ଗୋଆ ଗସ୍ତରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ କରିବେ ଆଲୋଚନା

Published: Oct 22, 2022, 7:47 pm IST

ଭୁବନେଶ୍ୱର: ଓଡ଼ିଶା ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ ବହୁ ଆଗରେ। ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ଥିବା ଭଲପାଇବା ଯୋଗୁଁ ଆଜି ଓଡ଼ିଶା ସମଗ୍ର ଦେଶରେ ଏକ କ୍ରୀଡ଼ା ହବ୍‌ର ମାନ୍ୟତା ପାଇଛି। କରୋନା କାଳରେ ଇଭେଣ୍ଟଗୁଡ଼ିକ ବିନା ଦର୍ଶକରେ ଅନୁଷ୍ଠିତ ହେଉଥିଲା। କିନ୍ତୁ ଏବେ ଏହି କଟକଣା ଉଠିବା ଯୋଗୁଁ ଚଳିତ ଅକ୍ଟୋବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ଦର୍ଶକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଦେଖାଦେଇଛି ।

ଏଥିରୁ ପ୍ରମାଣିତ ହୁଏ ଯେ ଓଡ଼ିଶାବାସୀଙ୍କ ମଧ୍ୟରେ କ୍ରୀଡ଼ାପ୍ରତି ଥିବା ଭଲ ପାଇବା କମି ନାହିଁ। ଗୋଆଠାରେ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେଉଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍‌ର କ୍ୱାଟର ଫାଇନାଲ ମ୍ୟାଚ୍‌ ପାଇଁ ଗୋଆ କ୍ରୀଡ଼ା ବିଭାଗର ନିମନ୍ତ୍ରଣ କ୍ରମେ ରାଜ୍ୟ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ତଥା ଗୃହ (ରାଷ୍ଟ୍ର) ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଗୋଆ ଗସ୍ତରେ ଯାଇଛନ୍ତି ।

ଏଠାରେ ସେ ଫୁଟବଲ୍‌ ଖେଳାଳିମାନଙ୍କୁ ଭେଟିବା ସହ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲକ୍ଷ୍ୟ ନେଇ ସେଠାକାର କ୍ରୀଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ଏଥି ସହ ଓଡ଼ିଶା ବିଭିନ୍ନ କ୍ରୀଡ଼ା ଓ ଭିତ୍ତିଭୂମିର ଉନ୍ନତି ଘଟାଇ ସମଗ୍ର ବିଶ୍ୱରେ ରାଜ୍ୟକୁ କିଭଳି ପ୍ରଦର୍ର୍ଶିତ କରିଛି, ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ କ୍ରୀଡ଼ା ଭିତ୍ତିଭୂମିର ଉପଯୁକ୍ତ ବ୍ୟବହାର ସହ କ୍ରୀଡ଼ାବିତ୍‌ଙ୍କୁ ସଠିକ୍‌ ତାଲିମ ଏବଂ କ୍ରୀଡ଼ାର ସାମଗି୍ରକ ବିକାଶ ନେଇ ଦୁଇ ରାଜ୍ୟ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନା ଉଭୟ ରାଜ୍ୟର କ୍ରୀଡ଼ାକୁ ଏକ ନୂଆ ଦିଶା ପ୍ରଦାନ କରିବ।

Related posts