ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ, ଏହି ମାସରେ କଣ କଲେ ମିଳିବ ସୁଫଳ

Published: Oct 9, 2022, 6:48 pm IST

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 10 ତାରିଖରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଳସୀଙ୍କ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ବେଶ୍ ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି।

ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା। କାର୍ତ୍ତିକ ମାସରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ତଥା ପୂଜାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ।

ଏହି ମାସରେ ସ୍ନାନ କରିବା ସମୟରେ ଏହି କଥାକୁ ଦିଅନ୍ତୁ ଧ୍ୟାନ

– ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିବା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ଘଟିଥାଏ।

-ସ୍ନାନ କରିବା ଜଳରେ ଏକ ଚାମଚ ଗଙ୍ଗାଜଳ ପକାଇ ତିନି ଥର ଓଁ ମନ୍ତ୍ର ଜପ କରି ସ୍ନାନ କରିବା ଉଚିତ୍‌।

-ସ୍ନାନ କରିବା ପରେ ସ୍ବଚ୍ଛ ବସ୍ତ୍ର ଧାରଣ କରି ଦେଶି ଘିଅର ଏକ ଦୀପ ମାତା ବୃନ୍ଦାବତୀଙ୍କ ପାଖରେ ଜଳାଇ ରଖନ୍ତୁ।

-ଭଗବାନ ବିଷ୍ଣୁଙ୍କ ପାଖରେ ୧୦୮ ନାମ ଜପ କରନ୍ତୁ।

-ଭଗବାନ ଶିବଙ୍କୁ ପାଞ୍ଚଟି ବେଲପତ୍ରର ଧଳା ଚନ୍ଦନରେ ଓମ୍‌ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ।

-ଏହା ଦ୍ବାରା ଆପଣ ରୋଗମୁକ୍ତ ସ୍ବାସ୍ଥ୍ୟର ଅଧିକାରୀ ହୋଇପାରିବେ।

ଆପଣ ଯଦି ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଏହି ମାସରେ କରନ୍ତୁ ଏହି ମହା ଉପାୟ

-ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତୁ

-ନିଜ ଘରର ପୂର୍ବ ଦିଗକୁ ଗଙ୍ଗାଜଳରେ ସଫା କରି ଏକ କାଠର ପିଢା ଉପରେ ଲାଲ ବସ୍ତ୍ର ପକାଇ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଫଟୋ ସ୍ଥାପିତ କରନ୍ତୁ।

-ତମ୍ବା ଦୀପରେ ଶୁଦ୍ଧ ଦେଶୀ ଘିଅ ଭରି ସଳିତାର ବତୀ ଲଗାଇ ଭଗବାନ ସୂର୍ଯ୍ୟନାରାୟଣଙ୍କ ସାମ୍ନାରେ ରଖନ୍ତୁ।

-ପରେ ଭଗବାନ ସୂର୍ଯ୍ୟନାରାୟଣଙ୍କ ସୂର୍ଯ୍ୟାଷ୍ଟକ ୩ଥର ପାଠ କରନ୍ତୁ।

-ସୂର୍ଯ୍ୟାଷ୍ଟକ ପାଠ କରି ସାରିବା ପରେ ତମ୍ବା ଢାଳରେ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। କିଛି ନେତ୍ର ହୀନ ଲୋକଙ୍କୁ ମିଠା ବାଣ୍ଟନ୍ତୁ।

Related posts