ଅବକାରୀ କନେଷ୍ଟବଳ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାରେ ଶାରୀରିକ ଦକ୍ଷତା ପରୀକ୍ଷା ଆରମ୍ଭ

Published: Sep 27, 2022, 9:22 pm IST

ଖୋର୍ଦ୍ଧା: ଅବକାରୀ କନେଷ୍ଟବଳ ନିମନ୍ତେ ତୃତୀୟ ପର୍ଯ୍ୟାୟ ଶାରୀରିକ ଦକ୍ଷତା ପରୀକ୍ଷା ଆଜିଠାରୁ ଅର୍ଜୁନପୁରସ୍ଥିତ ଷଷ୍ଠ ଆଇଆରବି ଏବଂ ୪୧ତମ ଆଇଟିବିପି ବାଟାଲିୟନ ପଡିଆରେ ଆରମ୍ଭ ହୋଇଛି। ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଚୟନ ପ୍ରକ୍ରିୟା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଉକ୍ତ ଦୁଇ ଦିନରେ ମୋଟ ୧୦୪୧ ଜଣ ପ୍ରାର୍ଥୀ ଭାଗ ନେବେ। ସେମାନଙ୍କର ଶାରୀରିକ ଉଚ୍ଚତା, ଓଜନ, ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଦୌଡି ଚଢିବା ଭଳି ଦକ୍ଷତା ପରୀକ୍ଷା କରାଯାଉଛି। ଏଥିନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି। ପରୀକ୍ଷାର୍ଥୀ ମାନଙ୍କ ନିମନ୍ତେ ଖାଦ୍ୟ, ପାନୀୟ ଓ ବସିବା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଥିସହ ଆମ୍ବୁଲାନ୍ସ, ଡାକ୍ତରୀ ଦଳ, ଆଶୁ ଚିକିତ୍ସା, ଅଗ୍ନିଶମ କର୍ମଚାରୀ, ପୁଲିସ ଅଧିକାରୀ ଓ କର୍ମଚାରୀ ମୁତୟନ କରାଯାଇଛି।

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଆଇଆରବିଏନ୍ କମାଣ୍ତାଣ୍ଟ ନାରାୟଣ ଦୋରା ସମସ୍ତ ବ୍ୟବସ୍ଥାର ଯାଞ୍ଜ କରିବା ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିସହ ଖୋର୍ଦ୍ଧା ଓ ଭୁବନେଶ୍ବର ଅବକାରୀ ଅଧିକ୍ଷକ ଝସକେତନ ବରିହା, ପ୍ରଦୀପ କୁମାର ପଟ୍ଟନାୟକ, ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା ଦାୟିତ୍ବ ନେଇଛନ୍ତି।

Related posts