ଏହି ରାୟ ଘୋଷଣା କରିଥିଲେ, ସେତେବେଳେ ହିନ୍ଦୁ ପକ୍ଷର ଓକିଲ ହରିଶଙ୍କର ଜୈନ ଏବଂ ବିଷ୍ଣୁ ଜୈନ ଉପସ୍ଥିତ ଥିଲେ। ଏହା ବ୍ୟତୀତ ୫ ଜଣ ଅଭିଯୋଗକାରୀ ମହିଳାଙ୍କ ମଧ୍ୟରୁ ୩ ଜଣ – ଲକ୍ଷ୍ମୀ ଦେବୀ, ରେଖା ଆର୍ଯ୍ୟ ଏବଂ ମଞ୍ଜୁ ବ୍ୟାସ ପହଞ୍ଚିଥିଲେ। ରାଖୀ ସିଂ ଏବଂ ସୀତା ସାହୁ କୋର୍ଟ ପରିସରକୁ ଆସିନାହାଁନ୍ତି, କେବଳ ପକ୍ଷ ଏବଂ ଓକିଲମାନଙ୍କୁ ମିଶାଇ ପ୍ରାୟ ୪୦ ଜଣ ଲୋକଙ୍କୁ ପ୍ରବେଶ ଅନୁମତି ମିଳିଥିଲା।

ଆବେଦନ କ’ଣ ଥିଲା?:

ଅଗଷ୍ଟ ୧୮ ତାରିଖ ୨୦୨୧ରେ ବିଶ୍ୱ ବୈଦିକ ସନାତନ ସଂଘର ମୁଖ୍ୟ ଜିତେନ୍ଦ୍ର ସିଂ ଭିସେନଙ୍କ ନେତୃତ୍ୱରେ ରାଖୀ ସିଂଙ୍କ ସମେତ ପାଞ୍ଚଜଣ ମହିଳା ସିଭିଲ ଜଜ ସିନିୟର ଡିଭିଜନ ରବି କୁମାର ଦିୱାକରଙ୍କ କୋର୍ଟରେ ଏକ ମାମଲା ଦାୟର କରିଥିଲେ।

ଏହି ମକଦ୍ଦମାରେ ଜ୍ଞାନବାପୀ ପରିସରରେ ଥିବା ଶ୍ରୁଙ୍ଗାର ଗୌରୀ ମନ୍ଦିରରେ ନିୟମିତ ପୂଜା ପାଠ ଏବଂ ଦର୍ଶନ ପାଇଁ ଅନୁମତି ମିଳୁ ଏବଂ ଅନ୍ୟ ଦେବତାମାନଙ୍କର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା। ଏହି ଆବେଦନ ଉପରେ ଅଗଷ୍ଟ ୨୩ ତାରିଖ ଶୁଣାଣିରେ ଉଭୟ ପକ୍ଷର ଯୁକ୍ତି ସମାପ୍ତ ହୋଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

Related posts