ପଞ୍ଜାବ ବିଧାନସଭାରେ ବିଶ୍ଵାସ ମତ ପ୍ରମାଣ କଲେ ମନ ସରକାର, ସପକ୍ଷରେ ୯୩ ଭୋଟ୍

Published: Oct 3, 2022, 6:22 pm IST

ଚଣ୍ଡିଗଡ: ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବ ବିଧାନସଭାରେ ବିଶ୍ଵାସ ମତ ପ୍ରମାଣ କରିଛନ୍ତି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୯୩ ଭୋଟ୍ ପଡିଛି। ଏଥି ସହିତ, ଆସ୍ଥା ଭୋଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ସେ କ୍ୱିଣ୍ଟାଲ ପିଛା ସମର୍ଥନ ମୂଲ୍ୟ ୩୬୦ ରୁ ୩୮୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

ବିଧାନସଭା ଅଧିବେଶନ ଆରମ୍ଭରେ କଂଗ୍ରେସ ବିଧାୟକମାନେ ଆପ ର ଆସ୍ଥା ଭୋଟ୍ କୁ ବିରୋଧ କରିଥିଲେ, କିନ୍ତୁ କିଛି ସମୟ ପରେ ଉତ୍ତେଜନା ଶାନ୍ତ ହୋଇ ଗୃହର ପ୍ରକ୍ରିୟା ଆଗକୁ ବଢିଥିଲା। ଅଧିବେଶନ ସମୟରେ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା କହିଛନ୍ତି ଯେ, ପ୍ରଥମେ ପ୍ରଶ୍ନ କାଳ ଆସେ ଏବଂ ପରେ ଶୂନ କାଳ ଆସେ। ଏହି ପରିପ୍ରେକ୍ଷୀରେ ସେ ଗୃହର ପ୍ରକ୍ରିୟା ଠିକ୍ ଭାବରେ କରିବାକୁ ବାଚସ୍ପତିଙ୍କୁ ନିବେଦନ କରିଥିଲେ। ବାଜୱା କହିଛନ୍ତି ଯେ, ପଞ୍ଜାବର ପ୍ରକୃତ ପ୍ରସଙ୍ଗ ଗୃହରେ ଆଲୋଚନା ହେବା ଉଚିତ।

ଆସ୍ଥା ଭୋଟ୍ ଉପରେ ଆଲୋଚନା ପାଇଁ ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ପ୍ରତ୍ୟେକ ଦଳର ବିଧାୟକଙ୍କ ସଂଖ୍ୟା ଆଧାରରେ ସମୟ ବଣ୍ଟନ କରାଯାଇଥିଲା। ବିଧାନସଭାରେ ଆପ ୯୨, କଂଗ୍ରେସ ୧୮, ଅକାଳୀ ଦଳ ୩, ବିଜେପି ୨, ବିଏସପି ଏବଂ ନିର୍ଦ୍ଦଳୀୟ ୧-୧ ରହିଛି।

Related posts