ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ

Published: Sep 16, 2022, 11:14 pm IST

ଖୋରଧା: ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ କ୍ରିୟାନୁଷ୍ଠାନ କମିଟି ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ପ୍ରାରମ୍ଭରେ ଚଳିତ ବର୍ଷର ବିଷୟବସ୍ତୁ “ମହିଳା ଓ ସ୍ବାସ୍ଥ୍ୟ, ଶିଶୁ ଓ ଶିକ୍ଷା” ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା। ନବଜାତ ଶିଶୁ ମାନଙ୍କୁ କ୍ଷୀରଦାନ,ଉତ୍ତମ ଯତ୍ନ, ପରିବେଶ ପରିଷ୍କାର ଓ ପରିଚ୍ଛନ୍ନ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଓଜନ ମାପ ସହ ପୁଷ୍ଟି ଉପରେ ନଜର ରଖିବା ନିମନ୍ତେ ସଚେତନ ସୃଷ୍ଟି ଉପରେ ବୈଠକରେ ଆଲୋଚନା ହୋଇଛି।

ଏଥିନିମନ୍ତେ ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ନିୟମିତ ଭାବେ ଘର ଘର ବୁଲି ମହିଳା ଓ ଶିଶୁ ମାନଙ୍କ ଯତ୍ନ ଏବଂ ପୋଷଣ ଉପରେ ଧ୍ୟାନ ଦେବା ସହ ଶୁଦ୍ଧ ପାନୀୟ ଜଳ, ବାହ୍ୟ ମଳମୂତ୍ର ତ୍ୟାଗ, ଟୀକାକରଣ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ମାନସିକତା ପରିବର୍ତ୍ତନ ସହ ଭଲ କାର୍ଯ୍ୟ କରୁଥିବା ଅଙ୍ଗନୱାଡି କର୍ମୀ ମାନଙ୍କୁ ପୁରସ୍କୃତ କରିବା ସହ ଦାୟିତ୍ବରେ ଅବହେଳା କରୁଥିବା କର୍ମୀଙ୍କୁ ତାଗିଦ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। କୁପୋଷଣକୁ ହଟେଇବା ନିମନ୍ତେ ଦୀର୍ଘମିଆଦୀ ଅଭିଯାନ ବିଗତ ବର୍ଷ ଗୁଡିକରୁ ଚାଲୁଥିବାରୁ ଏହାକୁ ତ୍ବରାନ୍ବିତ କରିବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ ଥିବା ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ପି.କେ. ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ସିଡିପିଓ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts