
ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜାତୀୟ କ୍ରେଡିଟ ଫ୍ରେମୱର୍କ ପ୍ରସ୍ତୁତ କରୁଥିବା କମିଟି ସହ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସ୍କୁଲ ଶିକ୍ଷା ସଚିବ ଅନୀତା କରୱଲ, ଉଚ୍ଚ ଶିକ୍ଷା ସଚିବ ସଞ୍ଜୟ ମୂର୍ତ୍ତି, ଏନସିଭିଇଟି ଅଧ୍ୟକ୍ଷ ଡଃ ନିର୍ମଲଜିତ ସିଂହ କଲସି ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇଥିଲେ।
ଆସନ୍ତାକାଲି ଅକ୍ଟୋବର ୧୯ ୨୦୨୨ରୁ ଜାତୀୟ କ୍ରେଡିଟ ଫ୍ରେମୱର୍କ ସାର୍ବଜନୀନ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଶ୍ରୀ ପ୍ରଧାନ ସହମତ ହୋଇଛନ୍ତି।
ଭାରତ ସରକାର ନଭେମ୍ବର ୧୮, ୨୦୨୧ରେ ଜାରି ଏକ ନିର୍ଦ୍ଦେଶନାମା ଅନୁଯାୟୀ ଉଭୟ ଧନ୍ଦାମୂଳକ ଓ ସାଧାରଣ ଶିକ୍ଷା ପାଇଁ ଏକ ଜାତୀୟ କ୍ରେଡିଟ ଆକ୍ୟୁମୁଲେସନ ଓ ଟ୍ରାନ୍ସଫର ଫ୍ରେମୱର୍କ ବିକଶିତ କରିବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ। ଏହି କ୍ରେଡିଟ ଫ୍ରେମୱର୍କ ଶୈକ୍ଷିକ ଓ ଧନ୍ଦାମୂଳକ କାର୍ଯ୍ୟକ୍ଷେତ୍ର/ଶିଖିବାର ଉପାଦାନଗୁଡିକୁ ଏକାଠି କରିବାକୁ ସକ୍ଷମ କରିବା ସହ ଏହି ଦୁଇଟି ମଧ୍ୟରେ ନମନୀୟତା ଓ ଗତିଶୀଳତା ସୁନିଶ୍ଚିତ କରିବ।